ଭୁବନେଶ୍ବର: ସୋମବାର ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ। ସମସ୍ତଙ୍କ ନଜର ରହିଛି ବିଜେଡିର ବିଦ୍ରୋହୀ ପ୍ରାର୍ଥୀଙ୍କ ଉପରେ। ସେମାନେ ଲଢ଼େଇ ମଇଦାନ ଛାଡ଼ିବେ ନା ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ଖୋଲା ଯୁଦ୍ଧ କରିବେ? ମଇଦାନ ଛାଡ଼ିବା ପାଇଁ ସେମାନଙ୍କୁ ଆଜି ବିଳମ୍ବିତ ରାତି ଯାଏ ଦଳ ପକ୍ଷରୁ ବୁଝାସୁଝା ଜାରି ରହିଛି।
କାହାକୁ ଦଳୀୟ ଓ ସରକାରୀ ପଦପଦବି ଲୋଭ ଦେଖାଯାଉଛି ତ କାହାକୁ ଚେତାବନୀ ବି ଦିଆଯାଉଛି। ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ଦଳୀୟ ପ୍ରାର୍ଥୀଙ୍କୁ ସହଯୋଗ କଲେ ୱାର୍ଡର ବିକାଶ କାର୍ଯ୍ୟରେ ସେମାନଙ୍କୁ ସାମିଲ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଉଛି। କିନ୍ତୁ ଦଳ ପାଇଁ ଅଡ଼ୁଆ ସୃଷ୍ଟି କଲେ ସବୁଦିନ ପାଇଁ ଦଳ ସେମାନଙ୍କୁ ଦୂରେଇ ଦେବ ବୋଲି ରୋକ୍ଠୋକ୍ ଜଣାଇ ଦିଆଯାଉଛି। ଏପରିକି ବିଜେଡିର ବରିଷ୍ଠ ନେତାମାନେ ବିଦ୍ରୋହୀଙ୍କୁ ଡାକି ରୁଦ୍ଧଦ୍ବାର ବୈଠକ କରିଛନ୍ତି।
ବିଦ୍ରୋହୀଙ୍କୁ ବୁଝାସୁଝା କରିବାର ମୁଖ୍ୟ ଦାୟିତ୍ବ ମୁଣ୍ଡାଇଛନ୍ତି ଭୁବନେଶ୍ବରର ତିନି ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ସୁଶାନ୍ତ କୁମାର ରାଉତ ଓ ଅନନ୍ତ ନାରାୟଣ ଜେନା। ସମସ୍ତଙ୍କ ଲାଗି କର ବା ମର ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଯେକୌଣସି ପ୍ରକାରେ ବିଦ୍ରୋହୀଙ୍କୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ ଚାଲିଛି। ଆଜି ରାତି ସୁଦ୍ଧା ବହୁ ବିଦ୍ରୋହୀ ବୁଝିଯାଇଥିବା ଜଣାପଡ଼ିଛି। କିନ୍ତୁ ଶେଷ ପର୍ଯ୍ୟନ୍ତ କିଛି ବିଦ୍ରୋହୀ ବୁଝିନାହାନ୍ତି। ସେମାନେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେନି ବୋଲି ରୋକ୍ଠୋକ୍ ଜଣାଇଦେଇଛନ୍ତି।
ଇତିମଧ୍ୟରେ ୨୯ରେ ପୂର୍ବତନ କର୍ପୋରେଟର ଶେକ୍ ନିଜାମୁଦ୍ଦିନ୍ଙ୍କୁ ବୁଝଇବାରେ ଦଳର ନେତୃବୃନ୍ଦ ସକ୍ଷମ ହୋଇଛନ୍ତି। ସେ ଏବେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାରର ମଙ୍ଗ ଧରିଛନ୍ତି। ସେହିପରି ବିଜେଡି ଛାଡ଼ି ୧୯ ନମ୍ବର ୱାର୍ଡରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଜ୍ୟୋତ୍ସ୍ନାରାଣୀ ରାଉତରାୟ ମଧ୍ୟ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିସାରିଛନ୍ତି।
ଦଳର ଆଭ୍ୟନ୍ତରୀଣ ମହଲରୁ ମିଳିଥିବା ସୂଚନା ଅନୁଯାୟୀ ୧୪ ନମ୍ବର ୱାର୍ଡରେ ସ୍ବାଧୀନ ଭାବେ ଲଢ଼ିବାକୁ ପ୍ରାର୍ଥିପତ୍ର ଦାଖଲ କରିଥିବା ଦେବୀ ପ୍ରସାଦ ମଲ୍ଲିକଙ୍କ ପତ୍ନୀ ସନ୍ଧ୍ୟାରାଣୀ ମଲ୍ଲିକ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ ରାଜି ହୋଇଛନ୍ତି। ୧୨ ନମ୍ବର ୱାର୍ଡରେ ସଞ୍ଜୟ ସେଠୀଙ୍କ ପତ୍ନୀ ମଧ୍ୟ ନିର୍ବାଚନ ପ୍ରକ୍ରିୟାରୁ ଓହରୁଥିବା ଜଣାପଡ଼ିଛି।
ପୂର୍ବତନ କର୍ପୋରେଟର ସଞ୍ଜୟ ବଳିୟାରସିଂହ ସ୍ବାଧୀନ ଭାବେ ନାମାଙ୍କନ ଦାଖଲ କରି ୧୦ ନମ୍ବର ୱାର୍ଡରେ ବିଜେଡି ଲାଗି କଣ୍ଟା ସାଜିଥିଲେ। ଦଳର ନେତୃବୃନ୍ଦ ତାଙ୍କୁ ବୁଝାଇବାରେ ମଧ୍ୟ ସକ୍ଷମ ହୋଇଛନ୍ତି। ସୋମବାର ସେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରୁଥିବା ନେଇ ସୂଚନା ମିଳିଛି। ୭ ନମ୍ବର ୱାର୍ଡରୁ ଦୁଇ ଜଣ ସ୍ବାଧୀନ ପ୍ରାର୍ଥୀ ଓହରିବା ସହ ବିଜେଡି ପ୍ରାର୍ଥୀଙ୍କ ଲାଗି ପ୍ରଚାର କରୁଛନ୍ତି। ଏଠାକାର ପୂର୍ବତନ କର୍ପୋରେଟର ସ୍ବର୍ଣ୍ଣପ୍ରଭା ରାୟ ସ୍ବାଧୀନ ଭାବେ ମଇଦାନକୁ ଓହ୍ଲାଇଛନ୍ତି। ତେବେ ରାତି ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ସେ ନିର୍ବାଚନ ପ୍ରକ୍ରିୟାରୁ ଓହରିବେ।
୩୮ ନମ୍ବର ୱାର୍ଡରେ ବିଜେଡି ପାଇଁ କଣ୍ଟା ହୋଇଛନ୍ତି ପୂର୍ବତନ କର୍ପୋରେଟର ନିଖିଳ ବଳବନ୍ତରାୟଙ୍କ ପତ୍ନୀ ରାଜଶ୍ରୀ ମହାନ୍ତି। ପୂର୍ବରୁ ବିଜେଡିରୁ ଟିକେଟ୍ ପାଇ ନିଖିଲ କର୍ପୋରେଟର ହୋଇଥିଲେ। ହେଲେ ଏଥର ପଦ୍ମଜା ପ୍ରିୟଦର୍ଶିନୀ ଜେନା ଟିକେଟ୍ ପାଇବାରୁ ତାଙ୍କ ପତ୍ନୀ ରାଜଶ୍ରୀଙ୍କୁ ସେ ସ୍ବାଧୀନ ପ୍ରାର୍ଥୀ କରିଛନ୍ତି। ତେବେ ରାଜଶ୍ରୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ବୋଲି ବିଜେଡି ଏକ ପ୍ରକାର ନିଶ୍ଚିତ ଥିବା ବେଳେ ଲଢ଼େଇ ପାଇଁ ପ୍ରସ୍ତୁତି ଚାଲିଥିବା କହିଛନ୍ତି ନିଖିଳ।
ସେହିପରି ୩୭ ନମ୍ବର ୱାର୍ଡରେ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ହେଉଛନ୍ତି ବନ୍ଦିତା ପାଲ୍। ସାଧାରଣ ନିର୍ବାଚନ ବେଳେ ତାଙ୍କ ସ୍ବାମୀ ଅର୍ଜୁନ ବେହେରା ବିଜେଡିରେ ଯୋଗ ଦେଇଥିଲେ। ଏଥର ସେ ତାଙ୍କ ପତ୍ନୀଙ୍କ ପାଇଁ ବିଜେଡିରୁ ଟିକେଟ୍ ଆଶାୟୀ ଥିଲେ। ହେଲେ ସୁଯୋଗ ନ ମିଳିବାରୁ ତାଙ୍କ ପତ୍ନୀ ସ୍ବାଧୀନ ଭାବେ ଛିଡ଼ା ହୋଇଛନ୍ତି। ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ତାଙ୍କ ଉପରେ ପ୍ରବଳ ଚାପ ପଡ଼ିଛି। ହେଲେ ପ୍ରତ୍ୟାହାର ନୁହେଁ, ବରଂ ଲଢ଼େଇ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ଅର୍ଜୁନ। ତିନି ପ୍ରମୁଖ ଦଳ ପ୍ରାର୍ଥୀଙ୍କ ସହ ଆଉ ଦୁଇଜଣ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ଏଠାରେ ଲଢ଼ୁଛନ୍ତି।
/sambad/media/post_attachments/wp-content/uploads/2022/01/election-ccccamp-300x200.jpg)
୩୯ ନମ୍ବର ୱାର୍ଡରେ ବିଚିତ୍ର ସ୍ଥିତି ରହିଛି। ଏଠାରେ ତିନିଜଣ ବିଦ୍ରୋହୀ ରହିଛନ୍ତି। ବିଜେଡିରୁ ଜିତି କର୍ପୋରେଟର ହୋଇଥିବା ପ୍ରତିଭା ସାମନ୍ତରାୟଙ୍କୁ ଏଥର ଟିକେଟ୍ ମିଳିନାହିଁ। ଏଣୁ ସେ ସ୍ବାଧୀନ ଭାବେ ଲଢ଼ୁଛନ୍ତି। ସେହିଭଳି ଦୀର୍ଘ ଦିନ ହେବ ଛାତ୍ର ବିଜେଡିର ରାଜ୍ୟ ସମ୍ପାଦକ ରହିଥିବା ସାଗର ବଳବନ୍ତରାୟଙ୍କ ପତ୍ନୀ ଋତିକା ବଳବନ୍ତରାୟ ମଧ୍ୟ ସ୍ବାଧୀନ ଭାବେ ପ୍ରାର୍ଥୀ ହୋଇଛନ୍ତି। ସେହିଭଳି ପୂର୍ବତନ କର୍ପୋରେଟର୍ ନରେନ ସାହୁଙ୍କ ପରିବାରର ସଦସ୍ୟା ନମିତା ସାହୁ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି।
ଏହି ତିନି ଜଣ ମଇଦାନରେ ରହିବେ ନା ଛାଡ଼ିବେ, ତାହା କାଲି ସ୍ପଷ୍ଟ ହେବ। ୬୦ରୁ ବିଜେଡି ବିଦ୍ରୋହୀ ପ୍ରାର୍ଥୀ ଚନ୍ଦ୍ରଶେଖର ମଲିଆ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ କି ନାହିଁ, ତାହା ସ୍ପଷ୍ଟ ହୋଇନି। ୬୫ ନମ୍ବର ୱାର୍ଡରେ ବଳରାମ ସ୍ବାଇଁ, ରଶ୍ମିରଞ୍ଜନ ପାଟ୍ଟଶାଣୀ, କିଶୋରୀ ପଟ୍ଟନାୟକ ପ୍ରମୁଖ ଅସନ୍ତୁଷ୍ଟ ବିଜେଡି ପ୍ରାର୍ଥୀ ରହିଛନ୍ତି। ସେମାନଙ୍କ ସହ ବୁଝାମଣା ପାଇଁ ଜୋର୍ଦାର ଉଦ୍ୟମ ଚାଲିଛି। ଆଜି ରାତି ସୁଦ୍ଧା ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇନି।
ପୂର୍ବରୁ କର୍ପୋରେଟର ନ ହୋଇ ଦଳର ବିଭିନ୍ନ ପଦପଦବିରେ ଥିବା କିଛି ବିଜେଡି ନେତାଙ୍କୁ ବୁଝାଇବାରେ ମଧ୍ୟ ସକ୍ଷମ ହୋଇଛନ୍ତି ଦଳର ନେତୃବୃନ୍ଦ।
କେତେକ ୱାର୍ଡରେ ବିଜେଡିର ଏମିତି କିଛି ନେତା ପ୍ରାର୍ଥୀ ହୋଇଛନ୍ତି ଯେଉଁମାନଙ୍କ ପାଖରେ ପକେଟ୍ ଭୋଟ ହିଁ ନାହିଁ। ମାତ୍ର ସ୍ବାଧୀନ ଭାବେ ଛିଡ଼ା ହୋଇ ଦଳକୁ ଧମକାଇବାକୁ ଉଦ୍ୟମ କରୁଛନ୍ତି। ସେମାନଙ୍କ ଲାଗି ଦଳ ରଣନୀତିରେ କୌଣସି ପରିବର୍ତନ କରିନି। ବରଂ ଶେଷ ସୁଯୋଗ ଦେଇଛି। ୧୪ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ଥିବାରୁ ସେମାନେ ମଇଦାନରୁ ଓହରିଯାଇ ଦଳୀୟ ପ୍ରାର୍ଥୀଙ୍କ ଜିତାଇବାରେ ସହଯୋଗ କରିବେ ବୋଲି ଆଶା ରଖାଯାଇଛି।
ବିଜେଡିର ଜିଲ୍ଲା ସଭାପତି ତଥା ବିଧାୟକ ସୁଶାନ୍ତ ରାଉତ କହିଛନ୍ତି, ଭୁବନେଶ୍ବର ବିଜେଡିରେ କୌଣସି ଅସନ୍ତୁଷ୍ଟ କିମ୍ବା ବିଦ୍ରୋହ ନାହିଁ। ସମସ୍ତେ ବିଜେଡି ସହ ରହିଛନ୍ତି। ଯିଏ ବିଜେଡି ଟିକେଟ୍ ପାଇନାହାନ୍ତି ସେ ଅଭିମାନରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସୋମବାର ପ୍ରତ୍ୟାହାରର ଶେଷ ସୁଯୋଗ ରହିଛି। ମୋର ଆଶା ସେମାନେ ଦଳର ନିଷ୍ପତ୍ତିକୁ ମାନିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ସେମାନେ ସାରଥୀ ହୋଇ ବିଜେଡି ପ୍ରାର୍ଥୀଙ୍କୁ ବିଜୟ କରାଇବେ ବୋଲି ବିଶ୍ବାସ ରହିଛି।