ଦୃଢ଼ମନା ଓ ଦୂରଦର୍ଶୀ ନେତ୍ରୀ ଥିଲେ ଇନ୍ଦିରା ଗାନ୍ଧୀ

ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଜାତୀୟ ସଂହତି ଦିବସ

ଭୁବନେଶ୍ୱର: ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ରାଜ୍ୟସ୍ତରୀୟ ଇନ୍ଦିରା ଗାନ୍ଧୀ ସ୍ମୃତି ସମିତିର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ଜାତୀୟ ସଂହତି ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଇନ୍ଦିରା ଗାନ୍ଧିଙ୍କର ବହୁମୁଖୀ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ଭାରତବର୍ଷର ଏକତା, ଅଖଣ୍ଡତା, ସମୃଦ୍ଧି ପାଇଁ ସେ ଆଜୀବନ ସଂଗ୍ରାମ କରିଥିଲେ ବୋଲି ଶ୍ରୀ ଶତପଥୀ କହିଥିଲେ। ସମ୍ମାନିତ ଅତିଥି ଜଟଣୀ ବିଧାୟକ ସୁରେଶ ରାଉତରାୟ କହିଲେ ଯେ ଜଣେ ଉଚ୍ଚକୋଟୀର ରାଷ୍ଟ୍ରନୀତିଜ୍ଞ, ଦକ୍ଷ ପ୍ରଶାସକ, ପ୍ରଭାବୀ ନେତ୍ରୀ, ଦୂରଦୃଷ୍ଟିସଂପନ୍ନ ମହିଳା ଭାବେ ସ୍ବର୍ଗତା ଗାନ୍ଧି ଭାରତ ସମେତ ପୂରା ବିଶ୍ୱରେ ପରିଚିତ।

ସମ୍ମାନିତ ଅତିଥି ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସଂପାଦକ କସ୍ତୁରୀ ମହାପାତ୍ର କହିଲେ ଯେ ରାଷ୍ଟ୍ର ନିର୍ମାଣରେ ଇନ୍ଦିରା ଗାନ୍ଧିଙ୍କ ଭୂମିକା ଅତୁଳନୀୟ। ନାରୀ ସଶକ୍ତୀକରଣଠାରୁ ଆରମ୍ଭ କରି ସମାଜର ନିମ୍ନବର୍ଗର ଜନସାଧାରଣଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ନିମନ୍ତେ ତାଙ୍କର ପ୍ରଚେଷ୍ଟା ସର୍ବଦା ସ୍ମରଣୀୟ ହୋଇ ରହିବ।

ମୁଖ୍ୟବକ୍ତା ପୂର୍ବତନ ବିଧାୟକ ଭୁଜବଳ ମାଝୀ ଭୂତପୂର୍ବ ପ୍ରଧାନମନ୍ତ୍ରୀଙ୍କୁ ଜଣେ ଦୃଢ଼ମନା ଓ ଦୂରଦର୍ଶୀ ନେତ୍ରୀ ଭାବେ ବର୍ଣ୍ଣନା କରିଥିଲେ। ତାଙ୍କ ଶାସନ କାଳରେ ଭାରତବର୍ଷର ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ପ୍ରଗତି ହୋଇଥିଲା। ଦେଶର ସୁରକ୍ଷା ଓ ଅଖଣ୍ଡତା ରକ୍ଷା ପାଇଁ ସେ ସର୍ବଦା ଚେଷ୍ଟିତ ଥିଲେ ବୋଲି ଶ୍ରୀ ମାଝୀ କହିଥିଲେ।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ରନାଥ ପରିଡ଼ା ସ୍ୱାଗତ ଭାଷଣ ଦେଇଥିଲେ। ସଭା ଆରମ୍ଭରେ ଅତିଥିମାନେ ଇନ୍ଦିରାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ରାଜ୍ୟସ୍ତରୀୟ ଇନ୍ଦିରା ଗାନ୍ଧି ସ୍ମୃତି ସମିତିର (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର