ନୂଆଦିଲ୍ଲୀ: ଭାରତୀୟ ସୈନିକଙ୍କ ସହ ଜଡ଼ିତ ଆପରାଧିକ ମାନହାନି ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ସୁପ୍ରିମ୍କୋର୍ଟ କଠୋର ମନ୍ତବ୍ୟ ଦେବାର ଗୋଟିଏ ଦିନ ପରେ କଂଗ୍ରେସ ଦଳ ଓ ଏହାର ଇଣ୍ଡି-ମେଣ୍ଟ ଗୋଷ୍ଠୀ ମଙ୍ଗଳବାର ସର୍ବୋଚ୍ଚ ଅଦାଲତଙ୍କ ମନ୍ତବ୍ୟକୁ ତୀବ୍ର ସମାଲୋଚନା କରିବା ସହ ଏହାକୁ ରାଜନୈତିକ ଦଳଗୁଡ଼ିକର ଗଣତାନ୍ତ୍ରିକ ଅଧିକାରରେ ଅଯଥା ହସ୍ତକ୍ଷେପ ବୋଲି କହିଛନ୍ତି।
ସଂସଦରେ ଇଣ୍ଡି-ମେଣ୍ଟ ନେତାଙ୍କ ବୈଠକ ପରେ ଜାରି ଏକ ମିଳିତ ବିବୃତିରେ ବିରୋଧୀ ମେଣ୍ଟ ଲୋକସଭା ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ୍ କରି ସୁପ୍ରିମ୍କୋର୍ଟ ଦେଇଥିବା ମନ୍ତବ୍ୟକୁ ନେଇ ଉଦ୍ବେଗ ପ୍ରକାଶ କରିଛି। ବିରୋଧୀ ମେଣ୍ଟର ସମସ୍ତ ନେତା ଏକମତ ହୋଇଛନ୍ତି ଯେ, ବର୍ତ୍ତମାନର ବିଚାରପତି ଏକ ଅସାଧାରଣ ମନ୍ତବ୍ୟ ଦେଇଛନ୍ତି ଯାହା ରାଜନୈତିକ ଦଳଗୁଡ଼ିକର ଗଣତାନ୍ତ୍ରିକ ଅଧିକାର ଉପରେ ଅଯଥା ହସ୍ତକ୍ଷେପ।
ଅଗଷ୍ଟ ୪ରେ ଜଷ୍ଟିସ୍ ଦୀପଙ୍କର ଦତ୍ତ ଓ ଜଷ୍ଟିସ ଏଜି ମସିହଙ୍କୁ ନେଇ ଗଠିତ ସୁପ୍ରିମ୍କୋର୍ଟଙ୍କ ଖଣ୍ଡପୀଠ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ପ୍ରକ୍ରିୟା ଉପରେ ରୋକ୍ ଲଗାଇଥିଲେ। ତେବେ ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟକୁ ଉଲ୍ଲେଖ କରି ଖଣ୍ଡପୀଠ କହିଥିଲେ, ଯଦି ଆପଣ ପ୍ରକୃତ ଭାରତୀୟ ହୋଇଥିବେ, ତେବେ ଆପଣ ଏପରି କଥା କହିବେ ନାହିଁ। ରାହୁଲ ଗାନ୍ଧୀଙ୍କ ଭଉଣୀ ତଥା ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ରାହୁଲଙ୍କୁ ସମର୍ଥନ କରି କହିଛନ୍ତି ଯେ ଦେଶପ୍ରେମକୁ ବିଚାର କରିବା ପାଇଁ ନ୍ୟାୟପାଳିକାର ଅଧିକାର ନାହିଁ। କିଏ ପ୍ରକୃତ ଭାରତୀୟ ତାହା ସୁପ୍ରିମ୍କୋର୍ଟର ମାନ୍ୟବର ବିଚାରପତି ସ୍ଥିର କରନ୍ତି ନାହିଁ। ପ୍ରଶ୍ନ ପଚାରିବା ଓ ସରକାରଙ୍କୁ ଚ୍ୟାଲେଞ୍ଜ କରିବା ବିରୋଧୀ ଦଳ ନେତାଙ୍କ ଅଧିକାର। ମୋ ଭାଇ କେବେ ବି ସେନା ବିରୋଧରେ କିଛି କହି ନ ଥିଲେ। ସେ ସେନାକୁ ସର୍ବୋଚ୍ଚ ସମ୍ମାନ ଦିଅନ୍ତି। ଏହା ତାଙ୍କ ମନ୍ତବ୍ୟର ଭୁଲ ବ୍ୟାଖ୍ୟା ବୋଲି ସେ କହିଛନ୍ତି।
Advertisment

Sambad is now on WhatsApp
Join and get latest news updates delivered to you via WhatsApp