କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ଅଧିକ ଗବେଷଣା ଲୋଡ଼ା

ବାୟୋଲିଗ୍‌ସ ପକ୍ଷରୁ ଇଣ୍ଡୋ ଅଙ୍କୋଲୋଜି ସମିଟ୍‌

ଚନ୍ଦ୍ରଶେଖରପୁର : ଯେକୌଣସି ସାଧାରଣ ଲକ୍ଷଣକୁ ମଧ୍ୟ ଆଦୌ ହେଳା କରିବା କଥା ନୁହେଁ। ତୁରନ୍ତ ଡାକ୍ତରୀ ଚିକିତ୍ସା କରାଇବା ବର୍ତ୍ତମାନ ସମୟର ଏକ ବଡ଼ ଆହ୍ଵାନ ପାଲଟିଛି। କର୍କଟ ରୋଗ ବର୍ତ୍ତମାନ ଭାରତରେ ଏକ ଭୟାବହ ରୋଗ ପାଲଟିଛି। ପ୍ରାଥମିକ ସ୍ତରରେ ଏହାକୁ ଚିହ୍ନଟ କରାଯାଇପାରିଲେ ଏହି ରୋଗରୁ ମୁକ୍ତି ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ମାତ୍ର କର୍କଟ ରୋଗୀମାନଙ୍କୁ କମ୍‌ ପଇସାରେ ଉନ୍ନତ ମାନର ଚିକିତ୍ସା ସୁବିଧା ଯୋଗାଇଦେବାକୁ ହେଲେ ଏହି କ୍ଷେତ୍ରରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି। ବିଶ୍ୱ କର୍କଟ ଦିବସ ଅବ୍ୟବହିତ ପୂର୍ବରୁ ଆଜି ବାୟୋଲିଗ୍‌ସ ପକ୍ଷରୁ ଆୟୋଜିତ ଇଣ୍ଡୋ ଅଙ୍କୋଲୋଜି ସମିଟ-୨୦୧୮ର ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏମ୍‌ସ ଭୁବନେଶ୍ୱରର ନିର୍ଦ୍ଦେଶିକ ଡ. ଗୀତାଞ୍ଜଳି ବି ଏହା ପ୍ରକାଶ କରିଛନ୍ତି। କେତେକ କ୍ଷେତ୍ରରେ ତ୍ରୁଟିପୂର୍ଣ୍ଣ ରିପୋର୍ଟ ଏବଂ ତଥ୍ୟ ମଧ୍ୟ ରୋଗୀକୁ ମରଣ ମୁହଁକୁ ଠେଲି ଦେଉଛି। ଏଥିପ୍ରତି ଚିକିତ୍ସକମାନେ ଗୁରୁତ୍ୱ ଦେବା ଉଚିତ୍‌। ନଚେତ୍‌ ଜନସାଧାରଣଙ୍କର ଡାକ୍ତରୀ ଚିକିତ୍ସା ଉପରୁ ଭରସା ତୁଟିଯିବା ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ ଡ. ଗୀତାଞ୍ଜଳି।

କର୍କଟ ରୋଗ କ୍ଷେତ୍ରରେ ଦେଶର ବିଶିଷ୍ଟ ବିଶେଷଜ୍ଞମାନଙ୍କ ମଧ୍ୟରେ ଜ୍ଞାନର ଆଦାନପ୍ରଦାନ, ଗବେଷଣାମୂଳକ ତଥ୍ୟର ଉପସ୍ଥାପନା, ଗବେଷଣାଲବ୍‌ଧ ତଥ୍ୟର ପରିପ୍ରକାଶ ଓ ଏହି କ୍ଷେତ୍ରରେ ଉନ୍ନତ ମାନର ଚିକିତ୍ସା ସୁବିଧା ଉପଲବ୍ଧ କରାଇବା ପାଇଁ ବ୍ୟାପକ ବିଚାରବିମର୍ଶ ଲାଗି ଆୟୋଜିତ ଏହି ସମିଟ୍‌ରେ ୪ଜଣ ବିଦେଶୀଙ୍କ ସମେତ ୧୭୦ଜଣ କର୍କଟ ରୋଗ ବିଶେଷଜ୍ଞ ଅଂଶଗ୍ରହଣ କରିଛନ୍ତି। ଏମ୍‌ସ ଭୁବନେଶ୍ୱର, ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା କେନ୍ଦ୍ର, କଟକ ଓ ବୁର୍ଲା ମେଡିକାଲ୍‌ କଲେଜ, ସ୍ପର୍ଶ ହସ୍ପିଟାଲ୍‌, କଳିଙ୍ଗ ହସ୍ପିଟାଲ୍‌, କିମ୍‌ସ ଆଦି ହସ୍ପିଟାଲ୍‌ରୁ ମଧ୍ୟ ବିଶେଷଜ୍ଞମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ଏହି ତିନିଦିନିଆ କାର୍ଯ୍ୟକ୍ରମର ଶେଷରେ ପ୍ରସ୍ତୁତ ଏକ ରିପୋର୍ଟ ରାଜ୍ୟ ସରକାର ଓ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ପ୍ରଦାନ କରାଯିବା ନେଇ ଆୟୋଜକ ବିୟୋଲିଗ୍‌ସର ଡ. ରୁଦ୍ର ଭାନୁ ଶତପଥୀ ସୂଚନା ଦେଇଛନ୍ତି। ଏହି ଅବସରରେ ଡ. ଘନଶ୍ୟାମ ବିଶ୍ୱାସ, ଡ. ଏସ୍‌ ଏନ୍‌ ସେନାପତି, ଡ. ଏସ୍‌ କେ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ଏମ୍‌ସରେ ଆରମ୍ଭ ହେବ ୨୫ଟି ମଡ୍ୟୁଲାର୍‌ ଓଟି ସେବା

ଚଳିତ ବର୍ଷ ଜୁନ୍‌ ସୁଦ୍ଧା ଏମ୍‌ସ ଭୁବନେଶ୍ୱରରେ ୨୫ଟି ମଡ୍ୟୁଲାର ଅସ୍ତ୍ରୋପଚାର ଗୃହ (ମଡ୍ୟୁଲାର ଓଟି) ସେବା ଆରମ୍ଭ ହେବ ନେଇ ସୂଚନା ଦେଇଛନ୍ତି ଏମ୍‌ସ ଭୁବନେଶ୍ୱରର ନିର୍ଦ୍ଦେଶିକ ଡ. ଗୀତାଞ୍ଜଳି ବି। ଏହି ୨୫ଟି ମଡ୍ୟୁଲାର ଓଟି ମଧ୍ୟରୁ ୧୫ଟି ଓଟି ଇଣ୍ଟିଗ୍ରେଟେଡ୍‌ ସୁବିଧାଯୁକ୍ତ ହେବ। ଏହା ସହିତ ମେଡିକାଲ ଗ୍ୟାସ୍‌ ପାଇପଲାଇନ୍‌ ଭଳି ସୁବିଧା ମଧ୍ୟ ଉପଲବ୍ଧ କରାଯିବା ନେଇ ଡ. ଗୀତାଞ୍ଜଳି ଆଜି ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଏମ୍‌ସ ଭୁବନେଶ୍ୱରରେ ୪୦ଟି ବିଭାଗ ମଧ୍ୟରୁ ଫାକଲ୍‌ଟି ଅଭାବରୁ ସର୍ଜରି, ଗ୍ୟାସ୍‌ଟ୍ରୋ ଏଣ୍ଟେରୋଲୋଜି ଓ ନେଫ୍ରୋଲୋଜି ଆଦି ବିଭାଗ ଆରମ୍ଭ ହୋଇପାରିନାହିଁ। ଗତକାଲି ଏଠାରେ ରେଡିଏସନ୍‌ ଥେରାପି ଚିକିତ୍ସା କ୍ଷେତ୍ରରେ ଅତ୍ୟାଧୁନିକ ସେବା ବ୍ୟବସ୍ଥା ଆରମ୍ଭ ହୋଇଛି। ରୋଗୀ ସେବାକୁ ପ୍ରାଥମିକତା ଦେଇ ଏମ୍‌ସ ଭୁବନେଶ୍ୱର ଜୀବ ବିଜ୍ଞାନ ପ୍ରତିଷ୍ଠାନ ଭଳି ପ୍ରତିଷ୍ଠିତ ସଂସ୍ଥା ସହିତ ମିଶି ଗବେଷଣା ଉପରେ ଅଧିକ ଧ୍ୟାନ ଦେଉଥିବା ଡ. ଗୀତାଞ୍ଜଳି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର