ପ୍ୟାକେଜ୍ ଟାଳିବ ଶିଳ୍ପ ସଂକଟ! ରାଜଧାନୀରେ ଦେଢ଼ ଶହ କୋଟିର କ୍ଷତି
୩ଲକ୍ଷ କୋଟିର ରୂପରେଖକୁ ଅପେକ୍ଷା, ପ୍ୟାକେଜ୍ ସହ କର ରିହାତି ଲୋଡ଼ା
ଭୁବନେଶ୍ବର : ମହାମାରୀ କୋଭିଡ୍-୧୯ ସଂକ୍ରମଣ ରୋକିବାକୁ ଲାଗୁ ହୋଇଥିବା ତାଲାବନ୍ଦ ରାଜ୍ୟର ଲଘୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଜଗତକୁ ବ୍ୟାପକ କ୍ଷତି ପହଞ୍ଚାଇଛି। ୨ ମାସର ଲକ୍ଡାଉନ୍ ଏହି ଶିଳ୍ପ ଜଗତକୁ ୨ବର୍ଷ ପଛକୁ ଠେଲି ଦେଇଛି। କିଛି କ୍ଷୁଦ୍ର ଶିଳ୍ପ ସଂସ୍ଥାରେ ତାଲା ଝୁଲିଲାଣି ତ କିଛି ରୁଗ୍ଣ ଅବସ୍ଥାକୁ ଚାଲି ଯାଇଛନ୍ତି। ଆକଳନ ଅନୁସାରେ, ରାଜ୍ୟର କ୍ଷୁଦ୍ର ଶିଳ୍ପଜଗତ ପାଖାପାଖି ଦୁଇ ହଜାର କୋଟି ଟଙ୍କାର କ୍ଷତି ସହିଥିବା ବେଳେ କେବଳ ଭୁବନେଶ୍ବରର ଶିଳ୍ପ ସଂସ୍ଥାମାନଙ୍କର ପାଖାପାଖି ଦେଢ଼ ଶହ କୋଟି ଟଙ୍କା କ୍ଷତି ହୋଇଛି। ଏବେ ଏହି ସଂସ୍ଥାମାନଙ୍କ ମଧ୍ୟରୁ କିଛି ନିଜ ଉଦ୍ୟମରେ ଅଣ୍ଟା ସଳଖିବାକୁ ଉଦ୍ୟମ କରୁଥିବା ବେଳେ କିଛି ମୁଣ୍ଡରେ ହାତ ଦେଇ ବସିଛନ୍ତି। ମେ’ ୪ରୁ ଅନେକ ଉଦ୍ୟୋଗ ଖୋଲିଥିଲେ ମଧ୍ୟ ବିଗିଡ଼ି ଯାଇଥିବା ବଜାର ସ୍ଥିତି ସେମାନଙ୍କୁ ସୁହାଉନାହିଁ। ଏଇ ସଂକଟ ସ୍ଥିତିରେ କେନ୍ଦ୍ର ସରକାରଙ୍କ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ୩ ଲକ୍ଷ କୋଟିର ପ୍ୟାକେଜ୍ ସେମାନଙ୍କ ମନରେ କିଛିଟା ଆଶାର ସଂଚାର କରିଛି। ମାତ୍ର ଏହାର ରୂପରେଖକୁ ନେଇ ଏବେ ବି ସେମାନେ ସନ୍ଦିହାନ। ଏହି ପ୍ୟାକେଜ୍ ଶିଳ୍ପ ବ୍ୟବସ୍ଥାକୁ ସଜାଡ଼ିପାରିବ ବୋଲି ଅନେକ ଉଦ୍ୟୋଗପତି ଭରସା କରି ପାରିନାହାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମଞ୍ଚେଶ୍ବରସ୍ଥିତ ପ୍ରାଇମ୍ ଆଗ୍ରୋ ଫୁଡ୍ ପ୍ରୋସେସିଂ ପ୍ରାଇଭେଟ୍ ଲିମିଟେଡ୍ର ମହାପ୍ରବନ୍ଧକ ଶିବ ପ୍ରସାଦ ଜେନାଙ୍କ ସୂଚନାନୁସାରେ, ତାଙ୍କ ୟୁନିଟ୍ରେ ୧୦୦ ଜଣ ମହିଳା ଓ ୫୦ ଜଣ ପୁରୁଷ କାମ କରନ୍ତି। ସରକାରଙ୍କ ନିୟମ ମୁତାବକ, ମାତ୍ର ୩୩ ପ୍ରତିଶତ କର୍ମଚାରୀରେ କମ୍ପାନି ଚଳାଇବାକୁ ପଡ଼ୁଛି। ଫଳରେ ୟୁନିଟ୍ର ପୂରା କର୍ମଚାରୀଙ୍କୁ କର୍ମନିଯୁକ୍ତି ଦେବା ସମ୍ଭବ ହେଉନାହିଁ। ସେହିଭଳି ଲକ୍ଡାଉନ୍ ଯୋଗୁଁ ମାତ୍ର ୩୦ ପ୍ରତିଶତ ଉତ୍ପାଦ ପାଇଁ ବଜାର ଚାହିଦା ରହିଛି। ଫଳରେ ବ୍ୟବସାୟ ମାନ୍ଦାବସ୍ଥାକୁ ଚାଲି ଯାଇଛି। ଏମିତିରେ ୩ ମାସ ପର୍ଯ୍ୟନ୍ତ ସ୍ବାଭାବିକ ସ୍ଥିତି ଆସିବା ସମ୍ଭବ ନୁହେଁ ବୋଲି ସେ ଆଶଙ୍କା ପ୍ରକଟ କରିଛନ୍ତି। ଏବେ କଞ୍ଚାମାଲ୍ ପରିବହନରେ ସମସ୍ୟା ହେଉଛି। ଗୁଜୁରାଟ ଓ ମହାରାଷ୍ଟ୍ରରୁ କଞ୍ଚାମାଲ୍ ଆସୁଛି। କରୋନା କଟକଣା ପାଇଁ ପରିବହନ ଖର୍ଚ୍ଚ ଅଧିକ ପଡ଼ୁଛି। ତେଣୁ ପ୍ୟାକେଜ୍ ଯେତିକି ଆବଶ୍ୟକ ଅନ୍ୟ ଦିଗଗୁଡ଼ିକୁ ବ୍ୟବସ୍ଥିତ କରିବା ସେତିକି ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ତେବେ ସରକାର ୩ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ବୋଲି ଜାଣିବା ପରେ ଖୁସି ଲାଗୁଛି। କିନ୍ତୁ ସେଥିରେ କ୍ଷୁଦ୍ର ଶିଳ୍ପ ଉଦ୍ୟୋଗୀମାନଙ୍କର ଆବଶ୍ୟକତା ପୂରଣ ହେବ କି ନାହିଁ, ପ୍ୟାକେଜ୍ର ରୂପରେଖ ପ୍ରସ୍ତୁତ ହେବା ପରେ ଜଣା ପଡ଼ିବ ବୋଲି ସେ କହିଛନ୍ତି।
ମଞ୍ଚେଶ୍ବରସ୍ଥିତ ଟି କେ ଫୋମ୍ସ ପ୍ରାଇଭେଟ୍ ଲିମିଟେଡ୍ର ପ୍ଲାଣ୍ଟ ମ୍ୟାନେଜର ଏଲ୍.ଏନ୍ ଦାଶଙ୍କ କହିବା କଥା ତାଙ୍କ ପ୍ଲାଣ୍ଟରେ ୨୫ ଜଣ କାମ କରନ୍ତି। ଏବେ କିନ୍ତୁ ୧୨ ଜଣରେ କାମ ଚଳାଇବାକୁ ପଡ଼ୁଛି। ଓଡ଼ିଶା ବ୍ୟତୀତ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, କେରଳ ଓ ଟାଟାକୁ ତାଙ୍କ ଉତ୍ପାଦ ଯାଏ। ଓଡ଼ିଶା ଜେନେରାଲ ଏଜେନ୍ସି ଜରିଆରେ ତାଙ୍କ କମ୍ପାନିର ଉତ୍ପାଦ ବିକ୍ରି ହୁଏ। ଏବେ କିନ୍ତୁ ମାତ୍ର ୧୦ ପ୍ରତିଶତ ଉତ୍ପାଦ ବିକ୍ରି ହେଉଛି। ଫଳରେ ତାଙ୍କ ଉଦ୍ୟୋଗ ବିପୁଳ କ୍ଷତି ସହିଲାଣି। କ୍ଷୁଦ୍ର ଶିଳ୍ପଜଗତର ଏଭଳି ସଂକଟମୟ ସମୟରେ ସରକାରୀ ପ୍ୟାକେଜ୍ ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ତାହା ତୁରନ୍ତ କାର୍ଯ୍ୟକାରୀ ହେବା ଜରୁରି। ତାଲା ପଡ଼ିବା ପୂର୍ବରୁ ଶିଳ୍ପକୁ ସହାୟତା ନ ମିଳିଲେ, ପ୍ୟାକେଜ୍ ଫଳପ୍ରଦ ହେବ ନାହିଁ ବୋଲି ସେ କହିଛନ୍ତି।
ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପୋଦ୍ୟୋଗୀ ସଂଘର ସାଧାରଣ ସମ୍ପାଦକ ସାତ୍ତ୍ବିକ ସ୍ବାଇଁଙ୍କ ସୂଚନା ମୁତାବକ ଓଡ଼ିଶାରେ ୨ଲକ୍ଷ ୩୦ ହଜାର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା ରହିଛି। ଉଦ୍ୟୋଗଗୁଡ଼ିକୁ ଲକ୍ଡାଉନ୍ ମଧ୍ୟରେ ୨ହଜାର କୋଟି ଟଙ୍କାର କ୍ଷତି ସହିଲେଣି। ରାଜଧାନୀ ହେଉଛି କ୍ଷୁଦ୍ର ଶିଳ୍ପ ହବ୍। ଏଠାରେ ପାଖାପାଖି ୧୦ ହଜାର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା ରହିଛି। ୧ଲକ୍ଷରୁ ଅଧିକ ଶ୍ରମିକ କର୍ମ ସଂସ୍ଥାନ ପାଇଛନ୍ତି। ମାତ୍ର ଏସ୍ଆର୍ସି ଗାଇଡ୍ଲାଇନ୍ ଯୋଗୁଁ ଏବେ ଅଧା ଶ୍ରମିକ ବି କର୍ମସଂସ୍ଥାନକୁ ଫେରିପାରିନାହାଁନ୍ତି। ତେଣୁ ଉତ୍ପାଦନ ବନ୍ଦ ଓ ବଜାର ଚାହିଦା ହ୍ରାସ ପାଇଁ ବେପାର ବି ମାନ୍ଦା। ଫଳରେ ତାଲା ବନ୍ଦ ରାଜଧାନୀର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାସମୂହର ପ୍ରାୟ ଦେଢ଼ ଶହ କୋଟି ଟଙ୍କାର କ୍ଷତି କରିସାରିଛି। ପ୍ୟାକେଜ୍କୁ ନେଇ ସେ ଆଶାବାଦୀ ଥିଲେ ବି ପୂର୍ବର ବିଧି ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକାଟ କରିଛନ୍ତି। ତାଙ୍କ କହିବା କଥା ପୂର୍ବରୁ ସିଙ୍ଗିଲ୍ ୱିଣ୍ଡୋ ନିୟମ ଥିଲେ ମଧ୍ୟ ଉଦ୍ୟୋଗୀମାନଙ୍କୁ ମଲ୍ଟି ଡୋର୍ ଦେଇ କାମ କରାଇବାକୁ ପଡ଼େ। ତେଣୁ ପୂର୍ବରୁ ରହିଥିବା ସମସ୍ୟାର ସରଳୀକରଣ ନ ହେଲେ ପ୍ୟାକେଜ୍ରୁ ଓଡ଼ିଶାର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଶେଷ ଫାଇଦା ପାଇବ ନାହିଁ। ପ୍ୟାକେଜ୍ ସହିତ ରାଜ୍ୟ ସରକାର ମଧ୍ୟ ଏହି ଦୁଃସ୍ଥିତିରେ ଉଦ୍ୟୋଗଗୁଡ଼ିକୁ ସହଯୋଗର ହାତ ବଢ଼େଇବା ଜରୁରି। ଏଥିପାଇଁ କିଛି ମାସ ପର୍ଯ୍ୟନ୍ତ ଜଳ କର, ବିଦ୍ୟୁତ ଦେୟ ଏବଂ ହୋଲ୍ଡିଂ ଟିକସ ଆଦିରେ ରିହାତି ଦେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ସ୍ବାଇଁ କହିଛନ୍ତି।