୨ ଦିନ‌ରେ ୨ ଶହ ଅମାନିଆଙ୍କୁ ଜରିମାନା

ସ୍ପେସାଲ୍‌ କୋଭିଡ୍‌ ଏଡିଏମ୍‌ଙ୍କ ସମୀକ୍ଷା ବୈଠକ

ବାଲିପାଟଣା : ସ୍ଥାନୀୟ ଅଞ୍ଚଳରେ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି। ବୃଦ୍ଧି ପାଉଥିବା କଟକଣାକୁ ପ୍ରତିହତ କରିବା ପାଇଁ ଏବେ ୫ଟି ପଞ୍ଚାୟତର ୮ ଟି ଗାଁକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ତଥାପି ଅମାନିଆଙ୍କୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇନାହିଁ। ତେଣୁ ଗତ ୨ ଦିନ ହେଲା ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଜୋରଦାର୍ ଚଢ଼ଉ କରାଯାଉଛି। ୨ ଦିନରେ ପାଖାପାଖି ୨ ଶହ ଅମାନିଆଙ୍କୁ ଜରିମାନା କରାଯାଇଛି ଓ ଏ ବାବଦରେ ପ୍ରାୟ ୬ ହଜାର ଟଙ୍କା ଆଦାୟ କରାଯାଇଛି। ବାଲିପାଟଣା ଥାନା ପୁଲିସ ସହାୟତାରେ ତହସିଲଦାର ସୁନିତା ଜେନା, ଅତିରିକ୍ତ ତହସିଲଦାର ସ୍ନେହଲତା ଆଚାର୍ଯ୍ୟଙ୍କ ଟିମ୍‌ ମୁଖ୍ୟ ବଜାର, ଚଣାହାଟ ଛକ, ମେଡିକାଲ ଛକ, ଅଠାନ୍ତର ବଜାର, ଧାନହରା, ନୂଆସାହି ଓ ବନମାଳିପୁର ଆଦି ଅଞ୍ଚଳରେ ଚଢ଼ଉ ଜାରି ରଖିଛନ୍ତି।

ସ୍ପେସାଲ୍‌ କୋଭିଡ୍‌ ଏଡିଏମ୍‌ଙ୍କ ସମୀକ୍ଷା ବୈଠକ
ବାଲିପାଟଣା : ଖୋର୍ଦ୍ଧା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଅଗ୍ରଣୀ ବ୍ଲକମାନଙ୍କ ମଧ୍ୟରେ ବାଲିପାଟଣା ବ୍ଲକ ଅନ୍ୟତମ। ତେଣୁ ଏବେ ଏହି ବ୍ଲକରେ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି। ଆଜି ବ୍ଲକ ସଭାଗୃହରେ ସ୍ପେସାଲ୍‌ କୋଭିଡ୍‌ ଏଡିଏମ୍‌ ବିଶାଲ୍‌ ସିଂଙ୍କ ଅଧକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କୋଭିଡ୍‌ ମ୍ୟାନେଜ୍‌ମେଣ୍ଟ କମିଟି(ସିଏମ୍‌ସି) କମିଟିର କାର୍ଯ୍ୟ ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଥିଲା।

କରୋନାକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ସିଏମ୍‌ସି କମିଟିର କି ଦାୟିତ୍ୱ ରହିଛି, ସେ ବାବଦରେ ସୂଚନା ଦିଆଯାଇଥିଲା। ବ୍ଲକର ୧୭ ପଞ୍ଚାୟତର ନୋଡାଲ୍‌ ଅଫିସରମାନଙ୍କୁ ନେଇ ଗଠିତ କୋଭିଡ୍‌ ମ୍ୟାନେଜ୍‌ମେଣ୍ଟ କମିଟି(ସିଏମସି)କୁ ଅଧିକ କ୍ରିୟାଶୀଳ କରିବା ଏହି ବୈଠକର ମୁଖ୍ୟ ଲକ୍ଷ୍ୟ ଥିଲା। ପଜିଟିଭ୍‌ ଚି଼ହ୍ନଟ ଅଞ୍ଚଳରେ ଲୋକଙ୍କୁ ସଚେତନ କରିବା, ଲୋକଙ୍କୁ ଗୃହ ସଙ୍ଗରୋଧର ଗୁରୁତ୍ବ ବୁଝାଇବା, ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରିବାର ଉପଯୋଗିତା ବୁଝାଇବା ଏବଂ କୋଭିଡ୍‌ ଟେଷ୍ଟ କରିବା ପାଇଁ ଲୋକଙ୍କୁ ବୁଝାଇବା ଆଦି ତୃଣମୂଳସ୍ତର କାମ ପାଇଁ ସମୀକ୍ଷା କରାଯାଇଥିଲା। ଏହି କମିଟିରେ ସରପଞ୍ଚ, ସମିତି ସଭ୍ୟ, ୱାର୍ଡମେମ୍ବର, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀଙ୍କୁ ନିଆଯାଇଛି। ବୈଠକରେ ସିନିୟର ନୋଡାଲ ଅଫିସର ସତ୍ୟନାରାୟଣ ଆଚାର୍ଯ୍ୟ, ବିଡିଓ ମୀତାଞ୍ଜଳି ଦାଶଙ୍କ ସମେତ ବ୍ଲକ କର୍ମଚାରୀ, ନୋଡାଲ ଅଫିସର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର