ଭୁବନେଶ୍ବର: ଦେଶବିଦେଶର ଯନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ହୋଇଛି ଭାରତୀୟ ରୋଡ୍ସ କଂଗ୍ରେସ୍(ଆଇଆରସି)। ବିଶାଳ ଆୟୋଜନ ସହ ବଡ଼ ତୋରଣ ଲଗାଯାଇ ଜନତା ମଇଦାନକୁ ସୁସଜ୍ଜିତ କରାଯାଇଛି। ବିମାନବନ୍ଦରଠାରୁ ଅଧିବେଶନ ସ୍ଥଳୀ ପର୍ଯ୍ୟନ୍ତ, ସବୁଠି ଦେଖିବାକୁ ମିଳୁଛି ଆଇଆର୍ସିର ଛିଟା। ପ୍ରତି ଛକରେ କଟ୍ଆଉଟ୍ ଲଗାଯିବା ସହ ରାସ୍ତାପାର୍ଶ୍ବରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଫଟୋ ଲାଗିଛି। ମୁଖ୍ୟସ୍ଥଳରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବିଶାଳ କଟ୍ଆଉଟ୍ ଲାଗିଛି। କେବଳ ସେତିକି ନୁହେଁ, ଆତିଥ୍ୟରେ ଯେପରି କୌଣସି ପ୍ରକାର ଉଣା ନ ହୁଏ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି। ଏଥିସହ ସଭାସ୍ଥଳରେ ଓଡ଼ିଆ ଅସ୍ମିତାର ଝଲକ ମଧ୍ୟ ଦେଖିବାକୁ ମିଳୁଛି। ଆଇଆର୍ସି ପାଇଁ ଜନତା ମଇଦାନରେ ନିର୍ମାଣ ହୋଇଥିବା ପ୍ରତିଟି ହଲ୍ ଓ ସଭାସ୍ଥଳର ନାମ ଓଡ଼ିଶାର ବରପୁତ୍ର, ନଦୀ ନାମରେ ନାମିତ ହୋଇଛି।
ମୁଖ୍ୟ ସଭାସ୍ଥଳ ସାମନ୍ତ ଚନ୍ଦ୍ରଶେଖରଙ୍କ ନାମରେ ନାମିତ ହୋଇଥିବା ବେଳେ ଡାଇନିଂ ହଲ୍ର ନାମ ଋଷିକୂଲ୍ୟା, ମହାନଦୀ ଆଦି ରଖାଯାଇଛି। ଏକାଥରେ ୫୦୦ରୁ ଅଧିକ ଅତିଥି ଖାଇବାକୁ ଏକାଧିକ ଡାଇନିଂ ହଲ୍ ନିର୍ମାଣ ହୋଇଛି। ପ୍ରବେଶପଥରେ ଝୋଟି ଅଙ୍କନ ହୋଇଛି, ଯାହାକି ଓଡ଼ିଆଙ୍କ କଳାକୃତିକୁ ବିଶ୍ବ ଦରକାରରେ ପହଞ୍ଚାଇବ। ପ୍ରଦର୍ଶନ କକ୍ଷରେ ଓଡ଼ିଶାର ଯନ୍ତ୍ରୀଙ୍କ ନିର୍ମାଣ ହୋଇଛି। ସିଏ କୋଣାର୍କର ସୂର୍ଯ୍ୟ ମନ୍ଦିର ହେଉ ଅବା ବରମୁଣ୍ଡା ବସ୍ଷ୍ଟାଣ୍ଡ। ନୂତନ ଓଡ଼ିଶା ନିର୍ମାଣରେ ଅଗ୍ରଦୂତ ସାଜିଥିବା ଯନ୍ତ୍ରୀଙ୍କ ପ୍ରତିଟି ଛବି ଏଠାରେ ଦେଖିବାକୁ ମିଳୁଛି। ମହିଳାମାନଙ୍କ ଦ୍ବାରା ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଆକର୍ଷଣ ପାଲଟିବ। ଏଥିପାଇଁ ସ୍ବତନ୍ତ୍ର ହଲ୍ ନିର୍ମାଣ ହୋଇଛି। ମହିଳାଙ୍କ ଦ୍ବାରା ଗୀତ ଗୋବିନ୍ଦ ପରିବେଷଣ, ଲାଇଭ୍ ସ୍ୟାଣ୍ଡ ଆନିମେସନ୍, ଧୁଡୁକି ନୃତ୍ୟ ପରିବେଷଣ, ଫ୍ୟାସନ୍ ସୋ’, ରୢାମ୍ପ ସୋ’, ମ୍ୟୁଜିକାଲ ସେସନ୍ରେ ମହିଳାମାନେ ଭାଗ ନେବେ। ଦେଶ ବିଦେଶରୁ ଆସୁଥିବା ଅତିଥିଙ୍କ ସ୍ବାସ୍ଥ୍ୟ, ଖାଦ୍ୟପେୟ, ସୁରକ୍ଷା ଅଧିକ ଫୋକସ୍ରେ ରହିଛି। ଅତିଥିମାନଙ୍କ ଯିବା ଆସିବା ପାଇଁ ଗାଡ଼ିଗୁଡ଼ିକ ପ୍ରସ୍ତୁତ ହୋଇଛି। ରାତି ସୁଦ୍ଧା ଏକ ହଜାରରୁ ଅଧିକ ଅତିଥି ଭୁବନେଶ୍ବରରେ ପହଞ୍ଚିଥିବା ଜଣାପଡ଼ିଛି। ‘ଅତିଥି ଦେବୋ ଭବଃ’ ବାର୍ତ୍ତାରେ ଅତିଥିଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତି ଶେଷ ହୋଇଛି। ଟ୍ରାଫିକ୍ ପରିଚାଳନା ଓ ସୁରକ୍ଷା ଉପରେ ବି ଗୁରୁତ୍ବ ଦିଆଯାଇଛି।
ଉନ୍ନତ ଓ ସୁରକ୍ଷିତ ରାସ୍ତା ପାଇଁ ମାନସମନ୍ଥନ
ସାରା ଦେଶରେ କିପରି ଉନ୍ନତ ଓ ସୁରକ୍ଷିତ ରାସ୍ତା ନିର୍ମାଣ କରାଯାଇପାରିବ ସେନେଇ ଇଞ୍ଜିନିୟର, ବିଶେଷଜ୍ଞ ଏକାଠି ମାନସମନ୍ଥନ କରିବେ। କେଉଁ ରାସ୍ତା କିପରି ନିର୍ମାଣ ହେବ, ଅଧିକ ଜ୍ଞାନକୌଶଳ ବ୍ୟବହାର କରି କିପରି କମ୍ ଖର୍ଚ୍ଚରେ ଦୀର୍ଘସ୍ଥାୟୀ ରାସ୍ତା ନିର୍ମାଣ କରାଯାଇପାରିବ, ବହୁମୁଖୀ ଫ୍ଲାଏଓଭର, ଦୁର୍ଘଟଣାଶୂନ୍ୟ ରାସ୍ତା ନିର୍ମାଣ ପାଇଁ କ’ଣ କ’ଣ ପଦକ୍ଷେପ ନେବାକୁ ହେବ ସେନେଇ ସଂକଳ୍ପ ପାରିତ ହେବ। ଏଥିପାଇଁ ଜନତା ମଇଦାନରେ ଭାରତୀୟ ରୋଡ୍ କଂଗ୍ରେସ (ଆଇଆର୍ସି)ର ୮୪ତମ ବାର୍ଷିକ ଅଧିବେଶନ ବସିବାକୁ ଯାଉଛି। ୪ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନରେ ୩୫୦୦ରୁ ଅଧିକ ପ୍ରତିନିଧି ଯୋଗଦେବେ।
ଏ ସଂପର୍କରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଆସନ୍ତାକାଲି କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କାର୍ଯ୍ୟକ୍ରମ ଉଦ୍ଘାଟନ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଜଣ ରାଷ୍ଟ୍ର ମନ୍ତ୍ରୀ, ଆଇଆର୍ସିର ସଭାପତି ପ୍ରମୁଖ ଯୋଗଦେବେ। ଓଡ଼ିଶାରେ ୬ଷ୍ଠ ଥର ଅର୍ଥାତ୍ ୧୦ବର୍ଷ ପରେ ପୁଣି ଥରେ ଭୁବନେଶ୍ବରରେ ଏହା ଆୟୋଜନ ହେଉଛି। ଏଥିରେ କେନ୍ଦ୍ର ସରକାରଙ୍କ ବିକଶିତ ଭାରତ ଓ ରାଜ୍ୟ ସରକାରଙ୍କ ବିକଶିତ ଓଡ଼ିଶାର ସ୍ବପ୍ନକୁ ସାକାର ପାଇଁ ରୋଡ ନେଟ୍ୱର୍କ ନକ୍ସା ପ୍ରସ୍ତୁତ ହେବ। ତେଣୁ ଯେଉଁ ସଂସ୍ଥାଗୁଡ଼ିକ ବିଭିନ୍ନ ସ୍ଥାନରେ ରାସ୍ତା, ବ୍ରିଜ୍ ଓ ଟନେଲ୍ ଆଦି ନିର୍ମାଣ କରୁଛନ୍ତି ସେଗୁଡ଼ିକ କିପରି ବିଶ୍ବସ୍ତରୀୟ ହେବ, ଦୀର୍ଘସ୍ଥାୟୀ ହେବ ଏବଂ ସୁରକ୍ଷିତ ହେବ ସେନେଇ ୪ଦିନ ମାନସମନ୍ଥନ ହେବ। ମୋଟ୍ ୧୯ଟି ବୈଷୟିକ ଅଧିବେଶନ ହେବ।
ଓଡ଼ିଶା ସଂପର୍କରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଆମେ ୫ବର୍ଷରେ ୭୫ହଜାର କିମି ରାସ୍ତା ନିର୍ମାଣ କରିବାକୁ ଯୋଜନା କରିଛୁ। ପୂର୍ତ୍ତ ବିଭାଗ ଏବେ ୧୫ହଜାର କିମି ରାସ୍ତା ନିର୍ମାଣ କରିବ। ଏହା ମୁଖ୍ୟତଃ ରାଜ୍ୟର ସାଂସ୍କୃତିକ ଐତିହ୍ୟ ଗୁରୁତ୍ବ ବହନ କରୁଥିବା ଅଞ୍ଚଳକୁ ସଂଯୋଗ କରି ନିର୍ମାଣ କରିବାକୁ ଯୋଜନା ହୋଇଛି। ୧ଲକ୍ଷ ଲୋକଙ୍କୁ ୧୧କିମି ରାସ୍ତା ନିର୍ମାଣ ଜାତୀୟ ହାର ଥିବାବେଳେ ଓଡ଼ିଶାରେ ଏହା ୧୩.୧୬କିମି ଅଛି ବୋଲି ମନ୍ତ୍ରୀ କହିଥିଲେ। ସଡ଼କ ପରିବହନ ଓ ଜାତୀୟ ରାଜପଥର ପୂର୍ବତନ ଡାଇରେକ୍ଟର ଜେନେରାଲ (ରାସ୍ତା ଉନ୍ନତୀକରଣ) ତଥା ଆଇଆର୍ସି ପରାମର୍ଶ କମିଟି ସଦସ୍ୟ ଧର୍ମାନନ୍ଦ ଷଡ଼ଙ୍ଗୀ କହିଛନ୍ତି, କେଉଁ ରାସ୍ତା କିପରି ନିର୍ମାଣ ହେବ ସେନେଇ ଗାଇଡ୍ଲାଇନ୍ ଜାରି ହୋଇଛି। କିନ୍ତୁ ବହୁ ରାଜ୍ୟ ଓ ନିର୍ମାଣକାରୀ ସଂସ୍ଥା ଏହାକୁ ପାଳନ କରୁନାହାନ୍ତି।ଏଣୁ ସଡ଼କ ଦୁର୍ଘଟଣା ଯେପରି କମିବା କଥା କମା ଯାଇପାରୁନି। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ତ୍ତ ସଚିବ ସଂଜୟ କୁମାର ସିଂହ, ଆଇଆର୍ସିର ସଭାପତି ମନୋରଂଜନ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।
/filters:format(webp)/sambad/media/media_files/2025/11/07/untitled-18-2025-11-07-07-29-22.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/07/untitled-17-2025-11-07-07-28-15.jpg)