ଚୀନ୍‌ ଉପରେ ଭାରତର ଡିଜିଟାଲ୍‌ ଷ୍ଟ୍ରାଇକ୍‌, ସୋସିଆଲ ମିଡିଆରୁ ଆରମ୍ଭ

ଭୁବନେଶ୍ବର: ଲଦାଖ ସୀମାରେ ଭାରତ ସହ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିବା ଚୀନ୍‌କୁ ମହଙ୍ଗା ପଡ଼ିଛି। କେନ୍ଦ୍ର ସରକାର ଚୀନ୍‌ର ଅର୍ଥନୀତି ଉପରେ ଡିଜିଟାଲ ଷ୍ଟ୍ରାଇକ୍‌ କରିଛନ୍ତି। ଆଜି ଭାରତ ସରକାର ଟିକ୍‌ଟକ, ହ୍ୟାଲୋ ଓ ଲାଇକି ଭଳି ୫୯ଟି ଚୀନୀ ଆପ୍‌କୁ ଦେଶରେ ନିଷିଦ୍ଧ ଘୋଷଣା କରିଛନ୍ତି। ସୁରକ୍ଷା ଦୃଷ୍ଟିକୋଣରୁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଥିବା କହିଛନ୍ତି। ଟିକ୍‌ଟକ୍‌କୁ ଭାରତରେ ସର୍ବାଧିକ ଲୋକ ଡାଉନଲୋଡ୍‌ କରିଥିଲେ। ଏହି ଆପ୍‌କୁ ବ୍ୟବହାର କରୁଥିବା ଦେଶ ମଧ୍ୟରେ ଦ୍ୱିତୀୟରେ ଚାଇନା ଥିବା ବେଳେ ତୃତୀୟରେ ଆମେରିକା ରହିଥିଲା। ଆପ୍‌ଗୁଡ଼ିକ‌ ଜରିଆରେ ଚୀନ୍‌ କୋଟିକୋଟି ଟଙ୍କା ଭାରତରୁ ଆୟ କରୁଥିଲା। ବିଶେଷକରି ଯୁବଗୋଷ୍ଠୀ ଟିକ୍‌ଟକ୍‌ ପ୍ରେମରେ ପଡ଼ିଥିଲେ। ଛୋଟ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ଟିକ୍‌ଟକ୍‌ ବ୍ୟବହାର କରୁଥିଲେ। ଏହା ବ୍ୟାନ୍‌ ହେବା ଫଳରେ ଚୀନର ଅର୍ଥନୀତିକୁ ଧକ୍କା ଲାଗିବ ବୋଲି କୁହାଯାଉଛି।

ୟଙ୍ଗ୍‌ ଟ୍ୟାଲେଣ୍ଟ୍‌ଙ୍କୁ ପରିଚୟ ଦେଇଥିଲା
ଟିକ୍‌ଟକ୍‌ ଯୁବପିଢ଼ିଙ୍କୁ ନିଜ ଦକ୍ଷତା ‌ବିକାଶର ଏକ ସୁଯୋଗ ଦେଇଥିଲା। ଏଥିସହ ଏହାଦ୍ବାରା ଆରାମ୍‌ରେ ସମୟ ଅତିବାହିତ ହେଇଯାଉଥିଲା। ଏହାର ବ୍ୟାନ୍‌ ସ୍ବାଗତଯୋଗ୍ୟ କିନ୍ତୁ ବିକଳ୍ପରେ ସେମିତି କିଛି ଆପ୍‌ ରହିଲେ ଭଲ। ଏହା ଏବେ ଯୁବପିଢ଼ିଙ୍କ ନିଶା ‌ପାଲଟି ଯାଇଛି। ଏଥିସହ ଟିକ୍‌ଟକ୍‌ର ଅନେକ ଲାଭ ଦେଖିବାକୁ ମିଳିଛି। ଅନେକ ୟଙ୍ଗ୍‌ ଟ୍ୟାଲେଣ୍ଟ୍‌କୁ ଏହା ଦ୍ବାରା ପରିଚୟ ମିଳିଛି।
-ଅନୁରାଧା କର, ବ୍ୟାଙ୍କ ଅଧିକାରୀ, ପାତ୍ରପଡ଼ା

। ଚାଇନା ବିରୁଦ୍ଧରେ ଏହା ଏକ ଯୁଦ୍ଧ ଡାକରା
ପାଠ ଓ କାମରୁ ନିବୃତ୍ତ ରହି ଯୁବପିଢ଼ି କେବଳ ଟିକ୍‌ଟକ୍‌ ନିଶାରେ ବୁଡ଼ି ରହିଥିଲେ। ଅନେକ ତ’ ଟିକ୍‌ଟକ୍‌ ନିଶାରେ ପ୍ରାଣ ହରାଇଥିବା ବି ଦେଖିବାକୁ ମିଳିଛି। ଅନ୍ୟପଟେ ଟିକ୍‌ଟକ୍‌ରେ ବେଳେବେଳେ ଉତ୍ତେଜନାମୂଳକ ତଥା ଅଶ୍ଲୀଳତାକୁ ବି ପ୍ରଶ୍ରୟ ଦିଆଯାଉଥିବା ଦେଖିବାକୁ ମିଳିଛି। ଟିକ୍‌ଟକ୍‌କୁ ବ୍ୟାନ୍‌ କରିବାକୁ ଆଗରୁ ବି ମତ ସଂଗଠିତ ହୋଇଥିଲା ଓ ବ୍ୟାନ୍‌ ହୋଇଥିଲା ମଧ୍ୟ। ଏଣୁ ଟିକ୍‌ଟକ୍‌ ବ୍ୟାନ୍‌ ସ୍ବାଗତଯୋଗ୍ୟ। ଅ‌ନ୍ୟପଟେ ଚୀନ୍‌ ବିରୁଦ୍ଧରେ ଏହା ଏକ ଯୁଦ୍ଧ ଡାକରା।
-ଅର୍ପିତା ପ୍ରିୟଦର୍ଶିନୀ, ଗୃହିଣୀ

। ଭାରତୀୟ ‘ଚିଙ୍ଗାରି’ ଆପ୍‌କୁ ଅଧିକ ବିକଶିତ ଓ ପ୍ରଚାର କରାଯାଉ
ଟିକ୍‌ଟକ୍‌ ଭଳି ଭାରତର ଗୋଟିଏ ସ୍ବଦେଶୀ ଆପ୍‌ ଅଛି ‘ଚିଙ୍ଗାରି’। ଏଥିରେ ବି ଟିକ୍‌ଟକ୍‌ ଭଳି ଅଭିନୟ, ନାଚ, ଗୀତ କରି ନିଜ ଦକ୍ଷତା ଦେଖାଇ ହେବ। ଏଣୁ ଏହି ଆପ୍‌କୁ ଅଧିକ ବିକଶିତ କରି ଭାରତୀୟଙ୍କ ମଧ୍ୟରେ ଅଧିକ ପ୍ରଚାରପ୍ରସାର କରିପାରିଲେ ଟିକ୍‌ଟକ୍‌ ଆପେ ଆପେ ନିଷ୍କ୍ରିୟ ହୋଇଯା’ନ୍ତା। ‌ଟିକ୍‌ଟକ୍‌ଠାରୁ ଚିଙ୍ଗାରିକୁ ଅଧିକ ଉପାଦେୟ କରିପା‌ରିଲେ ଭଲ ହୁଅନ୍ତା।
-ସୁଶ୍ରୀ ସଙ୍ଗୀତା ମହାପାତ୍ର, ଅଧ୍ୟାପିକା

ମିଆଁମାର ସର୍ଜିକାଲ ଷ୍ଟ୍ରାଇକ୍: ୧୮ ମୃତ
ଉରି ସର୍ଜିକାଲ ଷ୍ଟ୍ରାଇକ୍ ୩୦ରୁ ଅଧିକ ମୃତ
ବାଲାକୋଟ ଏୟାର ଷ୍ଟ୍ରାଇକ୍: ୩୦୦ରୁ ଅଧିକ
ଡିଜିଟାଲ ଷ୍ଟ୍ରାଇକ୍: ଚୀନ୍‌ର ୩୦୦ ମିଲିଅନ ଡଲାର କ୍ଷତି
@ ଫାରାଗୋ ଅବଦୁଲ୍ଲା(ପାରୋଡି)
ଯେଉଁମାନଙ୍କର ମୋବାଇଲରେ ‘ଟିକ୍‌ଟକ୍‌’ ଅଛି ସେମାନଙ୍କ ପାଇଁ ୨ ମିନିଟ୍‌ର ନିରବ ପ୍ରାର୍ଥନା।
@ ଆଦିତ୍ୟ ରାଜ୍ କୌଲ, ସାମ୍ବାଦିକ

। ଟିକ୍‌ଟକ୍‌ ଭଳି ଚିଙ୍ଗାରି କିଛି ନୂଆ ନେଇ ଆସୁ
ଟିକ୍‌ଟକ୍‌ ଯେତେବେଳେ ଆସିଥିଲା, ଏହା ଏକ ନୂତନଧରଣର ଓ ନିଆରା ଆପ୍‌ ହୋଇଥିବାରୁ ଏହା ଲୋକଙ୍କୁ ବେଶ୍‌ ଆକର୍ଷିତ କରିଥିଲା। ଚାହୁଁ ଚାହୁଁ ଲୋକଙ୍କ ମଧ୍ୟରେ ଏହାର କ୍ରେଜ୍‌ ବଢ଼ି ଚାଲିଲା। ସବୁ ପର୍ବପର୍ବାଣୀଠାରୁ ଆରମ୍ଭ କରି ପ୍ରତିଟି ପରିସ୍ଥିତି ପାଇଁ ଏଥିରେ ଗୀତ ଓ ଭିଡିଓର ଧାଡ଼ି ଲାଗିଥିଲା। ଫଳରେ ଲୋକମାନଙ୍କ ମଧ୍ୟରେ ଏହା ଆଦୃତ ହେବାରେ ଲାଗିଲା। ଏହା ଏକ ଚୀନୀ ଆପ୍‌ ହୋଇଥିବାରୁ ଏହାର ବର୍ଜନ ଗ୍ରହଣଯୋଗ୍ୟ। କିନ୍ତୁ ଲୋକମାନଙ୍କ ଟିକ୍‌ଟକ୍‌ ନିଶା ଭାଙ୍ଗିବା ପାଇଁ ‘ଚିଙ୍ଗାରି’ ଆପ୍‌କୁ ଅଧିକ ପ୍ରଚାରପ୍ରସାର କଲେ ଲାଭ ମିଳିବ। ଟିକ୍‌ଟକ୍‌ ଭଳି ଚିଙ୍ଗାରି କିଛି ନୂଆ ନେଇ ଆସୁ।
-ସୁଦୀପ କୁମାର ମିଶ୍ର, ବ୍ୟାଙ୍କ ମ୍ୟାନେଜର

। ଦୁଃଖ ଲାଗୁଛି
ଟିକ୍‌ଟକ୍ ମାଧ୍ୟମରେ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ସୁଯୋଗ ମିଳୁଥିଲା। ଏହା ବନ୍ଦ ହେବା ଦ୍ବାରା ପୁଣିଥରେ କୂପମଣ୍ଡୁକ ହେବାକୁ ପଡ଼ିବ। ଟିକ୍‌ଟକ୍ ଫଳରେ ଅନେକ ଯୁବକ/ଯୁବତୀ ନିଜକୁ ସେଲିବ୍ରିଟି ବନାଇ ପାରୁଥିଲେ। ହଠାତ୍‌ ବନ୍ଦ ହେବା ଶୁଣି ଦୁଃଖ ଲାଗୁଛି। ଏହା ବଦଳରେ ଭାରତ ସରକାର ଆଉ କିଛି ଦେଶୀ ଆପ୍ ବାହାର କଲେ ଭଲ ହୁଅନ୍ତା।
-ସୁଶ୍ରୀ ସସ୍ମିତା ପ୍ରିୟଦର୍ଶନୀ

। ପିଲାମାନେ ଆତ୍ମହତ୍ୟା କରୁଥିଲେ
ଟିକ୍‌ଟକ୍ କରୋନାଠାରୁ ମଧ୍ୟ ବଡ଼ ଭାଇରସ୍। ଏହି ଆପ୍‌କୁ ଭାରତ ଭଳି ସଂସ୍କୃତି ସମ୍ପନ୍ନ ରାଷ୍ଟ୍ରକୁ ପ୍ରବେଶ କରାଇବାର ନଥିଲା। ଏହାଦ୍ବାରା ଆମ ଦେଶରେ ଅନେକ ‌ପିଲା ଆତ୍ମହତ୍ୟା କରିଛନ୍ତି। ଅନେକ ଅସାମାଜିକ ହୋଇଯାଇଛନ୍ତି। ବଡ଼ ସାନ ବୋଲି କିଛି ବି ମାନୁ ନାହାନ୍ତି। ଆଉ କିଛି ଏହି ଭାଇରସ୍‌ ଜାଲରେ ପଡ଼ି ବେରୋଜଗାର ଓ ମନ୍ଦବୁଦ୍ଧି ବ୍ୟକ୍ତିତ୍ବ ହୋଇଛନ୍ତି। ଏହା ବ୍ୟାନ୍‌ ହେଲା, ଭଲ ହେଲା।
-ପ୍ରଫେସର୍‌ ଫକିର ମୋହନ ଧଳ

। ଭଲ ପଦକ୍ଷେପ
ଟିକ୍‌ଟକ୍ ଆପ୍‌ ଫଳରେ ଆମ ଦେଶର ସବୁ ଅର୍ଥ ଚୀନ୍‌କୁ ଯାଉଥିଲା। ବନ୍ଦ ହେବା ଦ୍ବାରା ଆମ ଦେଶ ଅର୍ଥରୁ ଚୀନ୍‌ ବଳଶାଳୀ ହୋଇପାରିବ ନାହିଁ। ଯଦି ମନୋରଂଜନ କଥାକୁ ବିଚାରକୁ ନେବା, ଆମ ଦେଶ ପକ୍ଷରୁ ଯଦି ନିର୍ଧାରିତ ସର୍ତ୍ତାବଳୀ ତିଆରି କରି ସେଭଳି କିଛି ଆପ୍ ବାହାର କରାଯିବ, ତେବେ ଲୋକେ ତାକୁ ଭଲ ଭାବେ ବ୍ୟବାହାର କରିବେ। ଦେଶକୁ ଆର୍ଥିକ ସ୍ଥିତିରେ ସୁଦୃଢ଼ କରିବାରେ ସହଯୋଗ ହେବ।
-ଶୁଭସ୍ମିତା ସାମଲ

। ବନ୍ଦ ହେଲା, ଭଲ ହେଲା
ସବୁ ଜିନିଷର ଅପବ୍ୟବହାର କରିବା ଭାରତୀୟଙ୍କ କାମ। ଟିକ୍‌ଟକ୍ ଦ୍ବାରା ଯୁବପିଢ଼ିଠାରୁ ଆବାଳ ବୃଦ୍ଧବନିତା ଉଦ୍ଧତ ହୋଇଯାଇଥିଲେ। ଏପରି ଫାଲତୁ ଆପ୍ ବହୁ ଆଗରୁ ବନ୍ଦ ହେବାର ଥିଲା। ଚାଇନା ଆପ୍ କାହିଁକି ଆମେ ବ୍ୟବହାର କରି ସେମାନଙ୍କୁ ପୋଷିବା, ବରଂ ଆମ ଦେଶର ଶାଳୀନତା ରକ୍ଷା କରି ଯଦି କିଛି ଆପ୍ ବାହାରନ୍ତା, ତେବେ ଭଲ ହୁଅନ୍ତା।
-ମନୋରଞ୍ଜନ ଦାସ

। ଟିକ୍‌ଟକ୍ ପିଏମ୍‌‌ କେୟାର ପାଣ୍ଠିକୁ ୩୦ କୋଟି ଟଙ୍କା ଦେଇଥିଲା। ଟିକ୍‌ଟକ୍‌ର ଟଙ୍କାରୁ ଭେଣ୍ଟିଲେଟର କିଣି, ଟିକ୍‌ଟକ୍‌କୁ ହିଁ ଭେଣ୍ଟିଲେଟରକୁ ପଠେଇଦେଲେ।
@ ନୀତିନ୍ ଗୁପ୍ତା, ଷ୍ଟାଣ୍ଡଅପ୍ କମେଡିଆନ୍

। ଚୀନ୍‌ର ମୋବାଇଲ ଆପ୍ ଓ ଅନ୍ୟ କମ୍ପାନି ଚୀନ୍‌ର ଆଇନ ଅନୁସାରେ ଚୀନ୍ କମ୍ୟୁନିଷ୍ଟ ପାର୍ଟି ପ୍ରତି କୃତଜ୍ଞ। ଏସବୁ ଆପ୍ ଗୁଡ଼ିକ ଜାତୀୟ ସୁରକ୍ଷାରେ ବିପଦ ସୃ‌ଷ୍ଟି କରୁଥିଲେ। ଟିକ୍‌ଟକ୍‌କୁ ମିଶାଇ ୫୯ଟି ଚୀନ୍ ଆପ୍‌କୁ ବ୍ୟାନ୍ କରିବା ଭାରତ ସରକାରଙ୍କ ଏକ ଭଲ ପଦକ୍ଷେପ। ଆଗାମୀ ଦିନରେ ହୁୱେଇ ଓ ଜେଡ୍‌ଟିଇକୁ ମଧ୍ୟ ବ୍ୟାନ୍ କରିବା ଦରକାର।
@ ବ୍ରହ୍ମା ଚେଲାନି, ବିଶିଷ୍ଟ ରଣନୀତି ଚିନ୍ତକ

ସମ୍ବନ୍ଧିତ ଖବର