ଭାରତୀୟ ଶକ୍ତି କଂଗ୍ରେସର ଜାତୀୟ ଆଲୋଚନାଚକ୍ର

ଭୁବନେଶ୍ୱର: ଭାରତୀୟ ଶକ୍ତି କଂଗ୍ରେସ ପକ୍ଷରୁ ସିଲିକନ ବୈଷୟିକ ପ୍ରତିଷ୍ଠାନର ସମ୍ମିଳନୀ କକ୍ଷରେ ଶନିବାର ‘ସବୁଜ ପୃଥିବୀ ପାଇଁ ଶକ୍ତିର ବୈଷୟିକ କୌଶଳର ଅଭିବୃ୍ଦ୍ଧି’ ଶୀର୍ଷକ ଦିନିକିଆ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଶକ୍ତି କଂଗ୍ରେସର ଜାତୀୟ ସଭାପତି ପ୍ରଭାକର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ଜଳ ବିଦ୍ୟୁତ୍‌ ନିଗମର ଅଧ୍ୟକ୍ଷ ବିଷ୍ଣୁପଦ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଏଥିରେ ପ୍ରଶାସକ ଅନୁପମ ଶାହ ଓ ଟାଟା ପାୱାର, ଉତ୍ତରାଞ୍ଚଳର ମୁଖ୍ୟନିର୍ବାହୀ ଭାସ୍କର ସରକାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ମୁଖ୍ୟ ଅତିଥି ଶ୍ରୀ ସେଠୀ ଓଡ଼ିଶା ସରକାରଙ୍କ ଅକ୍ଷୟ ଶକ୍ତିର ଉତ୍ପାଦନ ଓ ବିତରଣ ସମ୍ପର୍କରେ ତଥ୍ୟଭିତ୍ତିକ ବକ୍ତବ୍ୟ ରଖିଥିଲେ। ରେଙ୍ଗାଲିରେ ୩୦୦ ମେଗାୱାଟ୍‌ ସୌରଶକ୍ତି ଉତ୍ପାଦନ କେନ୍ଦ୍ର ଖୁବ୍‌ଶୀଘ୍ର ପ୍ରତିଷ୍ଠା ହେବ ବୋଲି ସେ କହିଥିଲେ। ସଭାପତି ଶ୍ରୀ ସ୍ବାଇଁ ଦେଶରେ କିଭଳି ଅଧିକ ଅକ୍ଷୟ ଶକ୍ତି ଉତ୍ପାଦନ ହୋଇପାରିବ, ସେ ସମ୍ପର୍କରେ ଆଲୋଚନା କରିଥିଲେ।

ସିଲିକନର ନିର୍ଦ୍ଦେଶକ ସରୋଜକାନ୍ତ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ। ଶକ୍ତି କଂଗ୍ରେସର ମହାସଚିବ ପ୍ରଫେସର ପ୍ରଭାତ ପାଢ଼ୀ ଅତିଥି ପରିଚୟ ଦେବା ସହିତ ବିଷୟବସ୍ତୁ ଉପରେ ସୂଚନା ଦେଇଥିଲେ। ବିଭିନ୍ନ ଅଧିବେଶନରେ ପଶ୍ଚିମବଙ୍ଗର ଶିବପୁରସ୍ଥିତ ଆଇଆଇଇଏସ୍‌ଟିର ବିଦ୍ୟୁତ୍‌ ବିଭାଗ ଅଧ୍ୟକ୍ଷ ପ୍ରଫେସର ଚନ୍ଦନ କୁମାର ଚନ୍ଦା, ଓଇଆର୍‌ସିର ସଚିବ ପ୍ରିୟବ୍ରତ ପଟ୍ଟନାୟକ, ଆଇଆଇଟିର ପ୍ରଫେସର ଶ୍ରୀନିବାସ କରାଙ୍କି, ସି.ଏନ୍‌ ଭେଣ୍ଡି, ପ୍ରଫେସର ରାମପ୍ରସାଦ ପଣ୍ଡା ପ୍ରମୁଖ ବୈଷୟିକ ଅଧବେଶନରେ ନିବନ୍ଧ ଉପସ୍ଥାପନ କରିଥିଲେ। ବୈଷୟିକ ଅଧବେଶନରେ ପ୍ରଫେସର ରାଜେନ୍ଦ୍ର ପ୍ରସାଦ ମହାନ୍ତି, ପ୍ରଫେସର ଅଶୋକ ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ଦେଶର ବହୁ ଇଞ୍ଜିନିୟର ଓ ବୈଷୟିକ ବିଶେଷଜ୍ଞ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର