ଭାରତ ଅନ୍ତର୍ଜାତୀୟ ଟ୍ରାଭେଲ ପ୍ରଦର୍ଶନୀ ଉଦ୍‌ଘାଟିତ

ଭୁବନେଶ୍ୱର: ଭାରତ ଅନ୍ତର୍ଜାତୀୟ ଟ୍ରାଭେଲ ପ୍ରଦର୍ଶନୀ ଆଜି ସ୍ଥାନୀୟ ହୋଟେଲ୍‌ ନ୍ୟୁ ମାରିଅନ୍‌ରେ ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟ ତଥା ଦେଶର ବିଭିନ୍ନ ଭ୍ରମଣ ସ୍ଥାନ, ପର୍ଯ୍ୟଟନସ୍ଥଳୀ, ଏହାର ସଂସ୍କୃତି, ପରମ୍ପରା ଓ ଖାଦ୍ୟ ବିଷୟରେ ଅଧିକରୁ ଅଧିକ ଲୋକଙ୍କୁ ଜଣାଇବା ଓ ସଚେତନ କରିବା ତଥା ଦେଶ ଓ ବିଦେଶକୁ ପର୍ଯ୍ୟଟନର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଏହି ପ୍ରଦର୍ଶନୀ ଆରମ୍ଭ ହୋଇଛି। ଓଡ଼ିଶାରେ ଦ୍ୱିତୀୟ ଥର ପାଇଁ ଆୟୋଜିତ ହୋଇଥିବା ଏହି ପ୍ରଦର୍ଶନୀରେ ଭ୍ରମଣ, ପର୍ଯ୍ୟଟନ, ରେଳବାଇ, ଆତିଥ୍ୟ ଓ ଏହା ସହ ସଂପୃକ୍ତ ବିଭିନ୍ନ ଶିଳ୍ପ ପ୍ରଦର୍ଶିତ ହେଉଛି। ପ୍ରଦର୍ଶନୀରେ ମୋଟ୍‌ ୨୦ ସଂସ୍ଥା ଅଂଶଗ୍ରହଣ କରିଛନ୍ତି। ହିମାଚଳ ପ୍ରଦେଶ, ଝାରଖଣ୍ଡ, କେରଳ ଓ ଗୁଜୁରାଟ ଆଦି ରାଜ୍ୟର ପର୍ଯ୍ୟଟନ ବିଭାଗ ଏଥିରେ ଅଂଶଗ୍ରହଣ କରିଥିବା ବେଳେ ବହୁ ଟ୍ରାଭେଲ୍‌ ଏଜେନ୍ସି, ହୋଟେଲ୍‌ ଆଦି ନିଜର ଉତ୍ପାଦ ଓ ସେବା ଏଠାରେ ପ୍ରଦର୍ଶିତ କରିବେ। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ସ୍ଥାନୀୟ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ବଢ଼ିଛି। ଚଳିତ ବର୍ଷ ୬ଜଣ ସ୍ଥାନୀୟ ଏଜେନ୍ସି ଏଥିରେ ଯୋଗ ଦେଇଛନ୍ତି ବୋଲି ପ୍ରଦର୍ଶନୀର ନିର୍ଦ୍ଦେଶକ ଅନୁରାଗ ଗୁପ୍ତା ପ୍ରଦର୍ଶନୀକୁ ଉଦ୍‌ଘାଟନ କରି କହିଛନ୍ତି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଏୟାର୍‌ ଇଣ୍ଡିଆର ସହ ମହାପ୍ରବନ୍ଧକ ରାମକୃଷ୍ଣ ରଥ ଉପସ୍ଥିତ ଥିଲେ। ମାରିଆ ସାଲ୍‌ଧାନା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପ୍ରଦର୍ଶନୀ ୩ ଦିନ ଧରି ଚାଲିିବ।

ସମ୍ବନ୍ଧିତ ଖବର