ଭୁବନେଶ୍ବର : ଭୁବନେଶ୍ୱର ସ୍ମାର୍ଟ ସିଟିକୁ ପୁଣି ମିଳିଛି ସଫଳତା। ସାଇକେଲ୍ ଚାଳନାକୁ ପ୍ରୋତ୍ସାହନ ଦେବା ସହ ଉପଯୁକ୍ତ ଭିତ୍ତିଭୂମି ପ୍ରସ୍ତୁତ କରିଥିବାରୁ ଇଣ୍ଡିଆ ସାଇକେଲ୍ସ ଫୋର(୪) ଚେଞ୍ଜ ଚାଲେଞ୍ଜ ଷ୍ଟେଜ୍-୧ ପୁରସ୍କାର ହାସଲ କରିଛି ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସ୍ସିଏଲ୍)। ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ଭର୍ଚୁଆଲ୍ ଇଭେଣ୍ଟ ଜରିଆରେ ଗୃହ ଓ ନଗର ମନ୍ତ୍ରଣାଳୟ ସଚିବ ଦୁର୍ଗାଶଙ୍କର ମିଶ୍ର ଘୋଷଣା କରିଥିବା ଶ୍ରେଷ୍ଠ ୧୧ ସହରର ଭିତରେ ଭୁବନେଶ୍ବର ରହିଛି। ପୁରସ୍କାର ସ୍ବରୂପ ସ୍ମାର୍ଟ ସିଟି ୧ କୋଟି ଟଙ୍କା ପାଇବ। ଗତ ଜୁନ୍ ମାସରେ ‘ଇଣ୍ଡିଆ ସ୍ମାର୍ଟ ସିଟି ଆୱାର୍ଡ କଣ୍ଟେଷ୍ଟ’ ରେ ମଧ୍ୟ ଭୁବନେଶ୍ବର ଦୁଇଟି ପୁରସ୍କାର ପାଇଥିଲା। କମ୍ ଦିନ ଭିତରେ ପୁଣି ଏକ ସଫଳତା କେବଳ ବିଏସ୍ସିଏଲ୍ ନୁହେଁ, ବରଂ ରାଜ୍ୟ ପାଇଁ ଗୌରବ ଆଣିଛି। ପ୍ରତିଯୋଗିତାର ଦ୍ବିତୀୟ ପର୍ଯ୍ୟାୟ ଅଗଷ୍ଟ ମାସରୁ ଆରମ୍ଭ ହେବାକୁ ଯାଉଛି। ୫ ଲକ୍ଷରୁ ଊର୍ଦ୍ଧ୍ବ ଜନସଂଖ୍ୟା ଥିବା ସହରମାନେ ଏଥିରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଭୁବନେଶ୍ବର ସ୍ମାର୍ଟ ସିଟି ପୁଣି ଥରେ ପୁରସ୍କାର ହାତେଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏହି ଅବସରରେ ‘ଇଣ୍ଡିଆ ସାଇକେଲ୍ସ ଫୋର(୪)ଚେଞ୍ଜ ଚାଲେଞ୍ଜ’ ତା’ର ପ୍ରଥମ ରିପୋର୍ଟ ‘ଦ ଡନ୍ ଅଫ୍ ଇଣ୍ଡିଆଜ୍ ସାଇକେଲିଂ ରିଭଲ୍ୟୁସନ’ ଲୋକାର୍ପଣ କରିଛି। ଏଥିରେ ସାଇକେଲ୍ ଚାଳନାକୁ ପ୍ରୋତ୍ସାହିତ କରୁଥିବା ସହରମାନଙ୍କର ଏଥିପାଇଁ ରହିଥିବା ଆହ୍ବାନ ଓ ଆଗାମୀ ଯୋଜନା ସମ୍ବନ୍ଧରେ ତଥ୍ୟ ରହିଛି। ସେହିଭଳି ଶୀର୍ଷରେ ଥିବା ୨୫ ସହରକୁ ନେଇ ଏକ ଅନ୍ଲାଇନ୍ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଛି। ଏହି ସହରମାନେ କିଭଳି ସାଇକେଲ୍ ଚାଳନା ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିଛନ୍ତି ତାହା ପ୍ରଦର୍ଶିତ ହେଉଛି।
ଏନେଇ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସସିଏଲ୍) ସିଇଓ ସଞ୍ଜୟ କୁମାର ସିଂ କହିଛନ୍ତି, ଦ୍ବିତୀୟ ସିଜନ୍ ପାଇଁ ସ୍ମାର୍ଟ ସିଟି ପ୍ରସ୍ତୁତ ହେଉଛି। ସାଇକେଲ୍ ଚାଳନାକୁ ପ୍ରୋତ୍ସାହିତ ଆହୁରି ଅଧିକ ଇଭେଣ୍ଟ ଆୟୋଜିତ ହେବାକୁ ଯାଉଛି। ରାଜଧାନୀବାସୀ କିଭଳି ‘ମୋ ସାଇକେଲ୍’ ପ୍ରତି ଅଧିକ ଆକୃଷ୍ଟ ହେବେ ସେ ନେଇ ଯୋଜନା ହୋଇଛି ବୋଲି କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତବର୍ଷ ଅକ୍ଟୋବର ମାସରେ ସାଇକେଲ୍ ଚାଳନାକୁ ପ୍ରୋତ୍ସାହିତ କରିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା। ସାଇକେଲ ଚାଳକଙ୍କୁ ସୁରକ୍ଷା ଦେବାପାଇଁ ଅଟୋଚାଳକ ଓ ଓଲା କାର୍ ଚାଳକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା। ନଭେମ୍ବରରେ କର୍କଟ ରୋଗର ସଚେତନତାକୁ ନେଇ ମିନି ସାଇକ୍ଲାଥନ୍ ଆୟୋଜନ କରାଯାଇଥିଲା। ଏଭଳି ୨୧ଟି ସାଇକ୍ଲାଥନ୍ ଇଭେଣ୍ଟ ଆୟୋଜନ କରାଯାଇଥିଲା। ଏହାଛଡ଼ା ୧୦୦ ବସ୍ତିରେ ସାମାଜିକ ପରିବର୍ତ୍ତନ ପାଇଁ କାମ କରୁଥିବା ୨୫ ପ୍ରଗତି ସାଥୀଙ୍କୁ ‘ସୋସିଆଲି ସ୍ମାର୍ଟ ଭୁବନେଶ୍ବର ପ୍ରୋଜେକ୍ଟ’ ଅଧୀନରେ ସାଇକେଲ୍ ବଣ୍ଟନ କରାଯାଇଥିଲା। ଆଗକୁ ଅଧିକରୁ ଅଧିକ ସାଇକେଲ୍ ଟ୍ରାକ୍ ନିର୍ମାଣ ହେବା ସହ ସାଇକେଲ ଚାଳନା ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ସ୍ମାର୍ଟ ସିଟି ଉଦ୍ୟମ ଜାରି ରଖିଥିବା ଏକ ପ୍ରେସ୍ ବିବୃତିରେ କୁହାଯାଇଛି।