ଭୁବନେଶ୍ବର: ‘ଭାରତୀୟ ଜାତୀୟ ଯକୃତ ଗବେଷଣା ସଂଘ’ ପକ୍ଷରୁ ଆସନ୍ତା ୩ରୁ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ସଂଘର ୩୧ତମ ବାର୍ଷିକ ସମାରୋହ। ଦେଶର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ଏହି ସମାରୋହ ଚଳିତ ବର୍ଷ ପାଇଁ ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଯାଉଛି। ହୋଟେଲ ମେ’ ଫେୟାର ପରିସରରେ ଆୟୋଜିତ ହେବାକୁ ଥିବା ଏହି ସମାବେଶରେ ଦେଶ ବିଦେଶରୁ ୧୫୦୦ରୁ ଅଧିକ ବ୍ୟକ୍ତି ଅଂଶ ଗ୍ରହଣ କରିବେ। ଏହି ଅବସରରେ ୨୨ ଜଣ ଅନ୍ତର୍ଜାତୀୟ ବିଶେଷଜ୍ଞ ଓ ଅନ୍ୟମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ଯକୃତ ରୋଗ ଓ ଏହାର ନିରାକରଣ ବା ଚିକିତ୍ସା ବାବଦରେ ବ୍ୟାପକ ଆଲୋଚନା କରାଯିବ ବୋଲି ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସଂଘର ସାଂଗଠନିକ ସମ୍ପାଦକ ଡାକ୍ତର ମନୋଜ ସାହୁ।

Advertisment

ସମାବେଶର ପ୍ରଥମ ଦିନ ୬ଟି ଅଧିବେଶନରେ ଯକୃତ ରୋଗ ଓ ତାହାର ଚିକିତ୍ସା ନେଇ ଆଲୋଚନା କାର୍ଯ୍ୟକ୍ରମ ରହିଛି। ଏଥିସହ ପୁଲିସ କର୍ମଚାରୀଙ୍କ ଯକୃତ ସୁରକ୍ଷିତ ରଖିବା ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହେବ। ଯେଉଁଥିରେ ୩୦୦ରୁ ଅଧିକ ପୁଲିସ ଅଧିକାରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିସହ ସ୍କାଉଟ, ଗାଇଡ୍ ଓ ଅନ୍ୟାନ୍ୟ ପିଲା ତଥା ବୟସ୍କମାନଙ୍କ ପାଇଁ ଯକୃତ ସୁରକ୍ଷା ନେଇ କର୍ମଶାଳା ଅନୁଷ୍ଠିତ ହେବ। ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ଏସ.ପି ସିଂହ ଓ ସାଧାରଣ ସମ୍ପାଦକ ପ୍ରଫେସର ଅଜୟ ଡିସୁଜା, ସହ ସାଂଗଠନିକ ସମ୍ପାଦକ ସୁଶାନ୍ତ କୁମାର ସେଠୀ ଓ ଡାକ୍ତର ମାନସ ପାଣିଗ୍ରାହୀ ଉପସ୍ଥିତ ଥିଲେ।