ଫେବ୍ରୁଆରି ୧୭ରେ ‘ପ୍ରୟାସ’ ପକ୍ଷରୁ ସାମୂହିକ ବିବାହ

ଭୁବନେଶ୍ବର : ଆସନ୍ତା ମାସ ୧୭ତାରିଖରେ ସାମୂହିକ ବିବାହ ବନ୍ଧନରେ ବାନ୍ଧି ହେବେ ୨୫ ଯୋଡ଼ା ଯୁବକ-ଯୁବତୀ। ‘ପ୍ରୟାସ’ ପକ୍ଷରୁ ଆୟୋଜିତ ହେଉଥିବା ସାମୂହିକ ବିବାହ କାର୍ଯ୍ୟକ୍ରମ ରାମ ମନ୍ଦିର ପରିସରରେ ଅନୁଷ୍ଠିତ ହେବ। ଚଳିତବର୍ଷ ଆର୍ଥିକ ଅନଗ୍ରସର ଓ ଦୃଷ୍ଟିହୀନ ଶିକ୍ଷିତ ଯୁବକ/ଯୁବତୀ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି କହିଛନ୍ତି ଅନୁଷ୍ଠାନର ଅଧ୍ୟକ୍ଷ ବନ ମହାନ୍ତି।

ଆଜି ଶ୍ରୀରାମ ମନ୍ଦିର ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଲେ, ଯେଉଁ ଯୁବକ/ଯୁବତୀ ବିବାହ ବନ୍ଧନରେ ବାନ୍ଧି ହେବେ, ସେମାନଙ୍କର ବିବାହ ପଞ୍ଜୀକରଣ ଓ ରକ୍ତ ପରୀକ୍ଷା କରାଯିବ। ୨୫ ଯୋଡ଼ା ବ୍ରାହ୍ମଣ ଆର୍ଯ୍ୟ ସମାଜ ପ୍ରଥାରେ ବୈଦିକ ରୀତିରେ ବିବାହ କରାଇବେ। କନ୍ୟାଦାନ କରିବାକୁ ଚାହୁଥିବା ବ୍ୟକ୍ତିମାନେ ମଧ୍ୟ ଏହି ଦିନ କନ୍ୟାଦାନ କରିପାରିବେ। ତେବେ ବିବାହ ପୂର୍ବ ଦିନ ସଂଗୀତ, ନୃତ୍ୟ ଓ ନିର୍ବନ୍ଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରାଜ୍ୟପାଳ ଓ ଗଜପତି ମହାରାଜାଙ୍କୁ ଅନୁରୋଧ କରାଯାଇଛି। ତେବେ ଏଭଳି ଏକ ସାମାଜିକ କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ମାନ୍ୟତା ଦେଇ ନିଜ ହାତକୁ ନିଅନ୍ତୁ ବୋଲି ଦାବି କରାଯାଇଛି। ତାମିଲନାଡ଼ୁ ଓ ଆନ୍ଧ୍ରରେ ସରକାରଙ୍କ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ କରାଯାଉଛି। ଏ ପର୍ଯ୍ୟନ୍ତ ଅନୁଷ୍ଠାନ ପକ୍ଷରୁ ୧୦୦ ଯୋଡ଼ା ଯୁବକ/ଯୁବତୀଙ୍କ ସାମୂହିକ ବିବାହ ହୋଇସାରିଛି। ଜଣେ ଦମ୍ପତିଙ୍କୁ ବାଦ୍‌ ଦେଲେ ଅନ୍ୟମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ରହିଛି ବୋଲି ଶ୍ରୀ ମହାନ୍ତି କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଚାରପତି ସଂଜୟ ପଣ୍ଡା, ବଦ୍ରିନାଥ ପଟ୍ଟନାୟକ ଓ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର