ଭୁବନେଶ୍ବର: ପଦୋନ୍ନତିକୁ ବର୍ଷେ, ବଦଳିକୁ ୯ ମାସ ପୂରି ଗଲାଣି। କିନ୍ତୁ ଥାନାବାବୁଙ୍କୁ ରିଲିଭ୍ ମିଳୁନି କି ତାଙ୍କ ସ୍ଥାନରେ ନୂଆ ନିଯୁକ୍ତି ଦିଆଯାଉନାହିଁ। କମିସନରେଟ୍ ପୁଲିସର ସବୁଠୁ ଗୁରୁତ୍ବପୂର୍ଣ୍ଣ କ୍ୟାପିଟାଲ ଥାନାରେ ଏ ଅବ୍ୟବସ୍ଥା। ଡିଏସ୍ପି ଗିରିଜା ଶଙ୍କର ଚକ୍ରବର୍ତ୍ତୀଙ୍କ ଗତ ଏପ୍ରିଲ ମାସରେ ସୋନପୁର ଜିଲ୍ଲା ଡିଆଇବିକୁ ବଦଳି ହୋଇଥିଲା। ଏହା ଭିତରେ ୯ ମାସ ବିତି ଗଲାଣି। ନିୟମ ଅନୁସାରେ, ପଦୋନ୍ନତି ପାଇବା ସହ ଯଦି ଗୋଟିଏ କ୍ୟାଲେଣ୍ଡର୍ ବର୍ଷରେ ବଦଳି ହୋଇଥିବା ସ୍ଥାନରେ ଅଧିକାରୀଜଣଙ୍କ ଯୋଗ ନଦିଅନ୍ତି, ତାହେଲେ ବରିଷ୍ଠତା ହରାଇବେ। କିନ୍ତୁ ଶ୍ରୀ ଚକ୍ରବର୍ତ୍ତୀ ବରିଷ୍ଠତା ହରାଇ ମଧ୍ୟ ସେହି କ୍ୟାପିଟାଲ ଆଇଆଇସି ଦାୟିତ୍ବ ତୁଲାଉଛନ୍ତି। ତାଙ୍କୁ ରିଲିଭ୍ ମଧ୍ୟ କରାଯାଉନାହିଁ।
ତେବେ ବର୍ଷ ଶେଷରେ ନୂଆପଲ୍ଲୀ ଥାନାର ତତ୍କାଳୀନ ଆଇଆଇସି ଶରତ ସାହୁଙ୍କୁ ରିଲିଭ୍ ଅର୍ଡର୍ ମିଳିବାରୁ ସେ କ୍ରାଇମବ୍ରାଞ୍ଚରେ ଡିଏସ୍ପି ଭାବେ ଯୋଗ ଦେଇଛନ୍ତି। ଫଳରେ ସେ ବରିଷ୍ଠତା ହରାଇବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏବେ ତାଙ୍କ ସ୍ଥାନ ଫାଙ୍କା ପଡ଼ିଥିବା ବେଳେ ନିକଟରେ ଭରତପୁର ଆଇଆଇସି ଭାବେ ଯୋଗ ଦେଇଥିବା ଇନ୍ସପେକ୍ଟର୍ ବିଶ୍ବରଞ୍ଜନ ସାହୁଙ୍କୁ ନୂଆପଲ୍ଲୀ ଥାନାର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଖାରବେଳନଗର ଆଇଆଇସି ଦାୟିତ୍ବ ତୁଲାଉଥିବା ଏସିପି ଅରୁଣ ସ୍ବାଇଁ ନିଜର ବଦଳି ହୋଇଥିବା ସ୍ଥାନରେ ପୂର୍ବରୁ ଯୋଗ ଦେଇସାରିଛନ୍ତି। କିନ୍ତୁ ୯ମାସ ପରେ ମଧ୍ୟ ତାଙ୍କୁ ନୂଆ ପଦ ମିଳୁନାହିଁ କିମ୍ବା ଖାରବେଳନଗର ଥାନାରେ ନୂଆ ଆଇଆଇସିଙ୍କୁ ନିଯୁକ୍ତି ଦିଆଯାଉନାହିଁ।
ବରିଷ୍ଠତା ହରାଉଛନ୍ତି ଅଧିକାରୀ
କମିସନରେଟ୍ ପୁଲିସକୁ ମିଳୁନାହାନ୍ତି ଇନ୍ସପେକ୍ଟର୍!
ନୂଆପଲ୍ଲୀ ଅତିରିକ୍ତ ଦାୟିତ୍ବରେ ଭରତପୁର ଆଇଆଇସି
ସ୍ପେସାଲ ସ୍କ୍ବାଡ୍ ଓ ଜୋନ୍-୫ ଦାୟିତ୍ବରେ ଜଣେ ଏସିପି
କମିସନରେଟ ପୁଲିସ ୧୩ବର୍ଷ ପୂରଣ କରି ୧୪ରେ ପହଞ୍ଚିଛି। ବୁଧବାର ୧୪ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି। କିନ୍ତୁ ଇନ୍ସପେକ୍ଟର୍ ମରୁଡ଼ି କମିସନରେଟ ପୁଲିସର ପିଛା ଛାଡ଼ୁନି। ଏବେ ଦୁଇଟି ଥାନାରେ ୯ମାସ ହେଲାଣି ଡିଏସ୍ପି ପାହ୍ୟାର ଅଧିକାରୀ ଆଇଆଇସି ଦାୟିତ୍ବ ତୁଲାଉଥିବା ବେଳେ ଆଉ ଗୋଟିଏ ଥାନାରେ ଜଣେ ଆଇଆଇସିଙ୍କୁ ଅତିରିକ୍ତ ଦାୟିତ୍ବ ତୁଲାଇବାକୁ ପଡ଼ୁଛି। ସେହିପରି ସହିଦନଗର, ଚନ୍ଦ୍ରଶେଖରପୁର, ନନ୍ଦନକାନନ ଥାନା ଆଇଆଇସି ନିକଟରେ ଡିଏସପି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି। ଯେକୌଣସି ମୁହୂର୍ତ୍ତରେ ସେମାନଙ୍କର ବଦଳି ନିର୍ଦ୍ଦେଶ ବାହାରିପାରେ। ଏହା ପରେ ପୁଣି ସେହି ସମାନ ସଂକଟ ଉପୁଜିବ, ଏଥିରେ ସନ୍ଦେହ ନାହିଁ।
ସେହିପରି ପ୍ରାୟ ୪ମାସ ହେଲା ଜୋନ୍-୫ ଏସିପି ଭାବେ ନିଯୁକ୍ତ ପାଇଥିବା ସଞ୍ଜୀବ ଶତପଥୀ ସ୍ପେସାଲ ସ୍କ୍ବାଡ୍ ଏସିପି ଦାୟିତ୍ବ ମଧ୍ୟ ତୁଲାଉଛନ୍ତି। ଜୋନ୍-୫ ଅଧୀନରେ ମଞ୍ଚେଶ୍ବର, ନୂଆପଲ୍ଲୀ, ସହିଦନଗର ଭଳି ତିନି ଗୁରୁତ୍ବପୂର୍ଣ୍ଣ ଥାନା ଥିବା ବେଳେ ଗତବର୍ଷର ତିନୋଟି ହତ୍ୟାକାଣ୍ଡ ଉପରୁ ଏଯାଏ ପରଦା ଉଠି ପାରିନାହିଁ। ସେହିପରି ଅପରାଧ, ଆଇନଶୃଙ୍ଖଳା ଦୃଷ୍ଟିରୁ ଏହି ଜୋନ୍ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ। ଶ୍ରୀ ଶତପଥୀଙ୍କୁ ସ୍ପେସାଲ ସ୍କ୍ବାଡ୍ ଏସିପି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଛନ୍ତି। ଦୁଇଟି ଗୁରୁତ୍ବପୂର୍ଣ୍ଣ ପଦରେ ଜଣେ ଏସିପି ରହିବା ନିଶ୍ଚିତ ଭାବେ ଚ୍ୟାଲେଞ୍ଜ ଓ ସମସ୍ୟା ମଧ୍ୟ ସୃଷ୍ଟି କରିଛି।
ସେହିପରି ନିକଟରେ ଭୁବନେଶ୍ବରକୁ ମିଳିଥିବା ୭ ନୂଆ ଇନ୍ସପେକ୍ଟର୍ଙ୍କୁ ବିଭିନ୍ନ ଥାନାରେ ନିଯୁକ୍ତ କରାଯାଇଛି। କ୍ୟାପିଟାଲ, ଖାରବେଳନଗର, ନୂଆପଲ୍ଲୀ ଗୁରୁତ୍ବପୂର୍ଣ୍ଣ ଏବଂ ସମ୍ବେଦନଶୀଳ ଥାନା ହୋଇଥିବାରୁ ଦକ୍ଷ ଇନ୍ସପେକ୍ଟର ମିଳୁ ନାହାନ୍ତି। କମିସନରେଟ ପୁଲିସକୁ ଅଧିକ ସଂଖ୍ୟାରେ ଦକ୍ଷ ଇନ୍ସପେକ୍ଟର ମିଳୁ ନଥିବାରୁ ଏହା ଆଉ ଏକ ସମସ୍ୟା ହୋଇ ଛିଡ଼ା ହୋଇଛି। ବିଚିତ୍ର ବ୍ୟବସ୍ଥା ଦେଇ ଗତି କରୁଛି କମିସନରେଟ୍ ପୁଲିସ। ଏ ସଂକ୍ରାନ୍ତରେ ପୁଲିସ କମିସନର୍ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।