ଭୁବନେଶ୍ବର: ନୂଆ ଶ୍ରମକୋଡ୍‌ ବାତିଲ୍‌, ସହ ଅନ୍ୟାନ୍ୟ ଦାବିରେ ୧୦ରୁ ଅଧିକ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ଫେଡେରେସନ୍‌ ଆହ୍ବାନରେ ଦିଆଯାଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ଆଜି ରାଜଧାନୀ ଭୁବନେଶ୍ବରରେ ପଡ଼ିଛି। ଲୋକେ ସ୍ବତଃସ୍ଫୃତ ଏହି ବନ୍ଦକୁ ସମର୍ଥନ ଜଣାଇଛନ୍ତି। ଜରୁରୀକାଳୀନ ସେବାକୁ ଛାଡ଼ିଦେଲେ ପରିବହନ ସେବାଠାରୁ ଆରମ୍ଭ କରି ବ୍ୟବସାୟିକ କ୍ଷେତ୍ର, ସବୁକିଛି ପ୍ରଭାବିତ ହୋଇଛି। କିନ୍ତୁ ସକାଳୁ ସଂପୂର୍ଣ୍ଣ ବନ୍ଦ ଥିବା ରାଜଧାନୀ ଅପରାହ୍ଣରେ ଚଳଚଞ୍ଚଳ ହୋଇ ଉଠିଥିବା ଦେଖିବାକୁ ମିଳିଥିଲା। ସକାଳୁ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ, ୧୨ ଘଣ୍ଟା ବନ୍ଦ ଡାକରା ଦିଆଯାଇଥିଲେ ବି ସକାଳ ୬ରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ, ପ୍ରଥମ ୭ ଘଣ୍ଟା ଲୋକେ ଏହି ଧର୍ମଘଟକୁ ମାନିଥିଲେ। ବାକି ୫ ଘଣ୍ଟାର ଆଂଶିକ ପ୍ରଭାବ ପଡ଼ିଥିଲା। ଅପରାହ୍ଣ ୨ଟା ପରଠୁ ବନ୍ଦ ଥିବା ଦୋକାନ ବଜାର ସବୁ ଖୋଲି ଯାଇଥିଲା। ଗାଡ଼ିମୋଟର ଚଳାଚଳ ବି ସ୍ବାଭାବିକ ହୋଇଥିଲା।

Advertisment

Cricket: ପ୍ରଶାନ୍ତ ରାରତରାୟ ସ୍ମାରକୀ ଆଇନଜୀବୀ କ୍ରିକେଟ୍‌: ଫାଇନାଲ୍‌ରେ ବୋର୍ଡ ଅଫ୍‌ ରେଭିନ୍ୟୁ-ଭୁବନେଶ୍ବର ବାର୍‌

ଭାରତ ବନ୍ଦର ପ୍ରଭାବରେ ରାଜଧାନୀର ଜନପଥ, ରାଜମହଲରୁ ରାଜଭବନ ଅବା ରସୁଲଗଡ଼ରୁ ଖଣ୍ଡଗିରି, ସବୁଠି ଗାଡ଼ିମୋଟର ଚଳାଚଳ ବନ୍ଦ ରହିଥିଲା। ଦୋକାନ ବଜାର ବି ବନ୍ଦ ରହିଥିଲା। ଜାତୀୟ ରାଜପଥଠାରୁ ଆରମ୍ଭ କରି ରାଜ୍ୟ ରାଜପଥ, ସବୁଠି ଗାଡ଼ିମୋଟର ଚଳାଚଳ ଠପ୍‌ ହୋଇଯାଇଥିଲା।  ଅନ୍ୟ ଅଞ୍ଚଳରେ ବନ୍ଦର ଆଂଶିକ ପ୍ରଭାବ ପଡ଼ିଥିଲା। ଦୋକାନ ବଜାର ଅଧା ଖୋଲା ଓ ଅଧା ବନ୍ଦ ରହିଥିଲା। କଳ୍ପନାରୁ ଲିଙ୍ଗିପୁର ଛକ, ରସୁଲଗଡ଼ରୁ ପଳାଶୁଣୀ, ପୁରୀ ବାଇପାସ, ଖଣ୍ଡଗିରିରୁ ପାତ୍ରପଡ଼ା ରାସ୍ତା, ଏଠାରେ ସବୁ ବଡ଼ ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନ ସବୁ ଖୋଲା ରହିଥିଲା। ଏହି ଅଞ୍ଚଳରେ ବସ୍‌ ସେବା ବନ୍ଦ ରହିଥିଲେ ବି ଅଟୋ, ଚାରିଚକିଆ ଚାଲୁଥିବା ଦେଖିବାକୁ ମିଳିଥିଲା।

Drinking Water: ଉପକୂଳରେ କମୁଛି ଜଳସ୍ତର, ଲୋକଙ୍କୁ ଘାରିଛି ମଧୁର ଜଳ ଚିନ୍ତା

ବନ୍ଦକୁ ସମର୍ଥନ ଜଣାଇ ସିପିଆଇ ପକ୍ଷରୁ ଆଜି ଭୁବନେଶ୍ବର ରେଳଷ୍ଟେସନ୍‌ରେ ରେଳରୋକ କରାଯାଇଥିଲା। ସିଟୁ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନରୁ ଏଜି ଛକ ପର୍ଯ୍ୟନ୍ତ ବାଇକ୍‌ ରାଲି କରାଯାଇଥିଲା। ଜୟଦେବବିହାରଛକଠାରେ ରାସ୍ତାରୋକ କରାଯାଇଥିଲା। ବିଜୁ ଶ୍ରମିକ ସାମ୍ମୁଖ୍ୟ ରାଜମହଲରୁ ଏଜି ଛକ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ। ୟୁନିଟ୍‌-୧ ମୁଖ୍ୟ ଏସ୍‌ବିଆଇ ବ୍ୟାଙ୍କ ବନ୍ଦ କରିବା ସହ ନାରାବାଜି କରିଥିଲେ। ଡୁମ୍‌ଡୁମା ଛକ, ନାଲ୍‌କୋ ଛକ, ବରମୁଣ୍ଡା ବସଷ୍ଟାଣ୍ଡ୍‌ ଆଦି ସ୍ଥାନରେ ବି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ସିପିଆଇ(ଏମ୍‌) ରାଜ୍ୟ କମିଟି ସଂପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ଆଜିର ଧର୍ମଘଟକୁ ଐତିହାସିକ ସଫଳତା ମିଳିଛି ବୋଲି କହିଛନ୍ତି। ରାଜ୍ୟର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଶ୍ରମିକ, କୃଷକ, କ୍ଷେତ ମଜଦୁର, ଯୁବକଯୁବତୀ, ମହିଳା ଓ ସାଧାରଣ ଜନତାଙ୍କ ଉତ୍ସାହପୂର୍ଣ୍ଣ ଭାଗିଦାରୀ ଯୋଗୁଁ ଏହା ସଫଳ ହୋଇଛି। କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ୍‌ ମିଳିତ ମଞ୍ଚର ସଂଯୋଜକ ମହେନ୍ଦ୍ର ପରିଡ଼ା କହିଛନ୍ତି, ସଂପୂର୍ଣ୍ଣ ରାଜଧାନୀରେ ଆଜି ହରତାଳ କରାଯାଇଛି। ମଧ୍ୟାହ୍ନ ୧୨ଟାରେ ଏକ ପଟୁଆର ମାଷ୍ଟରକ୍ୟାଣ୍ଟିନ ଛକଠାରୁ ବାହାରି ରାଜମହଲ ଛକ ଦେଇ ଗାନ୍ଧୀମାର୍ଗଠାରେ ପହଞ୍ଚିଲା ପରେ ତାଙ୍କ ସହ କିଶୋର ଜେନା, ଜ୍ୟୋତିରଞ୍ଜନ ମହାପାତ୍ର, ବି ଏନ୍ ମହାପାତ୍ର, ସୁର ଜେନା ପ୍ରମୁଖ ଶ୍ରମିକ ନେତାଙ୍କୁ ପୁଲିସ ଗିରଫ କରିଥିଲା। ଏହାକୁ ଶ୍ରମିକ ସଂଗଠନ ଦୃଢ଼ ନିନ୍ଦା କରୁଛି।