ପୁଣ୍ୟତିଥିରେ ଇନ୍ଦିରା ଜ୍ୟୋତିଯାତ୍ରା

ପିପିଲି, ନିମାପଡ଼ା, ନିଆଳି ଓ କଟକଠାରେ ସ୍ୱାଗତ

ଭୁବନେଶ୍ୱର: ଭାରତରତ୍ନ ଇନ୍ଦିରା ଗାନ୍ଧିଙ୍କର ପୁଣ୍ୟତିଥି ଅବସରରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଭୁବନେଶ୍ୱର ଆଇଜି ପାର୍କରୁ ବାହାରି ଥିବା ଇନ୍ଦିରା ଜ୍ୟୋତି ଯାତ୍ରାକୁ ବିଭିନ୍ନ ସ୍ଥାନରେ ଭବ୍ୟ ସମ୍ବର୍ଧନା ଦିଆଯାଇଥିଲା। ପିପିଲଠାରେ ବରିଷ୍ଠ କଂଗ୍ରେସ ନେତା ଯୁଧିଷ୍ଠିର ସାମନ୍ତରାୟଙ୍କ ନେତୃତ୍ୱରେ ଏକ ହଜାରରୁ ଊର୍ଧ୍ୱ କଂଗ୍ରେସ କର୍ମୀ ଇନ୍ଦିରା ଜ୍ୟୋତିକୁ ପାଛୋଟି ନେଇଥିଲେ। ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ ସେଠାରେ ଆୟୋଜିତ ପଦଯାତ୍ରାରେ ଯୋଗ ଦେଇଥିଲେ।

ସେହିପରି ଇନ୍ଦିରା ଜ୍ୟୋତିକୁ ନିମାପଡ଼ା ନିର୍ବାଚନ ମଣ୍ଡଳୀର ହରିପୁର କଂଗ୍ରେସ ନେତା ବିଶ୍ୱରଂଜନ ମହାନ୍ତିଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ସ୍ୱାଗତ କରିଥିଲେ। ନିମାପଡ଼ାଠାରେ ଶ୍ରୀ ହରିଚନ୍ଦନ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ନିଆଳି ନିର୍ବାଚନ ମଣ୍ଡଳୀରେ ଯୁବ ନେତା ଶଶିକାନ୍ତ ଲେଙ୍କାଙ୍କ ନେତୃତ୍ୱରେ ଏକ ହଜାରରୁ ଊର୍ଦ୍ଧ୍ୱ ମଟର ସାଇକେଲ୍‌ ର‍୍ୟାଲି ସହ ଜ୍ୟୋତିକୁ ଭବ୍ୟ ସ୍ୱାଗତ କରାଯାଇଥିଲା। ନିଆଳି ବଜାରଠାରେ ଏକ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା। କଂଗ୍ରେସ କର୍ମୀ ଓ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ପିସିସି ସଭାପତି ଶ୍ରୀ ହରିଚନ୍ଦନ ଇନ୍ଦିରା ଗାନ୍ଧିଙ୍କର ଦେଶ ତଥା ଜାତି ପ୍ରତି ଥିବା ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ଓଡ଼ିଶା ବିକାଶ ପ୍ରତି ବିଶେଷକରି ଆଦିବାସୀ ଓ ଦଳିତଙ୍କ ଉତ୍‌ଥାନ ପାଇଁ ଶ୍ରୀମତୀ ଗାନ୍ଧିଙ୍କର ଯେଉଁ ଆନ୍ତିରିକତା ଥିଲା ତାହା ଅତୁଳନୀୟ ବୋଲି ଶ୍ରୀ ହରିଚନ୍ଦନ କହିଥିଲେ। ପରେ ଇନ୍ଦିରା ଜ୍ୟୋତିକୁ କଟକର ପ୍ରେସ ଛକଠାରେ ସ୍ଥାନୀୟ କଂଗ୍ରେସ ନେତୃବୁନ୍ଦ ଓ କର୍ମୀମାନେ ସ୍ୱାଗତ କରିଥିଲେ। ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ଇନ୍ଦିରା ଜ୍ୟୋତିକୁ ଚୌଦ୍ୱାର ପର୍ଯ୍ୟନ୍ତ ନିଆଯାଇଥିଲା। ଏହି ସବୁ କାର୍ଯ୍ୟକ୍ରମରେ ପିସିସି ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ଯୁଧିଷ୍ଠିର ଜେନା, ଶୁଭେନ୍ଦୁ ମହାନ୍ତି, ଲଲାଟେନ୍ଦୁ ମହାପାତ୍ର, ଚିନ୍ମୟ ବେଉରା, ବାଙ୍କନିଧି ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଇନ୍ଦିରା ଜ୍ୟୋତିଯାତ୍ରା ସାରା ରାଜ୍ୟ ପରିକ୍ରମା କରିବାକୁ ଥିବାବେଳେ ଆଜି ରାତିରେ ଢେଙ୍କାନାଳରେ ରାତ୍ରି ଯାପନ କରିବାର କାର୍ଯ୍ୟକ୍ରମ ରହିଛି।

 

 

ସମ୍ବନ୍ଧିତ ଖବର