ବିଜେଡିରେ ମିଶିଲେ ସ୍ବାଧୀନ କର୍ପୋରେଟର୍‌

ଭୁବନେଶ୍ବର: ଶେଷରେ ଯାହା ଚର୍ଚ୍ଚା ହେଉଥିଲା, ସେଇୟା ହେଲା। ସ୍ବାଧୀନ ପ୍ରାର୍ଥୀ ଏବେ ବିଜେଡି ମୁହାଁ ହେଲେଣି। ଆଜି ୬୦ ନମ୍ବର ୱାର୍ଡରେ ସ୍ବାଧୀନ ଭାବେ ଜିତିଥିବା କର୍ପୋରେଟର୍‌ ଚନ୍ଦ୍ରଶେଖର ମଲିଆ ଓରଫ୍‌ କାପୁ ବିଜେଡିରେ ଯୋଗ ଦେଇଛନ୍ତି। ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସରକାରୀ ବାସଭବନରେ ସେ ତାଙ୍କର ସମର୍ଥକଙ୍କ ସହ ପହଞ୍ଚି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ସେ ବିଜେଡିର ଥିଲେ ଓ ତାଙ୍କର ଘର ବାହୁଡ଼ା ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ଏହି ୱାର୍ଡରେ କାପୁ ଟିକେଟ୍‌ ଆଶାୟୀ ଥିଲେ। ହେଲେ ବିଜେଡି ପକ୍ଷରୁ ରାଜେନ୍ଦ୍ର ସମର୍ଥାଙ୍କୁ ଟିକେଟ୍‌ ଦିଆଯାଇଥିଲା। ଏଣୁ ସେ ଅସନ୍ତୁଷ୍ଟ ହୋଇ ସ୍ବାଧୀନ ଭାବେ ଛିଡ଼ା ହେବା ସହ ରାଜେନ୍ଦ୍ରଙ୍କୁ ହରାଇଥିଲେ। ଆଜି ରାଜେନ୍ଦ୍ରଙ୍କ ଉପସ୍ଥିତିରେ ହିଁ କାପୁ ବିଜେଡିରେ ସାମିଲ ହୋଇଛନ୍ତି।

ଅନ୍ୟପକ୍ଷେ ଏଥର ୯ଜଣ ସ୍ବାଧୀନ କର୍ପୋ‌ରେଟର୍‌ ଜିତିଥିଲେ। ଜଣେ ବିଜେଡିରେ ମିଶିବା ପରେ ଆଉ ୮ ଜଣ ସ୍ବାଧୀନ କର୍ପୋରେଟର ଅଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ବିଜେଡିରୁ ଟିକେଟ୍‌ ଆଶା କରିଥିଲେ। ଟିକେଟ୍‌ ନ ମିଳିବା ପରେ ସ୍ବାଧୀନ ଭାବେ ଛିଡ଼ା ହୋଇ କର୍ପୋରେଟର ହୋଇଛନ୍ତି। ଗତଥର ସ୍ବାଧୀନ ଭାବେ ବିଜୟ ଲାଭ କରିଥିବା ୧୨ଜଣ କର୍ପୋ‌ରେଟର୍‌ ପରବର୍ତ୍ତୀ ସମୟରେ ବିଜେଡିରେ ସାମିଲ ହୋଇଥିଲେ। ଏଣୁ ଏଥର ମଧ୍ୟ ଏହି ସ୍ବାଧୀନ କର୍ପୋରେଟର୍‌ମାନେ ବିଜେଡିରେ ସାମିଲ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି।

ଏନେଇ ଆମେ କିଛି ସ୍ବାଧୀନ କର୍ପୋରେଟର୍‌ଙ୍କ ସହ ଯୋଗାଯୋଗ କରିଥିଲୁ। ୱାର୍ଡ ନମ୍ବର ୩୭ର କର୍ପୋରେଟର୍‌ ବନ୍ଦିତା ପାଲଙ୍କ ସ୍ବାମୀ ଅର୍ଜୁନ ବେହେରା ପୂର୍ବରୁ ବିଜେଡିରେ ଥିଲେ। କିନ୍ତୁ ତାଙ୍କ ପତ୍ନୀଙ୍କୁ ଟିକେଟ୍‌ ନ ମିଳିବାରୁ ସେ ସ୍ବାଧୀନ ଛିଡ଼ା ହୋଇଥିଲେ। ସେ କହିଛନ୍ତି, ଆମେ ବିଜେଡିରେ ଥିଲୁ। ବିଜେଡି ଦଳ ଆମର। ଏହି ୩୭ନମ୍ବର ୱାର୍ଡ ବିଜେଡିର ଗଡ଼ ଥିଲା। ବିଜେଡିରେ ରହିଲେ ହିଁ ଏହି ଅଞ୍ଚଳର ଯେଉଁ ବିକାଶ ଚିନ୍ତା କରିଛି, ତାହା ପୂରଣ କରିବା ସହଜ ହେବ। ଏଣୁ ଯେବେ ଯିବି ବିଜେଡିକୁ ହିଁ ଯିବି। କେବଳ ୬୫ ନମ୍ବର ୱାର୍ଡର ସ୍ବାଧୀନ କର୍ପୋରେଟରଙ୍କୁ ଛାଡ଼ି ଦେଲେ ଅନ୍ୟମାନେ ସିଧାସଳଖ କହୁନଥିଲେ ମଧ୍ୟ ବିଜେଡିରେ ସାମିଲ ହେବା ନେଇ ଯୋଜନା କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର