ଭୁବନେଶ୍ବର: ଚଳିତ ବିଶ୍ବକପ୍ରେ ଭାରତ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ଆସନ୍ତାକାଲି ମ୍ୟାଚ୍ ଖେଳିବ। ଏହି ହାଇଭୋଲଟେଜ୍ ମ୍ୟାଚ୍ ଉପରେ ପୂରା ବିଶ୍ବର ନଜର ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ବି ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଛି। ବିଶ୍ବକପ୍ ଇତିହାସରେ ଭାରତକୁ ଥରୁଟିଏ ବି ପାକିସ୍ତାନ ପରାସ୍ତ କରିନାହିଁ। ୬ରୁ ୬ଟିଯାକ ମ୍ୟାଚ୍ରେ ଭାରତ ବାଜି ମାରି ନେଇଛି। ଏହି ବିଜୟଧାରାକୁ ଭାରତ ଆସନ୍ତାକାଲି ମଧ୍ୟ ବଜାୟ ରଖିବ ବୋଲି ପ୍ରଶଂସକମାନେ ଆଶାବାଦୀ ଅଛନ୍ତି। ଆସନ୍ତାକାଲି ଛୁଟି ଦିନ ଥିବାରୁ ମ୍ୟାଚ୍ର ଭରପୂର ମଜା ନେବା ପାଇଁ ବିଭିନ୍ନ ଅନୁଷ୍ଠାନ ଓ ରାଜଧାନୀବାସୀ ବିଭିନ୍ନ ଯୋଜନା କରିଥିବା ଜଣାଯାଇଛି।
ହୋଟେଲ ସ୍ବସ୍ତି ପ୍ରମିୟମ୍ରେ ଦର୍ଶକଙ୍କୁ ମାଗଣା ଏଣ୍ଟ୍ରି
ହୋଟେଲ୍ ସ୍ବିସ୍ତି ପ୍ରିମିୟମରେ ଭାରତ ଓ ପାକିସ୍ତାନ ମ୍ୟାଚ୍ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଦର୍ଶକଙ୍କ ପାଇଁ ପ୍ଲାଜା କ୍ଲବ୍ରେ ବଡ଼ ସ୍କ୍ରିନ୍ ଲଗାଯାଇଛି। ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ହୋଟେଲ୍ ପକ୍ଷରୁ ବିଭିନ୍ନ ରିହାତି ବ୍ୟବସ୍ଥା କରାଯାଇଛି। ଦର୍ଶକଙ୍କ ପାଇଁ ମାଗଣା ଏଣ୍ଟ୍ରି ରହିଛି। ହାତଗଣତି କିଛି ପାନୀୟକୁ ବାଦ୍ ଦେଲେ ଅନ୍ୟ ପାନୀୟରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଥିବା ହୋଟେଲ ପକ୍ଷରୁ ଘୋଷଣା କରାଯାଇଛି। ଦର୍ଶକଙ୍କ ପାଇଁ ମାଗଣା ଡିଜେର ମଧ୍ୟ ବ୍ୟବସ୍ଥା ରହିଛି।
ବାଣୀବିହାର ହଷ୍ଟେଲରେ ଲାଗିବ ବଡ଼ ସ୍କ୍ରିନ୍
ବାଣୀବିହାରରେ ମଧ୍ୟ ଭାରତ-ପାକିସ୍ତାନ ମ୍ୟାଚ୍କୁ ନେଇ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଛି। ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଭାରତ-ପାକିସ୍ତାନ ମ୍ୟାଚ୍କୁ ଉପଭୋଗ କରିବା ପାଇଁ ଆଜିଠାରୁ ଯୋଜନା ଆରମ୍ଭ କରି ସାରିଲେଣି। ୧ନଂ ହଷ୍ଟେଲ ବାହାରେ ଏଥିପାଇଁ ଏକ ବଡ଼ ସ୍କ୍ରିନ୍ ଲଗାଯିବ। ଏଠାରେ ବହୁ ସଂଖ୍ୟାରେ ଦର୍ଶକ ମ୍ୟାଚ୍କୁ ଉପଭୋଗ କରିପାରିବେ।
ଭାରତୀୟ ଦଳର ଜର୍ସି ପିନ୍ଧିବେ ହୋଟେଲ ଭିଟ୍ସ କର୍ମଚାରୀ
ଭାରତୀୟ ଦଳକୁ ସମର୍ଥନ କରିବା ପାଇଁ କଟକସ୍ଥିତ ହୋଟେଲ୍ ଭିଟ୍ସରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଠାରେ ହୋଟେଲକୁ ଯାଉଥିବା ଲୋକମାନଙ୍କ ପାଇଁ ବଡ଼ ସ୍କ୍ରିନ୍ ଲଗାଯାଇଥିବା ବେଳେ ଭାରତୀୟ ଦଳ ଯେଉଁ ମ୍ୟାଚ୍ ଖେଳିବ, ସେହିଦିନ ହୋଟେଲର କର୍ମଚାରୀମାନେ ଭାରତୀୟ ଦଳ ଜର୍ସି ପିନ୍ଧି ଖାଦ୍ୟ ପରିବେଷଣ କରିବେ। ଏହା ଜରିଆରେ ସେମାନେ ଭାରତୀୟ ଦଳକୁ ସମର୍ଥନ କରିବା ପାଇଁ ଆଶାବାଦୀ ରହିଥିବା ହୋଟେଲ୍ ପକ୍ଷରୁ ସୂଚନା ଦିଆଯାଇଛି।