ସମସ୍ତଙ୍କୁ ସ୍ବୀକାର କରିବା ଓ ଭଲ ପାଇବା ହେଉଛି ଭାରତର ଆଦର୍ଶ: ରାଜ୍ୟପାଳ

ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ସ୍ବନକ୍ଷତ୍ର ଉତ୍ସବ

ଭୁବନେଶ୍ବର: ପାରମ୍ପରିକ ଭାରତୀୟ ଶିକ୍ଷା ପଦ୍ଧତି ପାଶ୍ଚାତ୍ୟ ପ୍ରଭାବରେ ନଷ୍ଟଭ୍ରଷ୍ଟ ହୋଇଯାଇଛି। ଏହାର ପୁନଃସ୍ଥାପନ ଏକାନ୍ତ ଜରୁରୀ। ଏ‌ କ୍ଷେତ୍ରରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର କାର୍ଯ୍ୟଧାରା ବେଶ ପ୍ରଶଂସନୀୟ ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ଆଜି ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ସପ୍ତଦଶ ସ୍ବନକ୍ଷତ୍ର ଉତ୍ସବରେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଲାଲ୍‌ କହିଲେ, ଭାରତୀୟ ଶିକ୍ଷା ଦର୍ଶନର ବିଶେଷତାକୁ ଅନୁଭବ କରିବାକୁ ପଡ଼ିବ। ଭାରତ ପାଇଁ ଆବଶ୍ୟକ ଶିକ୍ଷା ବ୍ୟବସ୍ଥା ପ୍ରଚଳନ କରିବା ଦରକାର। ସମସ୍ତଙ୍କୁ ସ୍ବୀକାର କରିବା ଓ ସମସ୍ତଙ୍କୁ ପ୍ରେମ କରିବା ହେଉଛି ଭାରତର ଆଦର୍ଶ। ସମଗ୍ର ବିଶ୍ବକୁ ଭାରତ ହିଁ ମାର୍ଗଦର୍ଶନ କରିପାରିବ ବୋଲି ରାଜ୍ୟପାଳ ପ୍ରଫେସର ଲାଲ୍‌ କହିଛନ୍ତି।

ଆଜିର କାର୍ଯ୍ୟକ୍ରମ‌ରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଅତିଥି ଭାବେ ଯୋଗଦେଇ ମୂଲ୍ୟବୋଧ ଓ ଦେଶଭକ୍ତିର ଶିକ୍ଷାଦାନ ଦ୍ବାରା ଲକ୍ଷାଧିକ ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ ଭାବେ ଗଢ଼ି ତୋଳିବାରେ ସଂସ୍ଥାନର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ। ସଂସ୍ଥାନର ପ୍ରତିଷ୍ଠାତା ତଥା ସହାସଚିବ କରୁଣାକର ପ୍ରଧାନ ସଂସ୍ଥାନର କାର୍ଯ୍ୟ ଓ କାର୍ଯ୍ୟଧାରା ଉପରେ ଆଲୋକପାତ କରିଥିଲେ। ବିଶିଷ୍ଠ ସଙ୍ଗୀତଜ୍ଞ ଲକ୍ଷ୍ମୀକାନ୍ତ ପାଲିତ୍‌ଙ୍କୁ ଏହି ଅବସରରେ ‘କାନ୍ତକବି ଲକ୍ଷ୍ମୀକାନ୍ତ ସମ୍ମାନ’ରେ ସମ୍ମାନିତ କରାଯାଇଛି। ପୁରସ୍କାର ବାବଦକୁ ତାଙ୍କୁ ୫୧ ହଜାର ଟଙ୍କାର ନଗଦ ଅର୍ଥରାଶି ପ୍ରଦାନ କରାଯାଇଛି। ଉତ୍କଳ ଜନନୀ ପୂଜନ ସମିତିର ରାଜ୍ୟ ସଭାପତି ଅବସର ବେଉରିଆ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ଉତ୍ସବରେ ଘାଟିକିଆ, ରସୁଲଗଡ଼, ଏରୋଡ୍ରମ୍‌, ସାମନ୍ତରାପୁରର ଶିଶୁ ମନ୍ଦିରର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ସଂସ୍ଥାନର ରାଜ୍ୟ ସଭାପତି ପ୍ରସନ୍ନ କୁମାର ମହାପାତ୍ର ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୌରାଙ୍ଗ ବିଶ୍ବାଳ, ଲକ୍ଷ୍ମୀଧର ଆଚାର୍ଯ୍ୟ, ଆଲୋକପ୍ରଭା ମହାନ୍ତି, ଶୈବାଳିନୀ ପରିଡ଼ା, ରୀତା ମହାପାତ୍ର, ବିଶ୍ବନାଥ ପ୍ରଧାନ ଓ ଅକ୍ଷୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର