ଭୁବନେଶ୍ୱର : ଗବେଷଣାଲବ୍ଧ ଜ୍ଞାନ ଦ୍ୱାରା ଦେଶର ଅର୍ଥନୀତିରେ ବ୍ୟାପକ ଅଭିବୃଦ୍ଧି ହୋଇପାରିବ। ଅର୍ଥନୀତିର ବିକାଶରେ ଗବେଷଣାର ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରଭାବ ଥିବାରୁ ଏ ଦିଗରେ ଅଧିକ ବ୍ୟୟବରାଦର ଆବଶ୍ୟକତା ରହିଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି।
ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଓ ଅଭିନବୀକରଣ ପ୍ରୋତ୍ସାହନ ଯୋଜନାରେ ଗବେଷକମାନଙ୍କୁ ସିଡ୍ ଫଣ୍ଡିଂ ଓ ରିସର୍ଚ୍ଚ ଫେଲୋସିପ୍ ପ୍ରଦାନ ଅବସରରେ କୃଷି ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସାହୁ କହିଲେ, ଆମେରିକା, ଫ୍ରାନ୍ସ, ଚୀନ୍ ଭଳି ବିକଶିତ ଦେଶରେ ଘରୋଇ ଜିଡିପିର ୨.୨୫ ପ୍ରତିଶତରୁ ଅଧିକ ଅର୍ଥ ଗବେଷଣା ବାବଦରେ ଖର୍ଚ୍ଚ କରାଯାଉଛି। ହେଲେ ଭାରତରେ ଜିଡିପିର ମାତ୍ର ୦.୬୨ ପ୍ରତିଶତ ଗବେଷଣା ନିମନ୍ତେ ଖର୍ଚ୍ଚ ହେଉଛି। ସେହିପରି ଏହି ସବୁ ଦେଶ ତୁଳନାରେ ଭାରତରେ କମ୍ ସଂଖ୍ୟକ ଲୋକ ଗବେଷଣା କାର୍ଯ୍ୟରେ ନିୟୋଜିତ ଅଛନ୍ତି।
କେବଳ ଉଚ୍ଚତର ଗବେଷଣା ମାଧ୍ୟମରେ ଯେକୌଣସି କ୍ଷେତ୍ରରେ ପାରଦର୍ଶିତା ହାସଲ କରିହେବ। ଏଥିନିମନ୍ତେ ବିଶ୍ୱବିଦ୍ୟାଳୟସ୍ତରରେ ଅଧିକରୁ ଅଧିକ ଗବେଷଣାର ଆବଶ୍ୟକତା ରହିଛି। ବିଶ୍ୱବିଦ୍ୟାଳୟରେ ଗବେଷଣାକୁ ପ୍ରୋତ୍ସାହିତ କରିବା ଲାଗି ରାଜ୍ୟ ସରକାର ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଓ ଅଭିନବୀକରଣ ପ୍ରୋତ୍ସାହନ ଯୋଜନାରେ ୨ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ତେଣୁ ବିଦ୍ୟାର୍ଥୀମାନେ ଏ ଦିଗରେ ଅଧିକ ଆଗ୍ରହୀ ହେବାକୁ ମନ୍ତ୍ରୀ ଆହ୍ବାନ ଦେଇଥିଲେ।
ସିଡ୍ ଫଣ୍ଡିଂରେ ଉଚ୍ଚଶିକ୍ଷା ବିଭାଗରେ କାର୍ଯ୍ୟରତ ୪୦ବର୍ଷରୁ କମ୍ ବୟସର ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ, ବୈଷୟିକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଅଧ୍ୟାପକମାନଙ୍କୁ ଗବେଷଣା ନିମନ୍ତେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଏଣିକି ପ୍ରତିବର୍ଷ ଏହି ଯୋଜନାରେ ୪୦ଜଣ ଅଧ୍ୟାପକ ଅଧ୍ୟାପିକାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ସେହିପରି ରିସର୍ଚ୍ଚ ଫେଲୋସିପ୍ କାର୍ଯ୍ୟକ୍ରମରେ ଏନ୍ଇଟିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଗବେଷଣା ନିମନ୍ତେ ମାସିକ ୧୫ହଜାର ଟଙ୍କାର ଆର୍ଥିକ ସହାୟତା ୪ ବର୍ଷ ନିମନ୍ତେ ଯୋଗାଇ ଦିଆଯିବ। ଏଥିସହ କଣ୍ଟିଜେନ୍ସି ବାବଦକୁ ବିଜ୍ଞାନରେ ବର୍ଷକୁ ୨୫ ହଜାର ଟଙ୍କା ଏବଂ କଳା ଆଦି ବିଭାଗ ନିମନ୍ତେ ୧୫ ହଜାର ଟଙ୍କା ପ୍ରଦାନ କରାଯିବ। ସେମାନେ ବିଶ୍ୱବିଦ୍ୟାଳୟ ଅଧୀନରେ ପୂର୍ଣ୍ଣକାଳୀନ ବିଦ୍ୟାର୍ଥୀ ଭାବେ ସେମାନଙ୍କର ଗବେଷଣା କାର୍ଯ୍ୟ କରିବେ। ଆଜିର କାର୍ଯ୍ୟକ୍ରମ ଅବସରରେ ସିଡ୍ ଫଣ୍ଡିଂରେ ୪୦ ଜଣ ଅଧ୍ୟାପକ ଅଧ୍ୟାପିକା ଓ ରିସର୍ଚ୍ଚ ଫେଲୋସିପ୍ରେ ୧୩ ଜଣଙ୍କୁ ଅନୁମୋଦନପତ୍ର ଦିଆଯାଉଛି। ଏହି ଯୋଜନା ଯୋଗୁଁ ରାଜ୍ୟରେ ଅଧିକ ବିଦ୍ୟାର୍ଥୀ ଗବେଷଣା ପ୍ରତି ଆଗ୍ରହ ପ୍ରକାଶ କରିବେ ବୋଲି ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର, ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ଚୟନ ସମିତିର ସଦସ୍ୟ ପ୍ରଫେସର ଶିବପ୍ରସାଦ ଅଧିକାରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶ୍ୱବିଦ୍ୟାଳୟର ମାନକ ନିର୍ଦ୍ଧାରଣରେ ଗବେଷଣାକୁ ପ୍ରାଧାନ୍ୟ ଦିଆଯାଉଥିବାରୁ ବିଶ୍ୱବିଦ୍ୟାଳୟଗୁଡ଼ିକ ଗବେଷଣା ଦିଗରେ ଅଧିକ ଧ୍ୟାନ ଦେବା ଆବଶ୍ୟକ ବୋଲି କହିଥିଲେ। ଉଚ୍ଚଶିକ୍ଷା ପରିଷଦର ସଦସ୍ୟ ସଚିବ ସିଦ୍ଧାର୍ଥ ଧଳ ଧନ୍ୟବାଦ ଅର୍ପଣ କରିଥିଲେ।