ଭୁବନେଶ୍ବରରେ ପ୍ରତି‌ଷ୍ଠା ହେବ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲ’

କିଟ୍ ଓ ବିସିଆଇ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ

ଚନ୍ଦ୍ରଶେଖରପୁର : କିଟ୍‌ ଓ ବାର୍‍ କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆ (ବିସିଆଇ) ସହଭାଗିତାରେ ଭୁବନେଶ୍ୱରରେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲ’(ଆଇଆଇଏଲ୍‌) ପ୍ରତିଷ୍ଠା ହେବ। ଏନେଇ ଆଜି ନୂଆଦିଲ୍ଲୀସ୍ଥିତ କନ୍‍ଷ୍ଟିଚ୍ୟୁସନ୍‍ କ୍ଲବରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ବାର୍‍ କାଉନ୍‍ସିଲ୍‍ର ଅଧ୍ୟକ୍ଷ ମନନ କୁମାର ମିଶ୍ର, ସଭାପତି ଶ୍ରୀମନ୍ତୋ ସେନ୍‍ଙ୍କଠାରୁ ଆରମ୍ଭ କରି ବାର୍‍ କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆର ସମସ୍ତ ସମସ୍ୟ ଉପସ୍ଥିତ ଥିଲେ। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯୋଗ ଦେଇ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ କିଟ୍‍ ଓ ବିସିଆଇ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇ ପରସ୍ପର ମଧ୍ୟରେ ହସ୍ତାନ୍ତର ହୋଇଥିଲା।

ବାର୍‍ କାଉନ୍‍ସିଲ୍‍ର ଅଧ୍ୟକ୍ଷ ଶ୍ରୀ ମିଶ୍ର ସାମ୍ବାଦିକଙ୍କୁ ସୂଚନା ଦେଇ କହିଲେ, କେତେକ ଅନିବାର୍ଯ୍ୟ କାରଣ ହେତୁ ବିସିଆଇର ଆଇଆଇଏଲ୍‍ ପ୍ରତିଷ୍ଠା ପରିକଳ୍ପନା କାର୍ଯ୍ୟକାରୀ ହୋଇପାରି ନଥିଲା। ଶେଷରେ ବିସିଆଇ ଓ ବିସିଆଇ ଟ୍ରଷ୍ଟର ସଦସ୍ୟମାନେ କିଟ୍‍ ଓ କିସ୍‍ କ୍ୟାମ୍ପସ୍‍ ବୁଲିବା ପରେ ବିଶିଷ୍ଟ ଶିକ୍ଷାବିତ୍‍, କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ସହ ଯୋଗାଯୋଗ କରିଥିଲେ। କିଟ୍‍ ବିଶ୍ୱବିଦ୍ୟାଳୟ ସହଯୋଗରେ ବିସିଆଇର ସଦସ୍ୟମାନେ ଭୁବନେଶ୍ୱରଠାରେ ଆଇଆଇଏଲ୍‍ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଓ ଏକମତ ହୋଇଥିଲେ। ତଦନୁସାରେ ବିସିଆଇ କିଟ୍‍ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଏହି ବୁଝାମଣାପତ୍ର ଅନୁସାରେ ଭୁବନେଶ୍ୱରରେ କିଟ୍‍ ଆବଶ୍ୟକ ଜମି ଯୋଗାଇଦେବା ସହ ୧.୫ ଲକ୍ଷ ବର୍ଗଫୁଟ ଜମିରେ ପ୍ରସ୍ତାବିତ ଆଇଆଇଏଲ୍‍ ଭିତ୍ତିଭୂମି ନିର୍ମାଣର ୪୦ ପ୍ରତିଶତ ଖର୍ଚ୍ଚ ବହନ କରିବ। ବିଶ୍ୱ ତଥା ଭାରତ ଓ ଓଡ଼ିଶାର ଶିକ୍ଷା ମାନଚିତ୍ରରେ ଆଇଆଇଏଲ୍‍ ପ୍ରତିଷ୍ଠା ଆଇନ ଶିକ୍ଷା କ୍ଷେତ୍ରରେ ପ୍ରଭାବ ପକାଇବ। ନିରନ୍ତର ଆଇନ ଶିକ୍ଷା, ବୃତ୍ତିଗତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ରିଫ୍ରେସର୍‍ କୋର୍ସ ଏବଂ ମଧ୍ୟସ୍ଥତା ଓ ଆପୋସ ବୁଝାମଣା ଭଳି ବିକଳ୍ପ ବିବାଦ ସମାଧାନ ବିଧି ପାଇଁ ଶିକ୍ଷଣ ପାଠ୍ୟକ୍ରମ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଆଇଆଲଏଲରେ ଚାଲୁ ରହିବ। ବିଭିନ୍ନ ଶିକ୍ଷଣ କେନ୍ଦ୍ର ଅଧୀନରେ ଆଇଆଇଏଲ୍‍ ଆଇନ, ନ୍ୟାୟ ଓ ସାମାଜିକ ବିକାଶର ସମସ୍ତ ଦିଗରେ ଗବେଷଣା କରିବ। ଆଇନ ତାଲିମ ନେଉଥିବା ଆଇନଜୀବୀ ଏବଂ ନିରନ୍ତର ଆଇନ ଶିକ୍ଷା ଉଦ୍ଦେଶ୍ୟରେ ଆଇନ ଶିକ୍ଷା ପାଇଁ ବିଭିନ୍ନ ପ୍ରକାର ଆଇନ ବିଷୟ ଉପରେ କେସ୍‍ବହି, ପତ୍ରିକା, ଡାଇଜେଷ୍ଟ ଓ ସମ୍ବାଦପତ୍ର (ଉଭୟ ଛାପା ଓ ଅନଲାଇନ୍‍) ଆଇଆଇଏଲ୍‍ ଦ୍ୱାରା ପ୍ରକାଶ କରାଯିବ।

ସୂଚନାଯୋଗ୍ୟ, ବାର୍‍ କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆ (ବିସିଆଇ) ଦେଶରେ ଆଇନ ଶିକ୍ଷା ଓ ଆଇନ ବୃତ୍ତିର ପ୍ରୋତ୍ସାହନ ଓ ନିୟନ୍ତ୍ରଣ ନିମନ୍ତେ ଅଧିବକ୍ତା ଆଇନ ୧୯୬୧ ଅନୁସାରେ ସଂସଦ ଦ୍ୱାରା ସୃଷ୍ଟି ହୋଇଥିବା ଏକ ବୈଧାନିକ ସଂସ୍ଥା। ଉଭୟ ଆଇନ ଶିକ୍ଷା ଓ ବୃତ୍ତିର ପ୍ରୋତ୍ସାହନ, ଆଇନ କ୍ଷେତ୍ରରେ ସଂସ୍କାର ଏବଂ ଗବେଷଣା ଓ ସାମାଜିକ ତାଲିମର ବିକାଶ ପାଇଁ ବାର୍‍ କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆର ଟ୍ରଷ୍ଟ ପକ୍ଷରୁ ଇଣ୍ଡିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଲ (ଆଇଆଇଏଲ୍), ପ୍ରତିଷ୍ଠା କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର