ଭୁବନେଶ୍ୱର: ମନ୍ଦିରମାଳିନୀ ଭୁବନେଶ୍ୱରରୁ ସ୍ମାର୍ଟ ସିଟି ଭୁବନେଶ୍ୱର ହେବା ଭିତରେ ରାଜଧାନୀର ଇତିହାସ ଗୋଟିଏ ଝଲକରେ ଦେଖିବାକୁ ମିଳିବ। ରାଜଧାନୀର କେଉଁଠି କେଉଁ କୀର୍ତ୍ତିରାଜି ଅଛି, ମନ୍ଦିର ଅଛି, ପ୍ରମୁଖ ଅନୁଷ୍ଠାନ ଅଛି, ତାହାର ନକ୍ସା ଓ ମ୍ୟାପ୍ ଗୋଟିଏ ଜାଗାରେ ରହିବ। ଯେ କେହି ବି ଏଠାକୁ ଆସିବ, ସେ ଭୁବନେଶ୍ୱରର ଆରମ୍ଭରୁ ବର୍ତ୍ତମାନ ଯାଏଁ ଘଟିଥିବା ଘଟଣାବଳୀଠାରୁ ଆରମ୍ଭ କରି ଭୁବନେଶ୍ୱର ସମ୍ବନ୍ଧୀୟ ସମସ୍ତ ତଥ୍ୟ ଗୋଟିଏ ସ୍ଥାନରେ ପାଇପାରିବ। ଏଥିପାଇଁ ଏଜି ଛକରେ ହେବ ମ୍ୟୁଜିୟମ୍ ଅଫ୍ ଅର୍ବାନ୍ ହିଷ୍ଟ୍ରି। ସ୍ମାର୍ଟ ସିଟି ଯୋଜନାରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପରେ ଇନ୍ଦିରା ଇଂରାଜୀ ମାଧ୍ୟମ ସ୍କୁଲ ବାଧକ ସାଜିଥିଲା। ଏପରିକି ମ୍ୟୁଜିୟମ ହେବାକୁ ଥିବା ଜମି ସ୍କୁଲ ଦଖଲରେ ଥିବାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନଥିଲା। ରାଜ୍ୟ ସରକାର ଏହି ଜମିକୁ ଦଖଲ କରିବାକୁ ବହୁ ଯୋଜନା କରିଥିଲେ ବି ସଫଳ ହୋଇନଥିଲେ। ୨୦୦୬ ମସିହାରୁ ଏହା ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ ଥିଲା। ଗତ ୫ ତାରିଖରେ ହାଇକୋର୍ଟ ଏହି ସ୍ଥଗିତାଦେଶ ଉଠାଇଛନ୍ତି। ବିଡିଏ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଏହି ଜମିକୁ ୧୫ ଦିନ ଭିତରେ ଖାଲି କରିବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ହାଇକୋର୍ଟ କହିଛନ୍ତି। ଏହାପରେ ଉଚ୍ଛେଦ ଆରମ୍ଭ ହେବ। ଦୁଇ ବର୍ଷ ମଧ୍ୟରେ ମ୍ୟୁଜିୟମ୍ ଅଫ୍ ଅର୍ବାନ୍ ହିଷ୍ଟ୍ରି ନିର୍ମାଣ ହେବ। ସ୍ମାର୍ଟ ସିଟି ପ୍ରକଳ୍ପରେ ଏହି ମେଗା ପ୍ରକଳ୍ପ ହେବ। ଏଥିପାଇଁ ଏଜି ଛକ ନିକଟରେ ଥିବା ଗଙ୍ଗନଗର ମୌଜାରେ ଖାତା ନଂ ୧୧୨ରେ ଥିବା ପ୍ଲଟ୍ ନଂ-୫୫୪ର ୨.୩୪୩ଏକର ଜମିକୁ ବ୍ୟବହାର କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ମେଗା ପ୍ରକଳ୍ପ ପାଇଁ ଡିପିଆର୍ ପ୍ରସ୍ତୁତ ହୋଇଛି। ଏହାକୁ ଖୁବ୍ଶୀଘ୍ର କାର୍ଯ୍ୟକାରୀ କରାଯିବ। ଏଥିପାଇଁ ଏହି ଜମି ଉପରେ ଥିବା ଜବରଦଖଲକୁ ତୁରନ୍ତ ଉଚ୍ଛେଦ କରାଯିବ। ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏଜି ଛକ ନିକଟରେ ଇନ୍ଦିରା ଇଂରାଜୀ ମାଧ୍ୟମିକ ସ୍କୁଲ ଦଖଲରେ ଥିବା ୧.୦୯୪ଏକର ଜମି ଏବଂ ଖାଲି ପଡ଼ିଥିବା ୧.୧୪୨ ଏକର ଜମି ଉପରେ ଏହି ମ୍ୟୁଜିୟମ୍ ଅଫ୍ ଅର୍ବାନ୍ ହିଷ୍ଟ୍ରି ନିର୍ମାଣ ହେବ। ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ସହାୟତାରେ ମ୍ୟୁଜିୟମ୍ ଅଫ୍ ଅର୍ବାନ୍ ହିଷ୍ଟ୍ରି ନିର୍ମାଣ ହେବ।
ମ୍ୟୁଜିୟମ୍ ଅଫ୍ ଅର୍ବାନ୍ ହିଷ୍ଟ୍ରି ଅଡ଼ୁଆ ତୁଟିଲା
ଇନ୍ଦିରା ଇଂରାଜୀ ମାଧ୍ୟମ ସ୍କୁଲ ଭାଙ୍ଗିବାକୁ ୧୫ଦିନ ମହଲତ
/sambad/media/post_attachments/wp-content/uploads/2018/05/1122.jpg)