ଭୁବନେଶ୍ୱର: ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ସଂକଳ୍ପ ଦିବସ ପାଳିତ ହୋଇଯାଇଛି। ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗଦେଇ କହିଲେ ଯେ ଅନେକ ଜାତି, ଧର୍ମ, ବର୍ଣ୍ଣ, ଭାଷା ଓ ଚଳଣି ସତ୍ତ୍ୱେ ଭାରତର ଏକତା ଓ ସଂହତି ଅକ୍ଷୂଣ୍ଣ ରହିଛି। ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ପ୍ରତ୍ୟେକ ଭାରତୀୟଙ୍କ କର୍ତ୍ତବ୍ୟ। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ସେହିଭଳି ଜଣେ ରାଷ୍ଟ୍ରନେତା। ରାଷ୍ଟ୍ର ନିର୍ମାଣରେ ତାଙ୍କ ଭୂମିକା ଅତୁଳନୀୟ ବୋଲି ମତ ରଖିଥିଲେ।

Advertisment

ମୁଖ୍ୟବକ୍ତା ଭାବେ ଇନ୍ଦିରା ଗାନ୍ଧି ସ୍ମୃତି ସମିତିର ସାଧାରଣ ସଂପାଦକ ଅମିୟ କୁମାର ପଟ୍ଟନାୟକ ଯୋଗଦେଇ ଇନ୍ଦିରା ଗାନ୍ଧିଙ୍କ ବହୁମୁଖୀ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ସେହିପରି ସମ୍ମାନିତ ଅତିଥିଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଯୋଗଦେଇ ଇନ୍ଦିରା ଗାନ୍ଧୀଙ୍କୁ ଜଣେ ଦୂରଦର୍ଶୀ ଏବଂ ଦୃଢ଼ମନା ନାରୀନେତ୍ରୀ ଭାବେ ଅଭିହିତ କରିଥିଲେ। ତାଙ୍କର ଶାସନ କାଳରେ ଭାରତ ବର୍ଷର ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ପ୍ରଗତି କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ପ୍ରଗତି ଘଟିଥିଲା ବୋଲି ବକ୍ତବ୍ୟ‌ରେ ମତ ରଖିଥିଲେ। କାର୍ଯ୍ୟକ୍ରମକୁ ସୂଚନା ଅଧିକାରୀ ପ୍ରମିଳା ମାଝୀ ସଂଚାଳନ କରିଥିବା ବେଳେ ବିଭାଗୀୟ ନିର୍ଦ୍ଦେଶକ ସୁରେନ୍ଦ୍ରନାଥ ପରିଡ଼ା ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି, ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେଇଥିଲେ।