ଭୁବନେଶ୍ବର: ଭୁବନେଶ୍ବର ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଖାଲି ଥିବା ଜମିର ଲିଜ୍‌ଧାରୀଙ୍କୁ ଖୋଜ। ଏହାର ତାଲିକା ପ୍ରସ୍ତୁତ କର। କାହିଁକି ଜମି ଖାଲି ରଖିଛନ୍ତି ଚିଠି କରି ପଚାର, ଅବହେଳା କଲେ କାର୍ଯ୍ୟାନୁଷ୍ଠାନ ନିଅ। ଶିଳ୍ପ ପାଇଁ ଜମି ଲିଜ୍ ନେଇ ଅନ୍ୟ କାମରେ ଏହି ଜମିକୁ ଲଗାଇଥିବା ବ୍ୟକ୍ତିଙ୍କୁ ବି ଛାଡ଼ନି। ଇଡ୍‌କୋରୁ ଲିଜ୍ ନେଇ ଅନ୍ୟକୁ ଏହି ଜମିକୁ ଲିଜ୍(ସବ୍‌ଲେଟ୍) ଦେଇଥିବା ବ୍ୟକ୍ତିଙ୍କର ବି ତାଲିକା କର। ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କର। ନିକଟରେ ମଞ୍ଚେଶ୍ବର ଶିଳ୍ପାଞ୍ଚଳ ପରିଦର୍ଶନ ଓ ସମୀକ୍ଷା ବେଳେ ଏପରି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ। ମନ୍ତ୍ରୀଙ୍କର ଏହି ସମୀକ୍ଷା ପରେ ଇଡ୍‌କୋରେ ତନାଘନା ଆରମ୍ଭ ହୋଇଛି। 

Advertisment

ଶିଳ୍ପ ବଦଳରେ ଅନ୍ୟ କାମରେ ଜମି ଲଗାଇଥିଲେ କାର୍ଯ୍ୟାନୁଷ୍ଠାନ
ଅନ୍ୟକୁ ସବ୍‌ଲେଟ୍‌ ଦେଇଥିଲେ ବି କାର୍ଯ୍ୟାନୁଷ୍ଠାନ
ତୁରନ୍ତ ଭିତ୍ତିଭୂମି କାମ ସାରିବାକୁ ନିର୍ଦ୍ଦେଶ

ଇଡ୍‌କୋ ପକ୍ଷରୁ ଶିଳ୍ପ ପ୍ରତିଷ୍ଠା ପାଇଁ ଜାଗା ଲିଜ୍ ନେଇ କିଏ କଲ୍ୟାଣ ମଣ୍ଡପ କଲେଣି ତ’ କିଏ ବାସଗୃହ କରିଛନ୍ତି। ଆଉ କିଛି ଲୋକ ଏହାକୁ ଅନ୍ୟମାନଙ୍କୁ ସବ୍‌ଲେଟ୍ ଦେଇଛନ୍ତି। ଏ ସଂପର୍କିତ ବହୁ ଅଭିଯୋଗ ସରକାରଙ୍କ ନିକଟରେ ପହଞ୍ଚିବା ପରେ ମନ୍ତ୍ରୀ ଶ୍ରୀ ସ୍ବାଇଁ ଅଚାନକ ମଞ୍ଚେଶ୍ବର ଶିଳ୍ପାଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଶିଳ୍ପାଞ୍ଚଳରେ ବ୍ୟବସାୟ କିଭଳି ଚାଲିଛି ବିଭିନ୍ନ ଘରୋଇ ସଂସ୍ଥା ପରିଦର୍ଶନ କରି ଟିକିନିଖି ତନଖି କରିଛନ୍ତି। ସେଠାରୁ ଫେରିବା ପରେ ଇଡ୍‌କୋ କାର୍ଯ୍ୟାଳୟରେ ମଞ୍ଚେଶ୍ବର ଶିଳ୍ପାଞ୍ଚଳର ସ୍ଥିତିକୁ ନେଇ ସମୀକ୍ଷା କରିଥିଲେ। ଅନୁଧ୍ୟାନ ବେଳେ ମଞ୍ଚେଶ୍ବର ଶିଳ୍ପାଞ୍ଚଳର ଅନେକ ଲିଜ୍ ଜମି ଖାଲି ପଡ଼ିଥିବାରୁ ମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଅନେକ ଜମିକୁ ସରକାରଙ୍କଠାରୁ ଲିଜ୍ ନେଇ ସଂପୃକ୍ତ ବ୍ୟକ୍ତି ଅନ୍ୟମାନଙ୍କୁ ପୁଣିଥରେ ଲିଜ୍ ଦେଇଥିବା ଓ ବ୍ୟବସାୟ ପାଇଁ ଜାଗା ନେଇ ଅନ୍ୟ କାମରେ ଲଗାଇଥିବାରୁ ବିରକ୍ତି ପ୍ରକାଶ କରିଥିଲେ। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ବଡ଼ ବଡ଼ ଶିଳ୍ପସଂସ୍ଥା ସହ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶିଳ୍ପ(ଏମ୍‌ଏସ୍‌ଏମ୍‌ଇ)ର ବୃଦ୍ଧି ଦିଗରେ ଦୃଷ୍ଟି ଦେବାକୁ ଗୁରୁତ୍ବାରୋପ କରିଥିଲେ। ଏହି ଅବସରରେ ଶ୍ରୀ ସ୍ବାଇଁ ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଚାଲିଥିବା ରାସ୍ତା, ଡ୍ରେନ୍, ଆଲୋକୀକରଣ ଆଦି କାମର ସମୀକ୍ଷା କରିଥିଲେ। କାମର ଗୁଣାତ୍ମକ ମାନରେ ସାଲିସ୍‌ ନ କରି ସମୟ ଅବଧି ଭିତରେ କାମ ସାରିବାକୁ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ।

ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଥିବା ପୋଷାକ ପ୍ରସ୍ତୁତକାରୀ ସଂସ୍ଥା ସାହୀ ଏକ୍ସପୋର୍ଟ, ଆଦିତ୍ୟ ବିର୍ଲା ଫ୍ୟାସନ୍ ଆଣ୍ଡ୍ ରିଟେଲ୍ ପ୍ରାଇଭେଟ୍ ଲିମିଟେଡ୍, ଖାଦ୍ୟ ପ୍ରକ୍ରିୟାକରଣ ଓ ପ୍ୟାକେଜିଂ ସଂସ୍ଥା ଏସ୍‌କେ ଫୁଡ୍ ପ୍ରଡକ୍ଟ-ପ୍ରାଇମ୍, ଏଲ୍‌ପିଜି ସିଲିଣ୍ଡର ପ୍ରସ୍ତୁତକାରୀ ସଂସ୍ଥା ବିହାରଜୀ ପ୍ରେସର୍ ଭେସେଲ୍ ପ୍ରାଇଭେଟ୍ ଲିମିଟେଡ୍ ଆଦି ପରିଦର୍ଶନ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ବାଇଁ ଗ୍ୟାସ୍ ସିଲିଣ୍ଡର ଉତ୍ପାଦ କମ୍ପାନିକୁ ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି ଅନୁପାଳନ କରିବାକୁ ପରାମର୍ଶ ଦେଇଥିଲେ। ରାଜ୍ୟ ସରକାର ମହିଳା ସଶକ୍ତୀକରଣକୁ ସର୍ବାଧିକ ଗୁରୁତ୍ବ ଦେଉଥିବାବେଳେ କପଡ଼ା ସଂସ୍ଥାରେ ଅଧିକ ମହିଳାଙ୍କୁ ନିଯୁକ୍ତି ଦେବାକୁ ପରାମର୍ଶ ଦେଇଥିଲେ। ଶ୍ରୀ ସ୍ବାଇଁ ଉଦ୍ୟୋଗ ବିକାଶ ଇନ୍‌ଷ୍ଟିଚ୍ୟୁଟ୍ ପରିଦର୍ଶନରେ ଯିବା ସହ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ରାଜ୍ୟରେ ଅଧିକ ଶିଳ୍ପୋଦ୍ୟୋଗୀ ସୃଷ୍ଟି ପାଇଁ ଆହୁରି ଅଧିକ ଲୋକଙ୍କୁ ପ୍ରଶିକ୍ଷଣ ଦେବାକୁ କହିଥିଲେ।