ଭାରତ ରଙ୍ଗ ମହୋତ୍ସବ ଉଦ୍‌ଘାଟିତ: ‘ମହାସଂଗ୍ରାମର ମହାନାୟକ’ରେ ପାଇକ ବୀରତ୍ବର ଗାଥା

ଚନ୍ଦ୍ରଶେଖରପୁର: କିଟ୍ କ୍ୟାମ୍ପସ୍‌ ଅଡିଟୋରିୟମରେ ଭାରତ ରଙ୍ଗ ମହୋତ୍ସବ ଉଦ୍‌ଘାଟିତ ହୋଇଛି। ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ସେ ମହାତ୍ମା ଗାନ୍ଧୀଙ୍କଠାରୁ ଆରମ୍ଭ କରି ଓଡ଼ିଶାର ଅନ୍ୟ ବୀର ସ୍ୱାଧୀନତା ସଂଗ୍ରାମୀମାନଙ୍କର ଗୁଣଗାନ କରିଥିଲେ। ଇଂରେଜମାନଙ୍କ ଦ୍ୱାରା ହୋଇଥିବା ଜୁଲମ ଓ ନିରୀହ ଲୋକମାନେ କିପରି ପ୍ରାଣବଳି ଦେଇଥିଲେ ତାହା ମନେ ପକାଇଥିଲେ। ଓଡ଼ିଶାରେ ଇଂରେଜମାନଙ୍କ ଦ୍ୱାରା ହୋଇଥିବା ବିଭିନ୍ନ ଗଣହତ୍ୟା ଭଳି ମର୍ମନ୍ତୁଦ ଘଟଣାକୁ ମନେ ପକାଇ କ୍ଷୋଭ ପ୍ରକାଶ କରିଥିଲେ। ଏଥିରେ ସହିଦ ହୋଇଥିବା ବୀର ଓଡ଼ିଆମାନଙ୍କର ଜୟଗାନ କରିଥିଲେ।
ଏହି ଅବସରରେ ଇଂରେଜମାନଙ୍କ ବିରୋଧରେ ସେନାପତି ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଅନ୍ୟତମ ଗଣ ଆନ୍ଦୋଳନ ପାଇକ ବିଦ୍ରୋହକୁ ମନେପକାଇ କହିଥିଲେ ଯେ ପାଇକମାନେ ହେଉଛନ୍ତି ପଦାତିକ ସୈନ୍ୟ। ଯାହାଙ୍କର ଦୃଢ଼ ନିଷ୍ଠା ଓ ମାତୃଭୂମିକୁ ଭଲପାଇବା ଏ ଜାତିରେ ତିଆରି କରିଥିଲା ପାଇକ ବିଦ୍ରୋହ ଭଳି ଏକ ଅନ୍ୟତମ ଗଣସଂଗ୍ରାମ। ଯାହାକି ଓଡ଼ିଶାର ପ୍ରତ୍ୟେକ ନାଗରିକଙ୍କ ମନରେ ଇଂରେଜମାନଙ୍କୁ ବିତାଡ଼ିତ କରିବାର ଏକ ଆଶା ସଂଚାର କରିଥିଲା। ରାଜ୍ୟପାଳ ଶ୍ରୀ ହରିଚନ୍ଦନ ବକ୍ସି ଜଗବନ୍ଧୁଙ୍କ ବୀରତ୍ବର କାହାଣୀର ଅଲୋକପାତ କରିଥିଲେ। ଓଡ଼ିଶାର ବୀର ସଂଗ୍ରାମୀଙ୍କ ସଂଘର୍ଷର କାହାଣୀ ‘ମହାସଂଗ୍ରାମର ମହାନାୟକ’ରେ ପ୍ରତିଫଳିତ ହୋଇଥିବା ଶ୍ରୀ ହରିଚନ୍ଦନ କହିଥିଲେ।

ଆଜି ପ୍ରଥମ ସଂଧ୍ୟାରେ ମଞ୍ଚସ୍ଥ ହୋଇଥିବା ନାଟକ ‘ମହାସଂଗ୍ରାମର ମହାନାୟକ’କୁ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ରଚନା କରିଥିବା ବେଳେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଧୀର ମଲ୍ଲିକ ନିର୍ଦ୍ଦେଶନା ଦେଇଥିଲେ। ଶତାବ୍ଦୀର କଳାକାର ନାଟ୍ୟସଂସ୍ଥାର କଳାକାରମାନେ ଏଥିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ।
ଆୟୋଜିତ ସଭାରେ ନ୍ୟାସ୍‌ନାଲ ସ୍କୁଲ୍ ଅଫ୍ ଡ୍ରାମାର ନିର୍ଦ୍ଦେଶକ ପ୍ରଫେସର ରମେଶ ଚନ୍ଦ୍ର ଗୌର ସଭାପତିତ୍ୱ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଖ୍ୟାତ ନାଟ୍ୟ ନିର୍ଦ୍ଦେଶକ ଦୋଳଗୋବିନ୍ଦ ରଥ ଏବଂ କିଟ୍‌ର କୁଳପତି ସସ୍ମିତାରାଣୀ ସାମନ୍ତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର