ଭୁବନେଶ୍ବର: ଭାରତର ସମ୍ବିଧାନ ଅନୁସାରେ ଆମ ଦେଶ କିଛି ରାଜ୍ୟର ସମାହାର। ପ୍ରତି ରାଜ୍ୟର ନିଜସ୍ବ ଭାଷା, ସଂସ୍କୃତି ରହିଛି। ପ୍ରତି ରାଜ୍ୟ ପାଖରେ କିଛି ନିଜସ୍ବ ଆଇନ ବ୍ୟବସ୍ଥା ମଧ୍ୟ ରହିଛି। କିନ୍ତୁ ସ୍ବାଧୀନତା ପରେ ସମ୍ବିଧାନରେ ସଂଶୋଧନ କରାଯାଇ ସଂଘୀୟ ବ୍ୟବସ୍ଥାକୁ ଆଂଶିକ ଭାବେ ଯୋଡ଼ାଯାଇଛି। କିନ୍ତୁ ଯେପରି ଆମେରିକାର ସମ୍ବିଧାନ ସଂପୂର୍ଣ୍ଣ ଭାବେ ସଂଘୀୟ ବ୍ୟବସ୍ଥାକୁ ଆପଣାଇଛି, ଭାରତୀୟ ସମ୍ବିଧାନର ସେପରି ହୋଇପାରି ନାହିଁ ବୋଲି ଗୀତଗୋବିନ୍ଦ ସଦନରେ ଆୟୋଜିତ ଲୋକନାଥ ଚୌଧୁରୀ ଶତବାର୍ଷିକୀ ବକ୍ତୃତାରେ ଯୋଗଦେଇ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଜେ ଚେଲମେଶ୍ବର କହିଛନ୍ତି। ଆଜି ଲୋକନାଥ ଚୌଧୁରୀ ସ୍ମାରକୀ ଟ୍ରଷ୍ଟ ଲୋକମତ ପକ୍ଷରୁ ‘କେତେ ସଂଘୀୟ ଆମ ସମ୍ବିଧାନ’ ବିଷୟବସ୍ତୁ ଉପରେ ଅନୁଷ୍ଠିତ ଏହି ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମରେ ଟ୍ରଷ୍ଟର ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ ସଭାପତିତ୍ବ କରିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ଜଷ୍ଟିସ୍ ଚେଲମେଶ୍ବର କହିଥିଲେ ଯେ ସ୍ବାଧୀନତା ପାଇବା ପରେ ଭାରତ ଉପନିବେଶରୁ ମୁକୁଳିଥିବାର ଆମେ ଜାଣିଛେ। କିନ୍ତୁ ଆମେ ଏବେବି ସେହି ଉପନିବେଶ ପରମ୍ପରାକୁ ଅନୁସରଣ କରୁଛୁ। ଭାରତୀୟ ସମ୍ବିଧାନ ଏହି ଉପନିବେଶର ପରମ୍ପରାକୁ ଏବେବି ବଜାୟ ରଖିଛି।
ଲୋକନାଥ ଚୌଧୁରୀ ଶତବାର୍ଷିକୀ ବକ୍ତୃତା
କିଛି ଦିନ ତଳେ ରାଷ୍ଟ୍ରପତି ସୁପ୍ରିମକୋର୍ଟକୁ ଯେଉଁ କିଛି ପ୍ରଶ୍ନ ଆଧାରିତ ଚିଠି ଲେଖିଛନ୍ତି ସେହି ପ୍ରଶ୍ନର ଉତ୍ତର ଦେଇ ଜଷ୍ଟିସ୍ ଚେଲମେଶ୍ବର କହିଥିଲେ ଯେ, ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର। କାର୍ଯ୍ୟାପାଳିକା ଓ ବ୍ୟବସ୍ଥାପିକା ଦ୍ବାରା ଏକ ଆଇନ ତିଆରି ହେବା ପରେ ଏବଂ ସର୍ବାଧିକ ନିର୍ବାଚିତ ପ୍ରତିନିଧିଙ୍କ ଦ୍ବାରା ଭୋଟ ପାଇ ଦୁଇ ସର୍ବୋଚ୍ଚ ଗୃହରେ ପାସ୍ ହେବା ପରେ ରାଷ୍ଟ୍ରପତିଙ୍କ ପାଖରୁ ଆସିଥାଏ। ରାଷ୍ଟ୍ରପତି ଗଣତନ୍ତ୍ରରେ ନିର୍ବାଚିତ ପ୍ରତିନିଧିଙ୍କ ଦ୍ବାରା ମନୋନୀତ ହୋଇଥା’ନ୍ତି। ସେ ଆଇନକୁ ଅଟକାଇ ରଖିବା ଠିକ୍ ନୁହେଁ ବୋଲି ଏହା ମୋର ନିଜସ୍ବ ମତ। ରାଷ୍ଟ୍ରପତି ନ୍ୟାୟପାଳିକାଠାରୁ କିଛି ପରାମର୍ଶ ଲୋଡ଼ି ପାରିଥାନ୍ତି। କିନ୍ତୁ ରାଷ୍ଟ୍ରପତି ସର୍ବୋଚ୍ଚ ନ୍ୟାୟାଳୟକୁ ପ୍ରଶ୍ନ ପଚାରିବା ଠିକ୍ ନୁହେଁ। ଯଦି ଆଇନରେ କିଛି ସଂଶୋଧନ ଦରକାର ହୁଏ ତେବେ ଏଥିପାଇଁ ନ୍ୟାୟପାଳିକା ରହିଛି। କିନ୍ତୁ ଏହା ଉପରେ ଅଧିକ ବିତର୍କ ଆବଶ୍ୟକ ବୋଲି ସେ କହିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଦସ୍ୟ ଦେବ ପରିଜା ପରିଚାଳନା କରିଥିବା ବେଳେ ପରିଚାଳନା ଟ୍ରଷ୍ଟି ରାମକୃଷ୍ଣ ପଣ୍ଡା, ଅଶୋକ ସାହୁ, ପ୍ରଶାନ୍ତ ମିଶ୍ର, ଲୋକନାଥ ଚୌଧୁରୀଙ୍କ ଝିଅ ସଞ୍ଜୁବାଳା ଜେନା, ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ସିପିଏମ୍ର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ବିଜୟ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।