ଖଣ୍ଡଗିରି: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମହାକାଶରେ ୨୦୩୫ ସୁଦ୍ଧା ଏକ ମଡ୍ୟୁଲାର ମହାକାଶ କେନ୍ଦ୍ର(ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ୍‌) ସ୍ଥାପନ କରିବାର ଯୋଜନା ରହିଛି ବୋଲି ଇସ୍ରୋର ଅଧ୍ୟକ୍ଷ ଡ଼. ଭି. ନାରାୟଣନ୍ କହିଛନ୍ତି। ବିଏଏସ୍‌ର ସ୍ଥାପନା ମହାକାଶ ଗବେଷଣା ଓ ଅତ୍ୟାଧୁନିକ ମହାକାଶ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତର ସ୍ଥିତିକୁ ସୁଦୃଢ଼ କରିବ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ୍‌ ଟୁ ବି ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ, ଗବେଷକ ଓ ପ୍ରାଧ୍ୟାପକମାନଙ୍କ ସହିତ ଆଲୋଚନା ପରିପ୍ରେକ୍ଷୀରେ ସେ ଏହି ସୂଚନା ଦେଇଛନ୍ତି।

Advertisment

ଭାରତର ପ୍ରଥମ ମାନବ ମହାକାଶ ମିସନ୍‌, ‘ଗଗନାୟନ’ ୨୦୨୭ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକାରୀ ହେବା ପାଇଁ ଚେଷ୍ଟା ଚାଲିଛି। ଏଥିଲାଗି ୪ ଜଣ ଟେଷ୍ଟ ପାଇଲଟ୍‌ଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଏହା ପୂର୍ବରୁ ମନୁଷ୍ୟ ନ ଥାଇ ଏହି ପରୀକ୍ଷା କରାଯିବ। ୨୦୪୭ ସୁଦ୍ଧା ଭାରତ ବିଶ୍ୱରେ ଏକ ମହାକାଶ ଶକ୍ତି ଭାବେ ନିଜକୁ ପ୍ରସ୍ତୁତ କରିବାର ଲକ୍ଷ୍ୟ ରଖିଛି। ଭାରତ ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩କୁ ଅବତରଣ କରାଇବା ସହ ଚନ୍ଦ୍ରପୃଷ୍ଠରେ ଜଳର ସନ୍ଧାନ ପାଇପାରିଛି।  ଭାରତ ଗୋଟିଏ ମିସନ୍‌ରେ ମହାକାଶରେ ୧୦୦ରୁ ଅଧିକ ସାଟେଲାଇଟ୍ ସ୍ଥାପନ କରି ବିଶ୍ୱ ରେକର୍ଡ କରିଛି। ସେ ପୁଣି କହିଲେ, ଚନ୍ଦ୍ରଯାନ-୪ ମିସନ ଜରିଆରେ ଚନ୍ଦ୍ରରେ ଥିବା ପଦାର୍ଥକୁ ଆଣିବାର ଯୋଜନା ରହିଛି। ଭାରତ ଜାପାନର ସହଭାଗିତାରେ ଚନ୍ଦ୍ରାୟାନ-୫ ଲଞ୍ଚ କରିବାର ଯୋଜନା ରଖିଥିବା ସେ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ସୋଆର ଅନ୍ତରାଷ୍ଟ୍ରୀୟ ଉପଦେଷ୍ଟାମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଆଲୋଚନାରେ ଯୋଗଦେଇଥିଲେ। ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଣ୍ଟ ଆଫାୟାର୍ସ) ଆଇଟିଇଆର୍‌ ପ୍ରଫେସର ରେଣୁ ଶର୍ମା ଧନ୍ୟବାଦ ଦେଇଥିଲେ। ଆଇଟିଇଆର୍‌ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ପ୍ରଫେସର ମଞ୍ଜୁଳା ଦାସ ଓ ବିଭିନ୍ନ ଅନୁଷ୍ଠାନର ଡିନ୍ ଉପସ୍ଥିତ ଥିଲେ। ପ୍ରଫେସର ଜ୍ୟୋତିରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।