ଭୁବନେଶ୍ୱର: ରକ୍ଷଣାବେକ୍ଷଣ ଅଭାବରୁ ରାଜଧାନୀର ପାର୍କମାନଙ୍କ ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡ଼ୁଛି। ମହାକାଳ ଫଳ ଭଳି ବାହାରୁ ବେଶ୍‌ ସୁନ୍ଦର ଦେଖାଯାଉଥିବା ପାର୍କଗୁଡ଼ିକର ଭିତର ଅବସ୍ଥା ପୋଡ଼ାଅଙ୍ଗାର ସଦୃଶ ହୋଇଗଲାଣି। ରାଜଧାନୀର କେନ୍ଦ୍ରସ୍ଥଳରେ ଲୋକସେବାଭବନ ସମ୍ମୁଖରେ ଥିବା ସବୁଠୁ ପୁରୁଣା ଇନ୍ଦିରା ଗାନ୍ଧୀ ପାର୍କର ଅବସ୍ଥା ଏହାର ନଗ୍ନ ଉଦାହରଣ। ପ୍ରତି ବର୍ଷ ଏକାମ୍ର ଉତ୍ସବ ସମୟରେ ଏହାକୁ ବଧୂ ବେଶର ସଜାଯାଏ। ହେଲେ ଉତ୍ସବ ପରେ ଯଥା ପୂର୍ବ ତଥା ପରଂ ସ୍ଥିତି ହୋଇଯାଏ। ପାର୍କରେ ଥିବା ଇନ୍ଦିରାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ମଳିନ ପଡ଼ିଗଲାଣି। ପ୍ରତିମୂର୍ତ୍ତି ଚାରିପଟେ ଲାଗିଥିବା ବ୍ୟାରିକେଡ୍‌ ମଧ୍ୟ ଭାଙ୍ଗିଲାଣି। ଅନ୍ୟତମ ଆକର୍ଷଣ ଡେଣା ଲାଗିଥିବା ଚେୟାର୍‌ର ସିଟ୍‌ ଆଉ ନାହିଁ। କେବଳ ସେତିକି ନୁହେଁ ପାର୍କ ପରିସରରେ ପଥର ପ୍ରତିମୂର୍ତ୍ତିଗୁଡ଼ିକରେ ଶିଉଳି ଲାଗିଯାଇଥିବା ବେଳେ କିଛି ଭାଙ୍ଗିଗଲାଣି। ଉପରକୁ ବେଶ୍ ଚିକ୍କଣ ଦେଖାଯାଉଥିବା ଏହି ପାର୍କ ଭିତରେ ଲୋକଙ୍କ ପାଇଁ ମୌଳିକ ସୁବିଧା କିଛି ନାହିଁ। ପାର୍କକୁ ନିୟମିତ ଭାବେ ପରିଷ୍କାର କରାଯାଉ ନଥିବା ଅଭିଯୋଗ ହେଉଛି।

Advertisment

ଇ-ଟଏଲେଟ୍‌ କାମକରୁନି
ୱାଟର୍‌ ଫାଉଣ୍ଟେନ୍‌ ଅଚଳ
ନଷ୍ଟ ହୋଇଗଲାଣି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମଡେଲ

ସେହିପରି ଶୌଚାଳୟଗୁଡ଼ିକୁ ଭଲରେ ସଫା କରାଯାଉ ନଥିବା ଅଭିଯୋଗ ହେଉଛି। ପାର୍କରେ ଲାଗିଥିବା ଇ-ଟଏଲେଟ୍‌ଗୁଡ଼ିକର ଅବସ୍ଥା ବି ତଦ୍ରୂପ। ପାଖାପାଖି ତିନିବର୍ଷରୁ ଅଧିକ ସମୟ ହେବ ଏସବୁ ଖରାପ ହୋଇପଡ଼ିଛି। କେବଳ ସେତିକି ନୁହେଁ, ପାର୍କ ଚାରିପଟେ ବର୍ଷାଜଳ ସଂରକ୍ଷଣ ପାଇଁ ତିଆରି ହୋଇଥିବା କୁଣ୍ଡରେ ଆବର୍ଜନା ଗଦା ହୋଇରହିଛି। ଫଳରେ ସେସବୁ ପଚିସଢ଼ି ପ୍ରବଳ ଦୁର୍ଗନ୍ଧ ବାହାରୁଛି। ସେହିଭଳି ୩ଟି ଯାକ ୱାଟର୍‌ ଫାଉଣ୍ଟେନ୍‌ ଅଚଳ ହୋଇପଡ଼ିଛି। ପାର୍କର ଅଧିକାଂଶ ସ୍ଥାନରେ ବଣବୁଦା ହୋଇଗଲାଣି। ସେହିପରି ପାର୍କ ପରିସରରେ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମଡେଲ୍‌ ମଧ୍ୟ ନଷ୍ଟ ହୋଇଗଲାଣି। ତେବେ ଏନେଇ ବିଡିଏର ମୁଖ୍ୟ ଉଦ୍ୟାନବିତ୍‌ ସୁକାନ୍ତ ସ୍ୱାଇଁ କହିଛନ୍ତି, ଵାଟର୍‌ ଫାଉଣ୍ଟେନ୍‌ କଥା ଯନ୍ତ୍ରୀମାନେ ବୁଝୁଛନ୍ତି। ଏଥିପାଇଁ ବଜେଟ୍‌ ଚୂଡ଼ାନ୍ତ ହୋଇଛି। ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ। ପାର୍କକୁ ନିୟମିତ ସଫା କରାଯାଉଛି। ଇ-ଟଏଲେଟ୍‌ ପାଇଁ ଆମେ ବହୁଥର ବିଏମ୍‌ସିକୁ ଚିଠି ଲେଖିଛୁ।