ଇନ୍ଦ୍ରଧନୁ ମାର୍କେଟ୍‌ ପରିବା ହାଟ ପାଣି, ଲାଇଟ୍‌, ଶୌଚାଳୟ କିଛି ନାହିଁ

ଭୁବନେଶ୍ୱର: ୫୦୦ରୁ ଅଧିକ ଦୋକାନ। ସବୁ ଦିନେ ଶତାଧିକ ଲୋକଙ୍କ ଆତଯାତ। ପୁଣି ସନ୍ଧ୍ୟାରେ ଅସମ୍ଭବ ଗହଳି। କିନ୍ତୁ ମୌଳିକ ସୁବିଧା ସାତ ସପନ। ପିଇବା ପାଣି ଟୋପେ ମିଳିବା କଷ୍ଟ। ଏତେ ଲୋକ ଯା’ଆସ କରୁଥିଲେ ବି ଷ୍ଟ୍ରିଟ୍‌ ଲାଇଟ୍‌ ନାହିଁ। ଶୌଚାଳୟର ସୁବିଧା ନାହିଁ। ପରିମଳ ବିପର୍ଯ୍ୟସ୍ତ। ଏହା ହେଉଛି ଇନ୍ଦ୍ରଧନୁ ମାର୍କେଟ୍‌ ନିକଟସ୍ଥ ପରିବା ହାଟର ଦୟନୀୟ ସ୍ଥିତି। ୧୯୯୨ ମସିହାରୁ ନୂଆପଲ୍ଲୀର ଇନ୍ଦ୍ରଧନୁ ମାର୍କେଟ ନିକଟରେ ବହୁ ବ୍ୟବସାୟୀ ଅସ୍ଥାୟୀ ଦୋକାନ ପକାଇ ପରିବା ବିକ୍ରି କରିଥାଆନ୍ତି। ସନ୍ଧ୍ୟା ୫ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଏହା ଖୋଲା ରହେ। ୫୧୮ ଜଣ ବ୍ୟବସାୟୀ ଏଠାରେ ନିଜର ପସରା ମେଲାନ୍ତି। ଏହାର ଆଖପାଖରେ ବହୁ ଆବାସିକ ଅଞ୍ଚଳ ଗଢ଼ି ଉଠିଥିବାରୁ ସମସ୍ତେ ଏହି ହାଟ ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି। ବହୁ ଲୋକ ପ୍ରତିଦିନ ହାଟକୁ ଆସୁଥିଲେ ବି ବିଏମ୍‌ସି ତରଫରୁ ଏଠାରେ ଶୌଚାଳୟ ନିର୍ମାଣ କରାଯାଉ ନାହିଁ। ଏହା ଦ୍ୱାରା ଉଭୟ ବ୍ୟବସାୟୀ ଓ ଗ୍ରାହକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଫଳରେ ଆଖପାଖ ଖାଲି ସ୍ଥାନ ଶୌଚାଳୟ ଭାବେ ବ୍ୟବହୃତ ହେଉଛି। ଫଳରେ ସେଠାରେ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବି ଦେଖାଦେଇଛି। ପିଇବା ପାଣିର ବି ଆବଶ୍ୟକ ବନ୍ଦୋବସ୍ତ କରାଯାଇନି। ହାଟର ଆଉ ଏକ ଗୁରୁତର ସମସ୍ୟା ହେଉଛି ପରିମଳ। ହାଟର କିଛି ସ୍ଥାନ ପକ୍କା ହୋଇଥିବା ବେଳେ ଆଉ କିଛି ସ୍ଥାନରେ ସେମିତି ମାଟି ରାସ୍ତା ଅଛି। ଫଳରେ ବର୍ଷା ହେଲେ ପାଣି କାଦୁଅରେ ସନ୍ତସନ୍ତିଆ ହୋଇଯାଉଛି। ପରିବା ଦୋକାନର କିଛି ଆବର୍ଜନା ପଡ଼ିଲେ ସ୍ଥିତି ଆହୁରି ସାଂଘାତିକ ହୋଇଯାଉଛି। ନିୟମିତ ଭାବେ ହାଟରୁ ଆବର୍ଜନା ଉଠୁ ନ ଥିବା ବି ଅଭିଯୋଗ ହେଉଛି। ଦୁଇ ତିନି ଦିନ ଅଳିଆ ନ ଉଠିଲେ ପରିବା ଚୋପାଗୁଡ଼ିକ ପଚି ଯାଇ ଦୁର୍ଗନ୍ଧ ବାହାରୁଛି। ବର୍ଷା ହେଲେ ସେଗୁଡ଼ିକ ଧୋଇ ହୋଇ ଖେଳେଇ ହୋଇଯାଉଛି। ପୁଣି ହାଟ ମଝିରେ ଷ୍ଟ୍ରିଟ୍‌ ଲାଇଟ୍‌ର ବି ବ୍ୟବସ୍ଥା କରାଯାଇନି। ଫଳରେ ସନ୍ଧ୍ୟା ହେଲେ ବହୁ ଅସୁବିଧା ସୃଷ୍ଟି ହେଉଛି। ଏସବୁ ସମସ୍ୟା ନେଇ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି ବୋଲି କହିଛନ୍ତି ଇନ୍ଦ୍ରଧନୁ ମାର୍କେଟ କ୍ଷୁଦ୍ର ବ୍ୟବସାୟୀ ସଂଘର ସଂପାଦକ ପ୍ରଶାନ୍ତ ନାରାୟଣ ରାଉତରାୟ ଓ ସହ ସଂପାଦକ ବାବନ ସାହୁ।

ଏ ପର୍ଯ୍ୟନ୍ତ ଏହି ଅସ୍ଥାୟୀ ହାଟକୁ ବ୍ୟବସ୍ଥିତ କରାଯାଇ ପାରିଲା ନାହିଁ। ଯେହେତୁ ସମସ୍ତେ ଅସ୍ଥାୟୀ ଭାବେ ବ୍ୟବସାୟ କରୁଛନ୍ତି, ତେଣୁ ମଝିରେ ମଝିରେ ବିଏମ୍‌ସି ବାବୁମାନଙ୍କ ନାଲି ଆଖିର ଶିକାର ହେବାକୁ ପଡ଼ୁଛି। ୫/୬ ବର୍ଷ ତଳେ ଏକ ସର୍ଭେ କରାଯାଇଥିଲା ଓ ବ୍ୟବସାୟୀମାନଙ୍କୁ ଥଇଥାନର ପ୍ରତିଶ୍ରୁତି ଦିଆଯାଇଥିଲା। ତାହା ତ କରାଗଲା ନାହିଁ। ବରଂ ନିୟମିତ ଭାବେ ସେମାନଙ୍କୁ ଉଠାଇ ଦେବାକୁ ଧମକ ଦିଆଯାଉଛି।

ସମ୍ବନ୍ଧିତ ଖବର