ବଢ଼ି ଚାଲିଛି ସଂକ୍ରମଣ, ସାନିଟାଇଜ୍‌ ବ୍ୟବସ୍ଥା ବିଫଳ

ବାଲିପାଟଣା: ଦିନକୁ ଦିନ କ‌‌ରୋନା ସଂକ୍ରମଣ ବଢ଼ି ଚାଲିଛି। ଗାଁ ଗାଁରେ କୋକୁଆ ଭୟ। କିନ୍ତୁ ସାନିଟାଇଜ୍‌ ବ୍ୟବସ୍ଥା ପୂରା ବିଫଳ। ଏମିତିକି ଅଧିକ ଆକ୍ରାନ୍ତ ଥିବା ଗାଁରେ ବି ସାନିଟାଇଜ୍ କାର୍ଯ୍ୟକ୍ରମ ନାହିଁ। ସରପଞ୍ଚମାନେ ଅଗ୍ନିଶମ ବାହିନୀର ସହଯୋଗ ଲୋଡ଼ୁଥିଲେ ବି କିଛି ସୁଫଳ ମିଳୁ ନାହିଁ। ବାଲିପାଟଣା ବ୍ଲକର ବିଭିନ୍ନ ଅଞ୍ଚଳରୁ ଅଗ୍ନିଶମ ବାହିନୀ ବିରୋଧରେ ଏଭଳି ଅଭିଯୋଗ ହୋଇଆସୁଛି। ଡ୍ରାଇଭର ନଥିବା ବାହାନାରେ ଅଗ୍ନିଶମ ବିଭାଗ ଏହି କାର୍ଯ୍ୟକ୍ରମ କରୁନଥିବା ଅଭିଯୋଗ ହେଉଛି।

ଅଭିଯୋଗ ଅନୁସାରେ ମହାମାରୀ କରୋନାର ପ୍ରଥମ ଲହର ସମୟରେ ଏହି ବ୍ଲକରେ ସାନିଟାଇଜ କାର୍ଯ୍ୟକ୍ରମ ସୁରୁଖୁରୁରେ ହେଉଥିଲା। କିନ୍ତୁ ଭୟଙ୍କର ଦ୍ୱିତୀୟ ଲହର ବେଳେ ଏହି ବ୍ୟବସ୍ଥା ଫେଲ୍‌ ମାରିଛି। ସ୍ଥାନୀୟ ମେଡିକାଲ, ସାପ୍ତାହିକ ହାଟ, ସରକାରୀ କାର୍ଯ୍ୟାଳୟ ଏବଂ ଟିକାକେନ୍ଦ୍ର ପ୍ରଭୃତି ଅଞ୍ଚଳ ବି ନିୟମିତ ସାନିଟାଇଜ୍ ହେଉ ନାହିଁ। ଦ୍ୱିତୀୟ ଲହରରେ ବାଲିପାଟଣା ବ୍ଲକରୁ ୮୨୪ ଜଣ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ହିସାବ ଅନୁସାରେ ୧୨୨ଜଣ ସଂକ୍ରମିତଙ୍କ ମଧ୍ୟରୁ ୮୫ଜଣ ଗୃହ ସଙ୍ଗରୋଧରେ ଓ ୩୭ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେହିଭଳି ସରକାରୀ ହିସାବ ମିଳି ନଥିଲେ ମଧ୍ୟ ସମଗ୍ର ବ୍ଲକ ଅଞ୍ଚଳରୁ ପ୍ରାୟ ୨୦ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ତେଣୁ ଏତେ ଭୟଙ୍କର ସ୍ଥିତି ସତ୍ତ୍ବେ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ କାର୍ଯ୍ୟକ୍ରମ ଠପ୍‌ ହୋଇଯାଇଛି।

ଗତ ଦୁଇଦିନ ପୂର୍ବେ ଭାକରସାହି ନରଣପୁର ଗ୍ରାମ‌ରେ ଜଣେ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ଘିଟିଥିଲା। ସରପଞ୍ଚ ପ୍ରିୟମ୍ବଦା ପାତ୍ର ଅଗ୍ନିଶମ ବାହିନୀକୁ ଫୋନ୍‌ କରି ଉକ୍ତ ଗାଁକୁ ସାନିଟାଇଜ୍‌ କରିବାକୁ ଅନୁରୋଧ କରିଥିଲେ। ମାତ୍ର ଡ୍ରାଇଭର ନଥିବା କହି ଅଗ୍ନିଶମ ଅଧିକାରୀ ସରପଞ୍ଚଙ୍କ ଅନୁରୋଧକୁ ଏଡ଼ାଇ ଦେଇଥିଲେ। ଦୁଇଜଣ ଡ୍ରାଇଭରଙ୍କ ସ୍ଥାନରେ ମାତ୍ର ଜଣେ ଅଛନ୍ତି ଓ ସେ ଜରୁରୀକାଳୀନ ସେବା ପାଇଁ ଅଛନ୍ତି ବୋଲି ଏଭଳି ସ୍ଥିତି ଉପୁଜୁଥିବା ଜଣେ ଅଧିକାରୀ କହିଛନ୍ତି। ତେଣୁ ତୁରନ୍ତ ଆଉ ଜଣେ ଡ୍ରାଇଭରଙ୍କୁ ଏଠାରେ ନିଯୁକ୍ତି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର