ଇଣ୍ଡିଆ ସ୍ମାର୍ଟ ସିଟି ଆୱାର୍ଡ କଣ୍ଟେଷ୍ଟ: ପୁଣି ବାଜିମାତ୍ କଲା ଭୁବନେଶ୍ବର

ସାମାଜିକ ପ୍ରସଙ୍ଗ ବିଭାଗରେ ଦ୍ବିତୀୟ, ସ୍ବତନ୍ତ୍ର ପ୍ରକଳ୍ପ ବିଭାଗରେ ତୃତୀୟ
‘ସୋସିଆଲ ସ୍ମାର୍ଟ ଭୁବନେଶ୍ବର’ ଓ ‘ଭୁବନେଶ୍ବର.ମି’ ପୋର୍ଟାଲ ପାଇଁ ପ୍ରଶଂସା
ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ଦେଶର ୧୦୦ ସ୍ମାର୍ଟସିଟି

ଭୁବନେଶ୍ବର : ମନ୍ଦିରମାଳିନୀ ସହର ତଥା ଦେଶର ପ୍ରମୁଖ ସ୍ମାର୍ଟ ସିଟି ଭୁବନେଶ୍ବର ଏଥର ମଧ୍ୟ ଇଣ୍ଡିଆ ସ୍ମାର୍ଟ ସିଟି ଆୱାର୍ଡସ୍‌ କଣ୍ଟେଷ୍ଟ (ଆଇଏଏସ୍‌ସି)ରେ ଦୁଇଟି ପୁରସ୍କାର ହାସଲ କରିଛି। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌)ର ଦୁଇଟି ପ୍ରମୁଖ ପ୍ରକଳ୍ପ ଯଥା, ସାମାଜିକ ପ୍ରସଙ୍ଗ ବିଭାଗରେ ‘ସୋସିଆଲ୍‌ ସ୍ମାର୍ଟ ଭୁବନେଶ୍ବର’ ଓ ସ୍ବତନ୍ତ୍ର ପ୍ରକଳ୍ପ ବିଭାଗରେ ‘ଭୁବନେଶ୍ବର.ମି’ ପୋର୍ଟାଲ ପାଇଁ ଭୁବନେଶ୍ବରକୁ ଏହି ପୁରସ୍କାର ମିଳିଛି। କେନ୍ଦ୍ର ସରକାରଙ୍କ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ‘ସ୍ମାର୍ଟ ସିଟି ମିସନ୍‌’ର ଷଷ୍ଠ ବାର୍ଷିକୋତ୍ସବ ପାଳନ ଅବସରରେ ଦେଶର ସମସ୍ତ ସ୍ମାର୍ଟ ସିଟି ମଧ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଆଜି ଅପରାହ୍ନରେ ଦିଲ୍ଲୀରେ ମନ୍ତ୍ରାଳୟ ପକ୍ଷରୁ ଆଇଏଏସ୍‌ସି-୨୦୨୦ ପୁରସ୍କାର ଘୋଷଣା କରାଯାଇଛି। ଏହି ପ୍ରତିଯୋଗିତାରେ ଦେଶର ସମସ୍ତ ୧୦୦ଟି ସ୍ମାର୍ଟ ସିଟି ଅଂଶଗ୍ରହଣ କରିଥିଲେ।

ସାମାଜିକ ପ୍ରସଙ୍ଗ ବିଭାଗରେ ‘ସୋସିଆଲ୍‌ ସ୍ମାର୍ଟ ଭୁବନେଶ୍ବର’ ପ୍ରକଳ୍ପ ପାଇଁ ଭୁବନେଶ୍ବର ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ପ୍ରଥମ ସ୍ଥାନରେ ରହିଛି ଆନ୍ଧ୍ରପ୍ରଦେଶର ସ୍ମାର୍ଟସିଟି ତିରୁପତି। ସେହିପରି ତୃତୀୟ ସ୍ଥାନରେ କର୍ଣ୍ଣାଟକର ତୁମାକୁରୁ ସହର ରହିଛି। ଅନ୍ୟପକ୍ଷରେ ସ୍ବତନ୍ତ୍ର ପ୍ରକଳ୍ପ ବିଭାଗରେ ଗୁଜୁରାଟର ଭୋଦଦରା ସହର ପ୍ରଥମ ଓ ମହାରାଷ୍ଟ୍ରର ଥାନେ ସହର ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ‘ଭୁବନେଶ୍ବର.ମି’ ପୋର୍ଟାଲ ପାଇଁ ଭୁବନେଶ୍ବର ତୃତୀୟ ସ୍ଥାନ ଅଧିକାର କରିଛି। ଏହି ପୁରସ୍କାର ମିଳିବା ପରେ ସ୍ମାର୍ଟସିଟିର ସିଇଓ ସଞ୍ଜୟ କୁମାର ସିଂହ ଖୁସି ବ୍ୟକ୍ତ କରି କହିଛନ୍ତି, ଆମେ ଆମ ନୂତନ ପରିକଳ୍ପନା ଓ ଯୋଜନା ଦ୍ବାରା ଏହି ପୁରସ୍କାର ପାଇବା ସମ୍ଭବ ହୋଇଛି। ଭବିଷ୍ୟତରେ ଏହି ଭଳି ଆହୁରି ଅନେକ ନାଗରିକଭିତ୍ତିକ ପ୍ରକଳ୍ପ ଆସିବ ବୋଲି ସେ କହିଛନ୍ତି।

ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌) ଓ ୟୁଏନ୍‌ଏଫ୍‌ପିଏର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ଲୋକଭିତ୍ତିକ କାର୍ଯ୍ୟକ୍ରମ ହେଉଛି ‘ସୋସିଆଲ୍‌ ସ୍ମାର୍ଟ ଭୁବନେଶ୍ବର’। ଏହା ସହରର ଯୁବପିଢ଼ିଙ୍କ ସମୃଦ୍ଧି, ସୁରକ୍ଷା ଓ ସମାନତା ଦିଗରେ କାର୍ଯ୍ୟ କରିଥାଏ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ‘ହମାରା ବଚପନ୍‌’ କାର୍ଯ୍ୟାନ୍ବୟନ ଅଂଶୀଦାର ଭାବେ କାର୍ଯ୍ୟ କରୁଛି। ଏହି କାର୍ଯ୍ୟକ୍ରମ ଦ୍ବାରା ଭୁବନେଶ୍ବରକୁ ଭିତ୍ତିଭୂମି, ଅର୍ଥନୈତିକ, ‌ବୈଷୟିକ ଜ୍ଞାନକୌଶଳ ଆଦି ଦିଗରେ ଏକ ଆନ୍ଦୋଳନ ସୃଷ୍ଟି କରିବା ସହ ଲୋକଙ୍କ ଜୀବନଧାରଣର ମାନ ବଢ଼ାଇବାର ଅଭିପ୍ରାୟ ରହିଛି। ଏହା ଫଳରେ ଉନ୍ନତମାନର ସହର ଓ ସମ୍ପ୍ରଦାୟ ଗଠନ ଦିଗରେ ଉଦ୍ଦେଶ୍ୟ ଚରିତାର୍ଥ ହୋଇପାରିବ। ୨୦୧୭ ମସିହା ଜାନୁଆରି ପହିଲାରୁ ଭୁବନେଶ୍ବରର ୮ଟି ବସ୍ତି ଅଞ୍ଚଳରୁ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଏହା ୧୦୦ଟି ବସ୍ତି ଓ ୮୦ଟି ଶିକ୍ଷାନୁଷ୍ଠାନକୁ ସଂପ୍ରସାରିତ ହୋଇସାରିଛି। ଉଭୟ ସାଂପ୍ରଦାୟିକ ଓ ଆନୁଷ୍ଠାନିକ ସ୍ତରରେ ଯୁବପିଢ଼ି ହିଁ ଏହାର ପ୍ରମୁଖ ହିତାଧିକାରୀ ଅଟନ୍ତି। ଏକ ଯୁବକୈନ୍ଦ୍ରୀୟ ତଥା ଯୁବନେତୃତ୍ବାଧୀନ ସାମାଜିକ ବ୍ୟବସ୍ଥା ସୃଷ୍ଟି କରିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ। ଏହା ଫଳରେ ସହରର ନାଗରିକମାନେ ଯେକୌଣସି ପ୍ରକଳ୍ପ ସହ ଯୋଡ଼ି ହୋଇପାରିବେ। ଏଥି ସହ ବସ୍ତି ଅଞ୍ଚଳର ମହିଳାମାନଙ୍କର ସାମାଜିକ, ସ୍ବାସ୍ଥ୍ୟଗତ ଓ ଅନ୍ୟାନ୍ୟ ବିକାଶ କ୍ଷେତ୍ରରେ ମଧ୍ୟ ଏହା କାର୍ଯ୍ୟରତ। ଏହି ପ୍ରକଳ୍ପ ଅଧୀନରେ ପ୍ରଗତି ସାଥୀ ସ୍ବେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷିତ କରାଯାଉଛି। ଏମାନେ ମହିଳାମାନଙ୍କ ସ୍ବାସ୍ଥ୍ୟ, ସ୍ବଚ୍ଛତା ଓ ସାମାଜିକ ପ୍ରସଙ୍ଗ ଉପରେ କାର୍ଯ୍ୟ କରିବା ସହ ମହିଳାଙ୍କ ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି। ସେହିପରି ଭୁବନେଶ୍ବର ପ୍ରଶାସନରେ ସ୍ବଚ୍ଛତା ଆଣିବା ପାଇଁ ଭୁବନେଶ୍ବର.ମି (bhubaneswar.me) ପୋର୍ଟାଲର ଆରମ୍ଭ କରାଯାଇଛି। ଏହା ଦ୍ବାରା ସହରର ନାଗରିକମାନେ ଦରଖାସ୍ତ ଦେଇ ସାଧାରଣ ସେବାର ଆବଶ୍ୟକତାକୁ ପୂରଣ କରିପାରିବେ। ଏହି ପୋର୍ଟାଲ ବର୍ତ୍ତମାନ ସୁଦ୍ଧା ୧୬ଟି ସରକାରୀ ଅନୁଷ୍ଠାନର ୧୦୦ରୁ ଅଧିକ ନାଗରିକ ସେବା ଯୋଗାଇ ଦେଉଛି। ଲୋକଙ୍କ ସୁବିଧାକୁ ନଜରରେ ରଖି ଏହି ନାଗରିକ ସେବାକୁ ୯ଟି ବିଭାଗରେ ବ୍ୟବସ୍ଥିତ କରାଯାଇଛି। ଯେପରିକି ସୁରକ୍ଷିତ ଜନ ପରିବହନ, ହାଇସ୍ପିଡ୍‌ ୱାଇଫାଇ ସେବା, ନାଗରିକ ‌ସେବା, ସିଟି ଇଭେଣ୍ଟ୍‌ସ୍‌ ଓ ସିଟି ମ୍ୟାପ୍‌। ଏବେ ସୁଦ୍ଧା ଏହି ପୋର୍ଟାଲର ୪ ଲକ୍ଷରୁ ଅଧିକ ବ୍ୟବହାରକାରୀ ରହିଥିବା ବେଳେ ଏହି ପୋର୍ଟାଲ ଜରିଆରେ ପ୍ରାୟ ୨ ଲକ୍ଷରୁ ଅଧିକ ଅଭିଯୋଗର ସମାଧାନ ହୋଇପାରିଛି।

ସମ୍ବନ୍ଧିତ ଖବର