ବାଣିଜ୍ୟ କ୍ଷେତ୍ରରେ ବିଶ୍ବରେ ନେତୃତ୍ବ ନେବ ଭାରତ: ରାଜ୍ୟପାଳ

ଚନ୍ଦ୍ରଶେଖରପୁର: ନୀତିହୀନ ଓ ନୈତିକତା ରହିତ ବ୍ୟବସାୟ ସର୍ବଦା ବର୍ଜନୀୟ। ବର୍ତମାନ ସମୟରେ ସମ୍ପତ୍ତି ଅର୍ଜନ ଲୋଭ ଅନେକ ଦୁର୍ଗତିର କାରଣ ସାଜିଛି। ଏହି ପରିପ୍ରେକ୍ଷୀରେ ବ୍ୟବସାୟକୁ ଉତ୍ତମ ବ୍ୟବହାରରେ ପରିଣତ କରିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଆହ୍ବାନ ଦେଇଛନ୍ତି। ସାଇ ଇଣ୍ଟରନ୍ୟାସନାଲ କଲେଜ୍‌ ଅଫ୍‌ କମର୍ସ ଦ୍ବାରା ଆୟୋଜିତ ବାଣିଜ୍ୟ ସମ୍ମିଳନୀରେ ଯୋଗଦେଇ ରାଜ୍ୟପାଳ କହିଲେ, ଗଙ୍ଗା ନଦୀ ଆଜି ପ୍ରଦୂଷିତ ହେବାର ମୁଖ୍ୟ କାରଣ ହେଉଛି ବ୍ୟାବସାୟିକ ଅବିବେକିତା। ପ୍ରକୃତିକୁ ନଷ୍ଟ କରି ହାସଲ କରାଯାଉଥିବା ପ୍ରଗତି ଗ୍ରହଣଯୋଗ୍ୟ ନୁହେଁ। ଜାଗ୍ରତ ଦେଶାତ୍ମବୋଧ ଆଧାରରେ ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ଭାରତ ଆଗାମୀ ଦିନରେ ବିଶ୍ବରେ ନେତୃତ୍ବ ନେବ ବୋଲି ରାଜ୍ୟପାଳ ଆଶା ପ୍ରକାଶ କରିଛନ୍ତି। ସାଇ ଇଣ୍ଟରନ୍ୟାସନାଲ ଗ୍ରୁପ୍‌ର ଚେୟାରମ୍ୟାନ୍‌ ବିଜୟ କୁମାର ସାହୁ ଯୋଗଦେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବାଣିଜ୍ୟ ପାଠକ୍ରମ ପ୍ରତି ଆଗ୍ରହ ସୃଷ୍ଟି କରିବା ଓ ଉଦ୍ୟୋଗପତି କରିବା ପାଇଁ ପ୍ରବର୍ତ୍ତାଇବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ। ଏହି ଅବସରରେ ଗତବର୍ଷ ସାଇ ଇଣ୍ଟରନ୍ୟାସନାଲ କଲେଜ ଅଫ୍‌ କମର୍ସ କଲେଜର ବିଶ୍ବବିଦ୍ୟାଳୟ ଟପ୍‌ରମାନଙ୍କୁ ସମ୍ମାନିତ କରାଯାଇଥିଲା। ସନ୍ଧ୍ୟାରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। କଲେଜ ଅଧ୍ୟକ୍ଷ ସନ୍ଦୀପ ଘୋଷ ଧନ୍ୟବାଦ ଅର୍ପଣ କରିଥିଲେ। ସାଇ ଇଣ୍ଟରନ୍ୟାସନାଲ୍‌ ଗ୍ରୁପ୍‌ର ଉପାଧ୍ୟକ୍ଷ ଶିଳ୍ପୀ ସାହୁ ଉପସ୍ଥିତ ଥିଲେ। ଗତକାଲି ଉନ୍ନୟନ କମିସନର‌୍‌ ଆର‌୍‌. ବାଲ୍‌କ୍ରିଷ୍ଣନ୍‌ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଣିଜ୍ୟ ସମ୍ମିଳନୀ-୨୦୧୮ର ତୃତୀୟ ସ˚ସ୍କରଣକୁ ଉଦ୍‌ଘାଟନ କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ, ଗୁପ୍ତା ପାୱାର‌୍‌ ଇନ୍‌ଫ୍ରାଷ୍ଟ୍ରକ୍‌ଚର‌୍‌ ଲିମିଟେଡ୍‌ର ମ୍ୟାନେଜିଙ୍ଗ୍‌ ଡାଇରେକ୍ଟର‌୍‌ ମହେନ୍ଦ୍ର ଗୁପ୍ତା ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ସଫଳ ଉଦ୍ୟୋଗପତି ହେବା ପାଇଁ ପରିଶ୍ରମ କରିବାକୁ ପଡ଼ିବ ବୋଲି କହିଥିଲେ। ବାଣିଜ୍ୟ ଶିକ୍ଷା ଓ ଛାତ୍ରଛାତ୍ରୀଙ୍କୁ ଉଦ୍ୟୋଗପତି ହେବାକୁ ପ୍ରେରଣା ଦେବା ଉଦ୍ଦେଶ୍ୟରେ ଗତ ୩ବର୍ଷ ଧରି ସାଇ ଇଣ୍ଟରନ୍ୟାସନାଲ୍‌ କଲେଜ୍‌ ଅଫ୍‌ କମର୍ସ ଏହି ସମ୍ମିଳନୀ ଆୟୋଜିତ କରୁଛି। ସମ୍ମିଳନୀରେ ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ୧୫୦୦ରୁ ଅଧିକ ଛାତ୍ରଛାତ୍ରୀ, ବାଣିଜ୍ୟିକ ପ୍ରତିଷ୍ଠାନ, ଆଇଟି ସେଣ୍ଟର୍‌, ବ୍ୟାଙ୍କ, କର୍ପୋରେଟ୍‌ ହାଉସ୍‌ଗୁଡ଼ିକ ସାମିଲ ‌ହୋଇଥିଲେ।

ମିଠା ଖାଇବାକୁ ଦେଲେ ୫୧ ହଜାର
ଉତ୍ସବ ଶେଷ ହେବା ପରେ ରାଜ୍ୟପାଳ ଗଣେଶୀ ଲାଲ୍‌ ମଞ୍ଚ ତଳକୁ ଓହ୍ଲାଇ ଯାଇଥିଲେ। ପିଲାଙ୍କ ନିକଟରେ ପହଞ୍ଚି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀମାନେ ମଧ୍ୟ ରାଜ୍ୟପାଳଙ୍କୁ ନିକଟରେ ପାଇ କିଏ ପାଦ ଛୁଇଁ ପକାଇଥିଲେ ତ ଆଉ କିଏ ହାତ ମିଳାଇଥିଲେ। ଛାତ୍ରଛାତ୍ରୀଙ୍କ ଭଲ ପାଇବା ଦେଖି ଦୀପାବଳିରେ ମିଠା ଖାଇବା ପାଇଁ ରାଜ୍ୟପାଳ ପିଲାମାନଙ୍କୁ ୫୧ ହଜାର ଟଙ୍କା ‌ଦେବା ପାଇଁ ଘୋଷଣା କରିଥିଲେ। ସବୁବେଳେ ଭାରତର ଟେକ ରଖିବାକୁ ରାଜ୍ୟପାଳ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର