‘ଚଲୋ ଦେଖେଁ ଆପ୍‌ନା ଦେଶ’ରେ ଭାରତର ଭୂ-ସ୍ବର୍ଗ

ଭୁବନେଶ୍ବର: ଭାରତର ଭୂ-ସ୍ବର୍ଗ କୁହାଯାଉଥିବା ଜାମ୍ମୁ-କାଶ୍ମୀର ପର୍ଯ୍ୟଟନର ସମ୍ଭାରରେ ଭରପୂର। ତୁଷାରାଚ୍ଛାଦିତ ପର୍ବତ, ବନ୍ୟପ୍ରାଣୀ, ଆଞ୍ଚଳିକ ହସ୍ତଶିଳ୍ପ ଓ ଆତିଥେୟତା ପାଇଁ ଏହି କେନ୍ଦ୍ରଶାସିତ ଅଞ୍ଚଳ ବିଶ୍ବବିଖ୍ୟାତ। ପ୍ରତିବର୍ଷ ଏଠାକୁ ଦେଶବିଦେଶରୁ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ଏଠାରେ ଥିବା ମା’ ବୈଷ୍ଣୋଦେବୀ, ବାବା ଅମରନାଥ ଗୁମ୍ଫା, ଚଣ୍ଡୀମାତା ମନ୍ଦରି, ତୁଲିପ୍‌ ଗାର୍ଡେନ୍‌, ଶଲିମାର ବାଗ, ମୋଗଲ ଗାର୍ଡେନ୍‌, ଗୁଲମାର୍ଗ, ଡାଲ ହ୍ରଦ ଭଳି ଆଧ୍ୟାତ୍ମିକ ଓ ପର୍ଯ୍ୟଟନସ୍ଥଳ ପର୍ଯ୍ୟଟକଙ୍କୁ ଅତିମାତ୍ରାରେ ଆକୃଷ୍ଟ କରିଥାଏ।

କିନ୍ତୁ କୋଭିଡ୍‌ ମହାମାରୀ ଯୋଗୁଁ ପୂରା ଦେଶର ପର୍ଯ୍ୟଟନ ଶିଳ୍ପ ଭୀଷଣ ଭାବେ ପ୍ରଭାବିତ ହୋଇଥିବା ବେଳେ ଜାମ୍ମୁ-କାଶ୍ମୀର ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ତେଣୁ ଜାମ୍ମୁ-କାଶ୍ମୀରର ପର୍ଯ୍ୟଟନକ୍ଷେତ୍ରକୁ ପ୍ରୋତ୍ସାହିତ କରିବା ନିମନ୍ତେ ଭୁବନେଶ୍ବରର ହୋଟେଲ ତାଜ୍‌-ଭିଭାନ୍ତାରେ ଆୟୋଜିତ ‘ଚଲୋ ଦେ‌ଖେଁ ଆପ୍‌ନା ଦେଶ’ ମହାକୁମ୍ଭରେ ଭାଗ ନେଇଛି ଜାମ୍ମୁ-କାଶ୍ମୀର ପର୍ଯ୍ୟଟନ ବିଭାଗ।

ଦୁଇ ଦିନ ଧରି (ଶୁକ୍ର ଓ ଶନିବାର) ଆୟୋଜିତ ହେବାକୁ ଯାଉଥିବା ଏହି କାର୍ଯ୍ୟକ୍ରମରେ ଜାମ୍ମୁ-କାଶ୍ମୀରର ପର୍ଯ୍ୟଟନ କ୍ଷେତ୍ର ପ୍ରଦର୍ଶିତ କରାଯିବା ସହ ପର୍ଯ୍ୟଟନ ଅଫର୍‌, ଆଗାମୀ କାର୍ଯ୍ୟକ୍ରମ ଉପରେ ବିଭାଗ ପକ୍ଷରୁ ଟୁର୍‌ ଅପରେଟର୍‌ ଓ ଗଣମାଧ୍ୟମକୁ ସୂଚନା ଦିଆଯିବ। ଆଜି ଜାମ୍ମୁ-କାଶ୍ମୀର ପର୍ଯ୍ୟଟନ ବିଭାଗ ପକ୍ଷରୁ ହୋଟେଲ ଏମ୍ପାୟାର୍‌ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପର୍ଯ୍ୟଟନ ଉନ୍ନୟନ ପ୍ରାଧିକରଣର ସିଇଓ ବିବେକ ପୁରୀ ଏହି ସୂଚନା ଦେଇଛନ୍ତି। ପର୍ଯ୍ୟଟନ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଅସାନ୍‌ ଉଲ୍‌-ହକ୍‌ ଚିସ୍ତି ଭ୍ରମଣ ବ୍ୟବସାୟ ଓ ଗଣମାଧ୍ୟମଗୁଡ଼ିକୁ ଜାମ୍ମୁ-କାଶ୍ମୀରର ପର୍ଯ୍ୟଟନ କ୍ଷେତ୍ରକୁ ଓଡ଼ିଶାରେ ପ୍ରୋତ୍ସାହିତ କରିବାକୁ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର