ରାଜଧାନୀକୁ ଇନ୍ଦ୍ରଦେବଙ୍କ କୃପା: ଏ ବର୍ଷ ମୌସୁମୀ ଋତୁରେ ସ୍ବାଭାବିକଠାରୁ ଅଧିକ ବର୍ଷା

ରାଜ୍ୟରେ ୨୦% ନିଅଣ୍ଟିଆ; ରାଜଧାନୀରେ ୩୫% ଅଧିକ

ଭୁବନେଶ୍ବର: ରାଜ୍ୟରେ ମୌସୁମୀର ଦୁର୍ବଳ ସ୍ଥିତି ଓ ଅନାବୃଷ୍ଟି ଚିନ୍ତାର କାରଣ ହୋଇଥିବା ବେଳେ ରାଜଧାନୀ ଉପରେ କିନ୍ତୁ ଇନ୍ଦ୍ରଦେବଙ୍କ କୃପାଦୃଷ୍ଟି ପଡ଼ିଛି ଏବଂ ସ୍ବାଭାବିକଠାରୁ ଢେର୍‌ ଅଧିକ ବର୍ଷା ହୋଇଛି। ରାଜ୍ୟର ଅନ୍ୟ କୃଷିପ୍ରଧାନ ଜିଲ୍ଲାଗୁଡ଼ିକର ଅଭାବୀ ବର୍ଷା ମରୁଡ଼ି ପରିସ୍ଥିତିକୁ ନିମନ୍ତ୍ରଣ କରିଥିଲା। ହେଲେ ଏହି ମୌସୁମୀରେ ବାରମ୍ବାର ବର୍ଷାରେ ଭିଜିଥିଲା ରାଜଧାନୀ। ରବିବାର ଓ ସୋମବାରର ବଡ଼ ବର୍ଷା ପରେ ମୋଟ ବର୍ଷା ପରିମାଣ ଦୃଷ୍ଟିରୁ ରାଜଧାନୀ ଯଥେଷ୍ଟ ଆଗରେ ରହିଛି। ଜୁନ୍‌ ୧ରୁ ସେପ୍ଟେମ୍ବର ୧୩ ତାରିଖ ମଧ୍ୟରେ ରାଜ୍ୟରେ ୨୦% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ରାଜଧାନୀରେ ଏହି ସମୟ ମଧ୍ୟରେ ସ୍ବାଭାବିକଠାରୁ ୩୫%ରୁ ଅଧିକ ବର୍ଷା ରେକର୍ଡ ହୋଇଛି।

ଗତ ଜୁନ୍‌ ଓ ଜୁଲାଇରେ ରାଜ୍ୟରେ ମୌସୁମୀ ବର୍ଷା ସ୍ବାଭାବିକଠାରୁ କମ୍‌ ରହିଥିବା ବେଳେ ଅଗଷ୍ଟରେ ମୌସୁମୀ-ବିରତି ସ୍ଥିତି ବର୍ଷାଭାବ‌କୁ ଉତ୍କଟ କରିଥିଲା। କିନ୍ତୁ ଏହି ତିନି ମାସରେ ମଧ୍ୟ ରାଜଧାନୀରେ ଭଲ ବର୍ଷା ହୋଇଥିଲା। ଆଉ ଚଳିତ ମାସରେ ମଧ୍ୟରେ ଏହି ଧାରା ବଜାୟ ରହିଛି। ଅଗଷ୍ଟ ମାସ ସାରା ରାଜ୍ୟରେ ଯେତିକି ବର୍ଷା ହୋଇନଥିଲା ସେପ୍ଟେମ୍ବରର ଏହି ୧୩ ଦିନରେ ତା’ଠାରୁ ଅଧିକ ବ‌ର୍ଷା ହେବାରୁ ନିଅଣ୍ଟିଆ ପରିସ୍ଥିତିରେ ଯଥେଷ୍ଟ ସୁଧାର ଆସିଛି। ବିଶେଷ କରି ରାଜଧାନୀରେ ବର୍ଷାର ପରିମାଣ ଅଧିକ ରହିଥିବାବେଳେ ଗତ ୪୮ ଘଣ୍ଟାର ଲଗାଣ ବର୍ଷା ୬୩ ବର୍ଷର ପୁରୁଣା ‌ସେପ୍ଟେମ୍ବର ମାସର ରେକର୍ଡ଼କୁ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି କରିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଚଳିତ ମୌସୁମୀରେ ରାଜ୍ୟରେ ନିଅଣ୍ଟିଆ ସ୍ଥିତି ଜାରି ରହିଛି। ରାଜ୍ୟରେ ଜୁନ୍‌ ମାସରେ ସ୍ବାଭାବିକଠାରୁ ୩%, ଜୁଲାଇରେ ୧୯% ଓ ଅଗଷ୍ଟରେ ୨୯% ଲେଖାଏଁ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିଲା। ରାଜ୍ୟରେ ଅନାବୃଷ୍ଟି ଯୋଗୁଁ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏବେ ବି ୧୫ ଜିଲ୍ଲାରେ ଅଭାବୀ ବର୍ଷା ସ୍ଥିତି ଚିନ୍ତାଜନକ ରହିଛି। ଜୁନ୍‌ ୧ରୁ ସେପ୍ଟେମ୍ବର ୧୩ ତାରିଖ ମଧ୍ୟରେ ରାଜ୍ୟରେ ସର୍ବମୋଟ ୮୩୭.୫ ମିମି ବର୍ଷା ରେକର୍ଡ ହୋଇଛି। ଯାହାକି ଏହି ସମୟ ମଧ୍ୟରେ ହେଉଥିବା ସ୍ବାଭାବିକ ବର୍ଷାଠାରୁ ୨୦% କମ୍। କିନ୍ତୁ ଚଳିତ ମୌସୁମୀରେ ରାଜଧାନୀରେ ଖୁବ୍‌ ବର୍ଷିଛି। ସେପ୍ଟେମ୍ବର ୧ରୁ ୧୩ ତାରିଖ ମଧ୍ୟରେ ସର୍ବମୋଟ୍‌ ୩୨୨.୧ ମିମି ବର୍ଷା ରେକର୍ଡ ହୋଇଛି। ଗତ ୨୪ ଘଣ୍ଟାରେ ୧୯୯.୯ ମିମି ବର୍ଷା ହୋଇଯାଇଛି। ଜୁନ୍‌ ୧ରୁ ୩୦ ତାରିଖ ମଧ୍ୟରେ ଭୁବନେଶ୍ବରରେ ୩୦୮.୬ ମିମି ବର୍ଷା ହୋଇଥିବା ବେଳେ ଜୁଲାଇ ୧ରୁ ୩୧ ତାରିଖ ମଧ୍ୟରେ ରାଜ୍ୟରେ ସର୍ବମୋଟ ୨୯୧.୩ ମିମି ବର୍ଷା ହୋଇଯାଇଛି। ସେହିଭଳି ଅଗଷ୍ଟ ୧ରୁ ୩୧ ତାରିଖ ମଧ୍ୟରେ ରାଜଧାନୀରେ ୨୮୭.୪ ମିମି ବର୍ଷା ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର