ଭାରତ ବନ୍ଦ ପ୍ରଭାବ: ଅପରାହ୍‌ଣ ଯାଏ ଅଟକିଗଲା ରାଜଧାନୀ

ପିକେଟିଂ କରି ଶତାଧିକ ଗିରଫ, କାଁ ଭାଁ ଗଣ୍ଡଗୋଳ

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ଭାରତ ବନ୍ଦର ପ୍ରଭାବ ବେଶ୍ ଅନୁଭୂତ ହୋଇଥିଲା। ଅପରାହ୍‌ଣ ପର୍ଯ୍ୟନ୍ତ ରାଜଧାନୀ ଏକପ୍ରକାର ଅଟକି ଯାଇଥିଲା। ରାଜନୈତିକ ଦଳ ଓ ବିଭିନ୍ନ ସଂଗଠନର ପ୍ରଭାବ ସେତେ ଅନୁଭୂତ ହୋଇନଥିଲେ ହେଁ ସ୍ବତଃସ୍ଫୁର୍ତ୍ତଭାବେ ବଜାର ହାଟ ବନ୍ଦ ହୋଇଯାଇଥିଲା। ସରକାରୀ କାର୍ଯ୍ୟାଳୟ ଛୁଟି ଯୋଗୁ ବନ୍ଦ ଥିବା ବେଳେ ଅନେକ ବ୍ୟବସାୟୀ ଆପେ ଦୋକାନ ବନ୍ଦ ରଖିଥିଲେ। ଆଉ କେତେକ ଜାଗାରେ ଆନ୍ଦୋଳନକାରୀ ପିକେଟିଂ କରି ବନ୍ଦ କରିଥିଲେ। କାଁ ଭାଁ କିଛି ସ୍ଥାନରେ ହରତାଳକାରୀଙ୍କ ପକ୍ଷରୁ ଗଣ୍ଡଗୋଳ ମଧ୍ୟ ହୋଇଥିଲା। ଖୋଲା ଥିବା କିଛି ପେଟ୍ରୋଲ୍‌ ପମ୍ପ ଓ ଘରୋଇ ବ୍ୟାଙ୍କରେ ପିକେଟିଂ କରୁଥିବା ବନ୍ଦ ପାଳନକାରୀମାନେ ଗଣ୍ଡଗୋଳ କରିଥିଲେ। ତେଣୁ ବିଭିନ୍ନ ସ୍ଥାନରୁ ପୁଲିସ ଶତାଧିକ ବନ୍ଦ ପାଳନକାରୀଙ୍କୁ ଗିରଫ କରିଥିଲା। ବସ୍‌, ଟ୍ରେନ୍‌ ସେବା ବାଧାପ୍ରାପ୍ତ ହେବାରୁ ଯାତ୍ରୀମାନେ ସମସ୍ୟାରେ ପଡ଼ିଥିଲେ। ପ୍ରାୟ ତିନିଘଣ୍ଟା ପର୍ଯ୍ୟନ୍ତ ରାଜପଥରେ ବସ୍‌ ଟ୍ରକ୍‌ ଅଟକି ରହିଥିବାବେଳେ ଭୁବନେଶ୍ବର ଷ୍ଟେସନରେ ତିନୋଟି ଟ୍ରେନ୍‌ ପାଖାପାଖି ୫୦ ମିନିଟ୍‌ ପର୍ଯ୍ୟନ୍ତ ଅଟକି ରହିଥିଲେ। କେତେକ ବସ୍‌ ଯାତ୍ରୀଙ୍କୁ ନେଇ ରାତିରୁ ବାହାରି ଆସିଥିବାରୁ ରାସ୍ତା‌ରେ ଅଟକି ରହିଥିଲେ। ଫଳରେ ଯାତ୍ରୀମାନେ ଅଧା ବାଟରେ ଫସି ରହି ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତେବେ ସନ୍ଧ୍ୟାବେଳକୁ ରାଜଧାନୀର ଜୀବନଯାତ୍ରା ସ୍ବାଭାବିକ ହୋଇଥିଲା।

ଆଜି ବନ୍ଦ ପାଳନ ବେଳେ ବିଭିନ୍ନ ସାମାଜିକ ଓ ମାନବାଧିକାର ସଂଗଠନ ପକ୍ଷରୁ ରାଜମହଲ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଉତ୍କଳ ଯୁବ ପରିଷଦର ଅଧ୍ୟକ୍ଷ ଦେବୀପ୍ରସାଦ ପୃଷ୍ଟି, ଆମ ଜନତା ଅଧିକାରର ଆବାହକ ମନୋଜ ଜେନା, ସାଧାରଣ ସମ୍ପାଦକ ଲଲାଟେନ୍ଦୁ ଶତପଥୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି, ବରିଷ୍ଠ ସାମ୍ବାଦିକ ରବି ଦାସ, ଏନ୍‌ସିପି ରାଜ୍ୟ ସମ୍ପାଦକ ବିକ୍ରମ ସ୍ୱାଇଁ, ସାମାଜିକ ନ୍ୟାୟ ଅଭିଯାନର ଆବାହକ ଅକ୍ଷୟ ମଲ୍ଲିକ, ଓଡ଼ିଶା ନାଗରିକ ସମାଜର ଅଧ୍ୟକ୍ଷ ଲଳିତ ମୋହନ ପଟ୍ଟନାୟକ, କଂଗ୍ରେସ ଉପସଭାପତି ଶିବାନନ୍ଦ ରାୟ, ଆଇନଜୀବୀ ବିଶ୍ୱପ୍ରିୟ କାନୁନ୍‌ଗୋ, ମାନବାଧିକାର କର୍ମୀ ବାଘାମ୍ବର ପଟ୍ଟନାୟକ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ।

ହୋଟେଲ କ୍ରାଉନ୍‌ଠାରେ ସିପିଆଇ(ଏମ୍‌ଏଲ୍‌) ରେଡ୍‌ଷ୍ଟାର୍‌ ପକ୍ଷରୁ ରାଜ୍ୟ ସମ୍ପାଦକ ଶିବରାମଙ୍କ ନେତୃତ୍ବରେ ରାଜପଥ ଅବରୋଧ କରାଯାଇଥିଲା। ଓଡ଼ିଶା ନିର୍ମାଣ ଶ୍ରମିକ ଫେଡେରେସନ ପକ୍ଷରୁ ସୁରେଶଚନ୍ଦ୍ର ରାଉତରାୟଙ୍କ ନେତୃତ୍ବରେ ଜୟଦେବ ବିହାର, ମାଷ୍ଟର କ୍ୟାଣ୍ଟିନ୍‌ଠାରେ ବିକ୍ଷୋଭ କରାଯାଇଥିଲା। ସେହିଭଳି ସେଣ୍ଟର ଅଫ୍‌ ଭୁବନେଶ୍ବର ଟ୍ରେଡ୍‌ ୟୁନିଅନ୍‌ସ୍‌ ପକ୍ଷରୁ ନବକିଶୋର ମହାନ୍ତିଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସିପିଆଇ ପକ୍ଷରୁ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋଙ୍କ ନେତୃତ୍ବରେ ରେଳଷ୍ଟସନ, ରାଜମହଲ, ବସ୍‌ଷ୍ଟାଣ୍ଡ ପ୍ରଭୃତି ଜାଗାରେ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ଆଇଏନ୍‌ଟିୟୁସି, ଏଆଇଟିୟୁସି, ଏଚ୍‌ଏମ୍‌ଏସ୍‌, ସିଆଇଟିୟୁ ଓ ସେୱା ପକ୍ଷରୁ ସହରର ବିଭିନ୍ନ ଜାଗାରେ ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆଙ୍କ ନେତୃତ୍ବରେ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା‌। ସିପିଆଇ, କୃଷକ ସଭା, କ୍ଷେତ ମଜଦୁର ୟୁନିଅନ ପ୍ରଭୃତି ସଂଗଠନ ପକ୍ଷରୁ ସିପିଆଇରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋଙ୍କ ନେତୃତ୍ବରେ ହୋଇଥିବା ବିକ୍ଷୋଭରେ ରାମକୃଷ୍ଣ ପଣ୍ଡା, ସୁର ଜେନା ପ୍ରମୁଖ ସାମିଲ ହୋଇଥିଲେ। ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ହଂସପାଳଠାରେ ଶେଷଦେବ ନନ୍ଦଙ୍କ ନେତୃତ୍ବରେ ବିକ୍ଷୋଭ କରାଯାଇଥିଲା। ସେଠାରେ ରାସ୍ତା ଅବରୋଧ କରି ଶତାଧିକ କର୍ମୀ ଗିରଫ ହୋଇଥିଲେ। ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି ପକ୍ଷରୁ କୃଷକ ସଭାର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀଙ୍କ ନେତୃତ୍ବରେ ଜଗନ୍ନାଥ ମିଶ୍ର, ପ୍ରଭାତ ପାଣିଗ୍ରାହୀ ପ୍ରମୁଖ ଶତାଧିକ ନେତୃମଣ୍ଡଳୀ ଓ କର୍ମୀ ବିକ୍ଷୋଭରେ ସାମିଲ ହୋଇଥିଲେ। ଅଲ୍‌ଇଣ୍ଡିଆ ଫର୍‌ୱାର୍ଡ ବ୍ଲକ୍‌ ପକ୍ଷରୁ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ରଙ୍କ ନେତୃତ୍ବରେ ଶତାଧିକ କର୍ମୀ ରେଳରୋକ କରିବା ସହ ଷ୍ଟେଟ୍‌ବ୍ୟାଙ୍କ୍‌, ରିଜର୍ଭବ୍ୟାଙ୍କ୍‌ ସାମ୍ନାରେ ପିକେଟିଂ କରିଥିଲେ। ଆମ ଅଧିକାର ସଂଗଠନ ପକ୍ଷରୁ ଗଣେଶ ଦାସଙ୍କ ନେତୃତ୍ବରେ ନବୀନ ନିବାସ ଛକ, ଏଜି ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସିପିଆଇଏମ୍‌ର ରାଜ୍ୟ କମିଟି ସମ୍ପାଦକ ଅଳିକିଶୋର ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟ ସଭାପତି ଜନାର୍ଦ୍ଦନ ପତି, ଦୁଷ୍ମନ୍ତ ଦାସ ପ୍ରମୁଖ ମାଷ୍ଟର କ୍ୟାଣ୍ଟିନ୍‌, ରାଜମହଲ ପ୍ରଭୃତି ଛକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ବ୍ୟାଙ୍କ୍‌ରେ ଭଙ୍ଗାରୁଜା
ଭୁବନେଶ୍ବରରେ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ଥିବାବେଳେ ବ୍ୟାଙ୍କଗୁଡ଼ିକ ଖୋଲା ରହିଥିଲା। ବାପୁଜୀନଗରରେ ଥିବା ଏକ ଘରୋଇ ବ୍ୟାଙ୍କ ‌ଖୋଲା ଥିବା‌ ଦେଖି ପିକେଟିଂ ଦଳ ବ୍ୟାଙ୍କ ଭିତରେ ପଶି ଭଙ୍ଗାରୁଜା କରୁଥିଲେ। ଚେୟାରେ ଫିଙ୍ଗା ଫୋପଡ଼ା କରିବା ସହ ତୁରନ୍ତ ଅଫିସ୍‌ ବନ୍ଦ କରିବାକୁ କହିଥିଲେ। ଫଳରେ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ଘଟଣାସ୍ଥଳରେ କ୍ୟାପିଟାଲ୍‌ ଥାନା ପୁଲସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

ପେଟ୍ରୋଲ ପମ୍ପରେ ଉତ୍ତେଜନା
ଭାରତବନ୍ଦ ଡାକରାକୁ ଖାତିର ନ କରି ଆଜି ରାଜଧାନୀରେ କେତେକ ପେଟ୍ରୋଲ୍‌ ପମ୍ପ ଖୋଲା ରହିଥିଲା। ତେବେ ବିକ୍ଷୋଭକାରୀମାନେ ସେସବୁ ସବୁ ପେଟ୍ରୋଲ ପମ୍ପରେ ପିକେଟିଂ କରିଥିଲେ। କେତେକ ସ୍ଥାନରେ ପିକେଟିଂ ଦଳର ଅନୁରୋଧକୁ ରକ୍ଷା କରି ମାଲିକ ପେଟ୍ରୋଲ ପମ୍ପ ବନ୍ଦ କରି ଦେଇଥିଲେ। ମାତ୍ର ବାଣୀବିହାରର ଛକସ୍ଥିତ ଥିବା ପେଟ୍ରୋଲ ପମ୍ପ ବନ୍ଦ ନ କରିବାରୁ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ଗଣ୍ଡଗୋଳ ବଢ଼ିବା ପୂର୍ବରୁ ମାଲିକ ଟାଙ୍କି ବନ୍ଦ କରି ଦେଇଥିଲେ।

ଅଟକିଲା ଟ୍ରେନ୍‌
ସକାଳ ୬ଟା ବେଳେ ଆନ୍ଦୋଳନକାରୀମାନେ ଭୁବନେଶ୍ବର ରେଳ ଷ୍ଟେସନରେ ପହଞ୍ଚି ଯାଇଥିଲେ। ସେଠାରେ ରେଳ ଧାରଣାରେ ପିକେଟିଂ କରିଥିଲେ। ଫଳରେ ପୁରୀ-ଲୋକମାନ୍ୟ ତିଳକ ଏକ୍ସପ୍ରେସ୍, ଭୁବନେଶ୍ବର-ବଲାଙ୍ଗୀର ଇଣ୍ଟରସିଟି, ନଗର କୋଏଲ ଜଙ୍କ୍‌ସନ୍‌-ହାଓଡା ଏକ୍ସପ୍ରେସ୍‌ ଅଟକି ରହିଥିଲା। ଏଥିସହ ଏକ ମାଲ୍‌ବାହୀ ଟ୍ରେନ୍‌ ମଧ୍ୟ ପାଖାପାଖି ୫୦ ମିନିଟ୍‌ ପର୍ଯ୍ୟନ୍ତ ଷ୍ଟେସନରୁ ବାହାରି ପାରିନଥିଲା। ମାତ୍ର ଏହା ପରେ ଟ୍ରେନ୍‌ ଯାତ୍ରା ସ୍ବାଭାବିକ ହୋଇଥିଲା।

ପରିବା ହାଟ ଖୋଲା, ୧ ନଂ ହାଟ ବନ୍ଦ
ଆଜି ବନ୍ଦ ପାଳନ ବେଳେ ୧ ନମ୍ବର କ୍ୟାପିଟାଲ ପରିବା ହାଟ ଓ ୧ ନମ୍ବର ହାଟରେ ଦୁଇ ପ୍ରକାର ବିରୋଧାଭାସ ଦୃଶ୍ୟ ଦେଖିବାକୁ ମିଳିଥିଲା। ହାଟର ସମସ୍ତ ଦୋକାନ ବନ୍ଦ ଥିବାବେ‌ଳେ ପରିବା ବଜାର ଖୋଲା ଥିଲା। ବେପାରୀମାନେ ପରିବା ପସରା ମେଲାଇ ବସିଥିଲେ। ଗ୍ରାହକମାନେ କିଣାକିଣି କରୁଥିବା ଦେଖିବାକୁ ମିଳୁଥିଲା। ସତେ ଯେମିତି ସେଠାରେ ବନ୍ଦ ପାଇଁ କୌଣସି ପ୍ରଭାବ ପଡ଼ିନଥିଲା। ସେଠାକୁ ମଧ୍ୟ ପିକେଟିଂ ଦଳ ଆସିନଥିଲେ। ଗ୍ରାହକ କିମ୍ବା ବେପାରୀଙ୍କୁ ମଧ୍ୟ କେହି ବାଟରେ ଅଟକାଇନଥିଲେ। ତେବେ ୧ ନମ୍ବର ହାଟ ଆପେ ଆପେ ବନ୍ଦ ହୋଇଯାଇଥିଲା।

ରାସ୍ତାରେ ରୋଷେଇ କରି ଖାଇଲେ
ବନ୍ଦ ପାଳନ ଯୋଗୁଁ ରାଜଧାନୀ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ବିଭିନ୍ନ ଜାଗାରେ ଆନ୍ଦୋଳନକାରୀମାନେ ଅବରୋଧ କରିଥିଲେ। ଫଳରେ ଭାରୀଯାନଗୁଡ଼ିକ ରାସ୍ତା‌ରେ ଅଟକି ରହିବାକୁ ବାଧ୍ୟ ହୋଇଥିଲେ। ଅପରାହ୍‌ଣ ପର୍ଯ୍ୟନ୍ତ ରାସ୍ତା ଅବରୋଧ ହୋଇ ରହିବାରୁ ବହୁ ଗାଡ଼ି ଚାଳକ ରାସ୍ତା ଉପରେ ଷ୍ଟୋଭ୍‌ ଓ ଗ୍ୟାସ୍ ଚୁଲା ଲଗାଇ ଦେଇଥିଲେ। ବହୁ ଟ୍ରକ୍‌ ଚାଳକ ଓ ହେଲ୍‌ପର ରାସ୍ତା ଉପରେ ମଧ୍ୟାହ୍ନ ଭୋଜନ କରୁଥିବା ଦେଖିବାକୁ ମିଳିଥିଲା। ତେବେ ରୋଷେଇ ପାଇଁ ପାଣି ଯୋଗାଡ଼ କରିବାରେ ସେମାନେ କିଛିଟା ସମସ୍ୟାରେ ପଡ଼ିଥିଲେ।

ବିକ୍ଷୋଭକାରୀଙ୍କ ଭୟରେ ଦୁର୍ଘଟଣା
ଆଜି କିଛି ସ୍ଥାନରେ ବିକ୍ଷୋଭକାରୀମାନେ ଗଣ୍ଡଗୋଳ କରିବା ଦେଖିବାକୁ ମିଳିଥିଲା। ବିଭିନ୍ନ ଜାଗାରେ ସେମାନେ ରାସ୍ତା ଅବରୋଧ କରିବାବେଳେ ଟାୟାର ଜାଳିଥିଲେ ଓ ଲୋକଙ୍କ ଗାଡ଼ିକୁ ବାଡ଼େଇ ଫେରିଯିବାକୁ ଧମକ ଦେଉଥିଲେ। ହଂସପାଳ ଛକରେ ଆନ୍ଦୋଳନକାରୀଙ୍କ ହିଂସାତ୍ମକ ବିକ୍ଷୋଭ ଯୋଗୁଁ ଅନେକ ଯାତ୍ରୀ ହଇରାଣ ହୋଇଥିଲା। ଜଣେ କାର୍ ଚାଳକଙ୍କୁ ବିକ୍ଷୋଭକାରୀମାନେ ଠେଙ୍ଗାବାଡ଼ି ଧରି ଗୋଡ଼ାଇବାରୁ ସେ ଭୟଭୀତ ହୋଇ ଭାରସାମ୍ୟ ହରାଇଥିଲେ ଓ ଜଣେ ମହିଳାଙ୍କ ସ୍କୁଟିକୁ ଧକ୍କା ଦେଇଥିଲେ। ଫଳରେ ମହିଳାଜଣକ ସ୍କୁଟିରୁ ଖସି ପଡ଼ି ସାମାନ୍ୟ ଆହତ ହୋଇଥିଲେ। ପରେ ପୁଲିସ ମହିଳାଙ୍କୁ ଡାକ୍ତରଖାନା ନେଇଥିଲା।

ସମ୍ବନ୍ଧିତ ଖବର