ଇଣ୍ଡିଆନ୍ ସ୍ମାର୍ଟ ସିଟି ଆୱାର୍ଡସ ପ୍ରତିଯୋଗିତା: ଭୁବନେଶ୍ବରର ପ୍ରଦର୍ଶନକୁ ନେଇ ଅନେକ ପ୍ରଶ୍ନ

୬ବର୍ଷ ତଳେ କରିଥିବା ଯୋଜନା କାର୍ଯ୍ୟକାରୀ କରିପାରିଲେନି
କେବଳ ୨ଟି ପୁରସ୍କାରରେ ସନ୍ତୁଷ୍ଟ ସ୍ମାର୍ଟ ସିଟି ଲିମିଟେଡ୍‌
ସବୁଥିରେ ଶ୍ରେଷ୍ଠ ହେବାର ସୁଯୋଗ ଥାଇ ବି ହରାଇ‌େଲ

ଭୁବନେଶ୍ବର,(ବିଶ୍ବଜିତ ଦାଶ): ଇଣ୍ଡିଆନ୍ ସ୍ମାର୍ଟ ସିଟିଜ୍ ଆୱାର୍ଡ କଣ୍ଟେଷ୍ଟରେ ଭୁବନେଶ୍ବରକୁ ଦୁଇଟି ପୁରସ୍କାର ମିଳିଛି ବୋଲି ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ କର୍ତ୍ତୃପକ୍ଷ ପ୍ରଚାର କଲେ। ସୋସିଆଲି ସ୍ମାର୍ଟ ଭୁବନେଶ୍ବର ଏବଂ ଭୁବନେଶ୍ବର.ମି ପ୍ରକଳ୍ପ ପାଇଁ ଭୁବନେଶ୍ବରକୁ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ପୁରସ୍କାର ମିଳିଲା। ହେଲେ ଏହି ପ୍ରତିଯୋଗିତାରେ ଆଉ କେଉଁ ବର୍ଗ ଥିଲା, ସେଥିରେ ଭୁବନେଶ୍ବର କେତେ ରାଙ୍କ‌ ପାଇଲା ସେନେଇ କିଛି କହିଲେନି। କାରଣ ସବୁ କହିଥିଲେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ କର୍ତ୍ତୃପକ୍ଷଙ୍କ ଅପାରଗତା ଧରା ପଡ଼ିଯାଇଥାନ୍ତା। ୫ବର୍ଷ ଭିତରେ କର୍ତ୍ତୃପକ୍ଷ ଯେଉଁ ସବୁ କାମ କରିବାର ଥିଲା ତାକୁ ନ କରିପାରିବାର ସତ ସାମ୍ନାକୁ ଆସି ଯାଇଥାନ୍ତା।

ଜୁନ୍ ୨୫, ୨୦୧୫ ଅର୍ଥାତ୍ ୬ବର୍ଷ ତଳେ କେନ୍ଦ୍ର ସରକାର ସ୍ମାର୍ଟ ସିଟି ମିସନ୍‌ ଯୋଜନାରେ ଦେଶର ପ୍ରଥମ ୨୦ଟି ସ୍ମାର୍ଟ ସିଟି ନାଁ ଘୋଷଣା କରିଥିଲେ, ଯେଉଁ ତାଲିକାର ଶୀର୍ଷରେ ସ୍ଥାନ ପାଇଥିଲା ଭୁବନେଶ୍ବର। ଏହାର ୬ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶର ୧୦୦ ସ୍ମାର୍ଟ ସିଟି କ’ଣ କରିଛନ୍ତି ସେନେଇ ୬ଟି ବର୍ଗରେ ପ୍ରତିଯୋଗିତା ହୋଇଥିଲା। ଏଥିରେ ପ୍ରକଳ୍ପ ସମ୍ମାନ, ସିଟି ଲିଡରସିପ୍ ସମ୍ମାନ, ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳ ସମ୍ମାନ, ଅଭିନବ ପଦକ୍ଷେପ ସମ୍ମାନ, କୋଭିଡ ପରିଚାଳନା କ୍ଷେତ୍ରରେ ଅଭିନବ ପଦକ୍ଷେପ ସମ୍ମାନ, ସିଟି ସମ୍ମାନ ଆଦି ପ୍ରଦାନ କରାଯାଇଥିଲା। ଜାନୁଆରି, ୨୦୨୦ ମସିହାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ପର୍ଯ୍ୟାୟକ୍ରମେ ମୂଲ୍ୟାଙ୍କନ ହୋଇ ଜୁନ୍‌ ୨୫, ୨୦୨୧ରେ ବିଭିନ୍ନ ବର୍ଗରେ ବିଜେତା ଘୋଷଣା କରାଗଲା। ଆଶ୍ଚର୍ଯ୍ୟର ବିଷୟ ହେଲା, ମୋଟ୍ ୬ଟି ବର୍ଗରୁ ଭୁବନେଶ୍ବର କେବଳ ଗୋଟିଏ ବର୍ଗରେ ଦୁଇଟି ପୁରସ୍କାର ପାଇଲା। ତାହା ପୁଣି ଦ୍ବିତୀୟ ଓ ତୃତୀୟ ପୁରସ୍କାର। ବାକି ସବୁଥିରେ ପଛରେ ପଡ଼ିଗଲା।

ପ୍ରକଳ୍ପ ସମ୍ମାନ ବର୍ଗରେ ୧୦ଟି ଶ୍ରେଣୀ ଯଥା ସାମାଜିକ ଦିଗ, ପରିବେଶ ନିର୍ମାଣ, ପରିମଳ, ସଂସ୍କୃତି, ଅର୍ଥନୀତି, ସୁଶାସନ, ସହରାଞ୍ଚଳ ପରିବେଶ, ସହରାଞ୍ଚଳ ପରିବହନ ବ୍ୟବସ୍ଥା, ଜଳ, ନିରନ୍ତର ବାଣିଜ୍ୟ ମଡେଲ୍‌ ଇତ୍ୟାଦି ଥିଲା।

ଏଠାରେ ପ୍ରଶ୍ନ ଉଠୁଛି; ଭୁବନେଶ୍ବରର ପରିମଳ ବ୍ୟବସ୍ଥା ପାଇଁ ବିଏମ୍‌ସି ଗତ ଦୁଇ ବର୍ଷରେ ପ୍ରାୟ ୨୦୦କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ଭୁବନେଶ୍ବର ପରିମଳ ବର୍ଗରେ କାହିଁକି ପୁରସ୍କାର ପାଇଲାନି? ବିଏମ୍‌ସି କର୍ତ୍ତୃପକ୍ଷ ପରିମଳ ବ୍ୟବସ୍ଥାକୁ ସଜାଡ଼ି ନ ପାରିବା, କମ୍ପୋଷ୍ଟ ପ୍ଲାଣ୍ଟକୁ ଠିକ୍ ଭାବେ ପରିଚାଳନା ନ କରିପାରିବାର ଫଳ ଭୁବନେଶ୍ବର ଭୋଗିଛି। ଯେଉଁ ବାଇଓ ମାଇନିଂ କରିବା ପାଇଁ ବିଏମ୍‌ସି ଦୁଇ ବର୍ଷ ହେଲା ଟେଣ୍ଡର କରୁଛି; ସେଥିପାଇଁ ତିରୁପତି ପ୍ରଥମ ପୁରସ୍କାର ପାଇଛି। ଯେଉଁ ବର୍ଜ୍ୟ ପରିଚାଳନା ପାଇଁ ବିଏମ୍‌ସି ପ୍ରାୟ ୨୦୦କୋଟି ଟଙ୍କା ଖର୍ଚ୍ଚ କରିଛି, ସେଥିପାଇଁ ଇନ୍ଦୋର ଦ୍ବିତୀୟ ପୁରସ୍କାର ପାଇଛି।

ସେହିପରି ସଂସ୍କୃତି କ୍ଷେତ୍ରରେ ଐତିହ୍ୟ ସଂରକ୍ଷଣ ଓ ସୌନ୍ଦର୍ଯ୍ୟୀକରଣ ପାଇଁ ରାଜ୍ୟ ସରକାର ପୁରୁଣା ଭୁବନେଶ୍ବରରେ ଏକାମ୍ର ପ୍ରକଳ୍ପ କରୁଛନ୍ତି। କିନ୍ତୁ ଏମିତି କରୁଛନ୍ତି ଯେ ସେଥିରେ ଭୁବନେଶ୍ବରକୁ ପୁରସ୍କାର ମିଳିଲାନି। ଇନ୍ଦୋର ପ୍ରଥମ ପୁରସ୍କାର ପାଇଗଲା। ଭୁବନେଶ୍ବରବାସୀଙ୍କ ଅର୍ଥନୀତି ସୁଦୃଢ଼ କରିବା ପାଇଁ ସ୍ବୟଂ ସହାୟିକା ଗୋଷ୍ଠୀ, କିନ୍ନରମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଉଛି। କିନ୍ତୁ ମାଇକ୍ରୋ ସ୍କିଲ୍‌ ଡେଭଲପମେଣ୍ଟ ଏବଂ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେଇ ଯଥାକ୍ରମେ ଆଗ୍ରା ଓ ତିରୁପତି ଦ୍ବିତୀୟ ପୁରସ୍କାର ଯୁଗ୍ମ ଭାବେ ପାଇଛନ୍ତି।

ସହରାଞ୍ଚଳ ପରିବେଶକୁ ସୁନ୍ଦର କରିବା ଦିଗରେ ଜଳାଶୟ ଉଦ୍ଧାର ପାଇଁ ନଗର ଉନ୍ନୟନ ବିଭାଗ ବିଏମ୍‌ସିକୁ ଓୟୁଆଇଡିଏଫ୍‌ ପାଣ୍ଠିରୁ କୋଟି କୋଟି ଟଙ୍କା ଦେଉଛି। ଜଳାଶୟ ଉଦ୍ଧାର ହେଉଛି। ହେଲେ ଏହିଭଳି କାମରେ ଉଲ୍ଲେଖନୀୟ ସଫଳତା ପାଇଁ ଚେନ୍ନାଇ ପ୍ରଥମ ପୁରସ୍କାର ପାଇଲା। ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କଲେଣି; ହେଲେ ଏହା କରି ତିରୁପତି ଦ୍ବିତୀୟ ପୁରସ୍କାର ପାଇଲା। ଭୁବନେଶ୍ବର ପଛରେ ପଡ଼ିଗଲା।

ସହରାଞ୍ଚଳ ପରିବହନ ବ୍ୟବସ୍ଥା ସୁଦୃଢ କରିବା ପାଇଁ ସ୍ମାର୍ଟ ପାର୍କିଂ, ନିୟମିତ ବ୍ୟବଧାନରେ ବସ୍‌ ଆସିବା, ଜିପିଏସ୍‌ ଟ୍ରାକିଂ କରିବା, ସ୍ମାର୍ଟ ବସ୍ ଚଳାଇବା ପାଇଁ ବିଏସ୍‌ସିଏଲ୍‌ ଓ କ୍ରୁଟ୍‌ କୋଟି କୋଟି ଟଙ୍କା ଖର୍ଚ୍ଚ କରିସାରିଲେଣି। ହେଲେ ଏହି କ୍ଷେତ୍ରରେ ଭିନ୍ନ ଭିନ୍ନ ପଦକ୍ଷେପ ପାଇଁ ଔରଙ୍ଗାବାଦ, ସୁରତ, ଅହମ୍ମଦାବାଦ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ପୁରସ୍କାର ପାଇଲେ। ଭୁବନେଶ୍ବର ପାଇଲାନି।

ଜଳ ଯୋଗାଣ ପାଇଁ ୱାଟ୍‌କୋ ବହୁ ଯୋଜନା କରୁଛି। ସ୍ମାର୍ଟ ମିଟରିଂ, ୨୪ଘଣ୍ଟା ଜଳ ଯୋଗାଣ, ସବୁ ଘରକୁ ପାଇପ୍ ପାଣି, ସ୍ବେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଭଳି ପ୍ରକଳ୍ପ କରୁଛି। ହେଲେ ଏଥିରେ ମଧ୍ୟ ଡେରାଡୁନ୍ ଓ ବାରଣାସୀ ପ୍ରଥମ ପୁରସ୍କାର ପାଇଲେ। ବିଏସ୍‌ସିଏଲ୍‌ ଡ୍ରେନ୍ ପାଣିକୁ ବିଶୋଧନ କରି ସୌନ୍ଦର୍ଯ୍ୟୀକରଣ ପାଇଁ ଲେକ୍ ଜୋନ୍ ପ୍ରକଳ୍ପ କରୁଛି। ହେଲେ ଏହା କରି ସୁରତ ତୃତୀୟ ସ୍ଥାନ ହାସଲ କଲା। ନିରନ୍ତର ବାଣିଜ୍ୟ ପ୍ରକଳ୍ପ ପାଇଁ ଇଣ୍ଟିଗ୍ରେଟେଡ୍ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର କରି ଅଗରତାଲା ବିଜେତା ହେଲା। ହେଲେ ଭୁବନେଶ୍ବର ଏସବୁରେ କିଛି ପାଇଲାନି।

YouTube

ସ୍ମାର୍ଟ ସିଟି ଯୋଜନା‌େର ବହୁ ପ୍ରକଳ୍ପ କରିଥିବାରୁ ସ୍ମାର୍ଟ ସିଟିଜ୍ ଲିଡରସିପ୍ ଆୱାର୍ଡ ଯଥାକ୍ରମେ ଅହମ୍ମଦାବାଦ, ବାରାଣାସୀ, ରାଞ୍ଚି ପାଇଲେ। କିନ୍ତୁ ଏକ ନମ୍ବର ସ୍ମାର୍ଟ ସିଟି ଭୁବନେଶ୍ବରକୁ କିଛି ମିଳିଲାନି।

ରାଜ୍ୟର ସ୍ମାର୍ଟ ସିଟି ଗୁଡ଼ିକ ଭଲ ପ୍ରକଳ୍ପ କରିଥିବାରୁ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ତାମିଲନାଡୁ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ପୁରସ୍କାର ପାଇଥିଲେ। କିନ୍ତୁ ଭୁବନେଶ୍ବର ଓ ରାଉରକେଲାର ପ୍ରଦର୍ଶନ ଭଲ ନଥିବାରୁ ଓଡ଼ିଶା ଏହି ତାଲିକାରେ ସ୍ଥାନ ପାଇଲାନି।

ଅଭିନବ ପ୍ରକଳ୍ପ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ କର୍ତ୍ତୃପକ୍ଷ କି ତାଙ୍କ ଦ୍ବାରା ନିୟୋଜିତ ସଂସ୍ଥାଗୁଡ଼ିକ କିଛି ପଦକ୍ଷେପ ନେଇପାରିଲେନି। କିନ୍ତୁ କାର୍ବନ କ୍ରେଡିଟ ଫାଇନାନସିଂ ମେକାନିଜିମ୍ କରି ଇନ୍ଦୋର ପୁରସ୍କାର ହାତେଇନେଲା।

କୋଭିଡ୍ ପରିଚାଳନା କ୍ଷେତ୍ରରେ ଅଭିନବ ପଦକ୍ଷେପ ନେଇଥିବାରୁ କଲ୍ୟାଣ-ଡୋମ୍ବିଭାଲି ଓ ବାରଣାସୀ ଯୁଗ୍ମ ବିଜେତା ହେଲେ। ହେଲେ ବିଏମ୍‌ସି ଓ ବିଏସ୍‌ସିଏଲ୍‌ କୋଭିଡ ତଥ୍ୟ ଲୁଚାଇବାକୁ ଯାଇ ଭୁବନେଶ୍ବରକୁ ଏହି ବର୍ଗରେ ପଛରେ ପକାଇଦେଲେ। ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି କନସଲଟାଣ୍ଟ ରଖିଲେ; ହେଲେ ଏମିତି କାମ କଲେ ଯେ ପୁରସ୍କାର ଦୌଡ଼ରେ ରହିଲେନି। ଏପରିକି ସ୍ମାର୍ଟ ସିଟି ଯୋଜନାରେ କିଛି ବି ଭଲ ପ୍ରକଳ୍ପ ଶେଷ କରିନଥିବାରୁ କୌଣସି ରାଉଣ୍ଡରେ ଭୁବନେଶ୍ବର ବିଜେତା ହୋଇପାରିଲାନି।

ଶେଷରେ ଭୁବନେଶ୍ବରରେ କାମ କରୁଥିବା ସବୁ ସଂସ୍ଥାର ବିଫଳତା ପାଇଁ ଭୁବନେଶ୍ବର ପଛରେ ପଡ଼ିଗଲା। ଆଉ ଇନ୍ଦୋର ଓ ସୁରତ ବିଜେତା ହେଲେ।

ସୂଚନାଯୋଗ୍ୟ ଯେ, ୨୦୧୫ରେ ସ୍ମାର୍ଟ ସିଟିଜ୍ ମିସନ୍ ପକ୍ଷରୁ ହୋଇଥିବା ପ୍ରତିଯୋଗିତାରେ ଭୁବନେଶ୍ବର ଦେଶର ସବୁ ପ୍ରମୁଖ ସହରକୁ ମାତ୍‌ ଦେଇ ପ୍ରଥମ ସ୍ଥାନ ହାସଲ କରିଥିଲା। ଭୁବନେଶ୍ବରର ବିଭିନ୍ନ ଯୋଜନାକୁ ନେଇ ଯେଉଁ ରୂପରେଖ ପ୍ରସ୍ତୁତ ହୋଇଥିଲା, ତାହା ସମସ୍ତଙ୍କଠାରୁ ଭିନ୍ନ ଥିଲା। ସାଧାରଣ ଲୋକ, ଶିଶୁଙ୍କ ପାଇଁ ବହୁ ଯୋଜନାରୁ ଆରମ୍ଭ କରି ପିପିପି ମୋଡ୍‌ରେ ବହୁ ପ୍ରକଳ୍ପ କରିବାର ଯେଉଁ ଦସ୍ତାବିଜ୍ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ନିକଟରେ ଦାଖଲ କରାଯାଇଥିଲା, ତାହା ଥିଲା ସ୍ବତନ୍ତ୍ର। ଯେଉଁଥିପାଇଁ ଭୁବନେଶ୍ବର ଦେଶର ଏକ ନମ୍ବର ସ୍ମାର୍ଟ ସିଟି ମାନ୍ୟତା ପାଇଥିଲା। କିନ୍ତୁ ୬ବର୍ଷ ତଳେ କର୍ତ୍ତୃପକ୍ଷ ଯେଉଁ ଯୋଜନା କରିଥିଲେ, ତାକୁ କାର୍ଯ୍ୟକାରୀ ନ କରିପାରିବାର ଫଳ ଆଜି ଭୁବନେଶ୍ବର ଭୋଗୁଛି। ସ୍ମାର୍ଟ ସିଟିଜ୍ ମିସନ୍ ପକ୍ଷରୁ ହୋଇଥିବା ଆୱାର୍ଡସ ପ୍ରତିଯୋଗିତାରେ ଦେଶର ଏକ ନମ୍ବର ସ୍ମାର୍ଟ ସିଟି ହେବାର ସ୍ବପ୍ନ ଭାଙ୍ଗି ଚୂରମାର୍ ହୋଇଯାଇଛି।

ସମ୍ବନ୍ଧିତ ଖବର