ଜୁଲାଇ ମାସ ଓଡ଼ିଶାର କରୋନା ଲଢ଼େଇକୁ ସଂପୂର୍ଣ୍ଣ ବଦଳାଇ ଦେଇଛି। ମାସ ଆରମ୍ଭରୁ ଦ୍ରୁତ ଗତିରେ ସଂକ୍ରମଣ ବଢ଼ିବା ଆରମ୍ଭ ହୋଇ ମାସ ଶେଷ ବେଳକୁ ୩୧ ହଜାର ପାର୍ କରି ସାରିଲାଣି। ଏହାସହ ମୃତ୍ୟୁ ସଂଖ୍ୟା ବି ଉଦ୍ବେଗଜନକ ଭାବେ ବଢ଼ିବାରେ ଲାଗିଛି। ସାରା ରାଜ୍ୟ କରୋନା ଲଢ଼େଇ ଜାରି ରଖିଥିବା ବେଳେ ଏ ସଂପର୍କରେ ବିଶେଷଜ୍ଞମାନଙ୍କ ମତ ବେଶ୍ ଗୁରୁତ୍ବପୂର୍ଣ୍ଣ। ରାଜ୍ୟରେ କରୋନା ଲଢ଼େଇ କିଭଳି ଢଙ୍ଗରେ ଚାଲିଛି ଏବଂ ଆଗକୁ ସ୍ଥିତି କ’ଣ ହୋଇପାରେ, ତାହା ସମସ୍ତେ ଜାଣିବାକୁ ଚାହୁଁଛନ୍ତି। ଏମିତି ଏକ ସମୟରେ ଓଡ଼ିଶାରେ କରୋନା ସ୍ଥିତି ସଂପର୍କରେ ସମ୍ ହସ୍ପିଟାଲର ଗ୍ୟାଷ୍ଟ୍ରୋ ଏଣ୍ଟରୋଲୋଜି ବିଭାଗର ବିଶେଷଜ୍ଞ ରାଜ୍ୟର ଖ୍ୟାତନାମା ଡାକ୍ତର ଡା. ମନୋଜ ସାହୁଙ୍କ ସହ ସ୍ବତନ୍ତ୍ର ଆଲୋଚନା କରିଛନ୍ତି ଆମ ପ୍ରତିନିଧି କ୍ଷିତୀଶ ରାୟ।
Sambad is now on WhatsApp
Join and get latest news updates delivered to you via WhatsApp
କରୋନା ସଂକ୍ରମଣ ଯେମିତି ବଢ଼ି ବଢ଼ି ଚାଲିଛି, ରାଜ୍ୟରେ ଏହା ଶୀର୍ଷରେ ପହଞ୍ଚିଛି ବୋଲି କୁହାଯାଇପାରିବ କି ? ସଂକ୍ରମଣ କେବେ କମିବ ବୋଲି ଆପଣ ଭାବୁଛନ୍ତି ?
ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ହାର ୪.୫ ରହିଥିବା ବେଳେ ଜାତୀୟ ସ୍ତରରେ ଏହା ୩.୩୨ ପ୍ରତିଶତ ରହିଛି। ଯେଉଁ ସମୟରେ ବୃଦ୍ଧି ହାର କମିଥାଏ ସେତେବେଳେ ସଂକ୍ରମଣ ହ୍ରାସ ପାଇଥାଏ। ତେଣୁ ପରିସଂଖ୍ୟାନକୁ ନଜର ପକାଇଲେ, ଓଡ଼ିଶାରେ ଏବେ କରୋନା ସଂକ୍ରମଣ ଏବେ ବି ଶୀର୍ଷରେ ପହଞ୍ଚି ନାହିଁ। ରାଜ୍ୟରେ ଦିନକୁ ଦିନ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହା ସତ୍ତ୍ବେ ରାଜ୍ୟରେ ମୃତ୍ୟୁହାର କେବଳ ୦.୫ ପ୍ରତିଶତ ରହିଛି। ଏପରିକି ରାଜ୍ୟର ସର୍ବାଧିକ ପ୍ରଭାବିତ ଜିଲ୍ଲା ଗଞ୍ଜାମରେ ମଧ୍ୟ ମୃତ୍ୟୁ ହାର ୧ ପ୍ରତିଶତରୁ କମ୍ ରହିଛି। ସଂକ୍ରମଣକୁ ନିୟନ୍ତ୍ରଣ କରିବା ଉପରେ ହିଁ ରାଜ୍ୟର କରୋନା ସ୍ଥିତି ନିର୍ଭର କରୁଛି। ସଂକ୍ରମିତଙ୍କୁ ଚିହ୍ନଟ ସହ ସେମାନଙ୍କୁ ଆଇସୋଲେଟ୍ କରାଯିବାର ଆବଶ୍ୟକତା ରହିଛି। ତାହେଲେ ଯାଇ ସଂକ୍ରମଣ ଚେନ୍କୁ ରୋକିବାରେ ଆମେ ସକ୍ଷମ ହୋଇପାରିବା।
ଗଞ୍ଜାମ ଓ ଖୋର୍ଧା ଜିଲ୍ଲା ପରେ ଆଗକୁ ରାଜ୍ୟର କେଉଁ ଜିଲ୍ଲା ହଟ୍ସ୍ପଟ୍ ପାଲଟିବାର ଆଶଙ୍କା ରହିଛି ?
କଟକ, ଗଜପତି ଓ ସୁନ୍ଦରଗଡ଼ରେ ଦିନକୁ ଦିନ ସକ୍ରିୟ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କଟକର କିଛି ବସ୍ତି ଅଞ୍ଚଳରେ ସଂକ୍ରମଣ ବଢ଼ୁଥିବା ନଜରକୁ ଆସିଛି। ଏପରିକି କିଛି ସୁପରସ୍ପ୍ରେଡର୍ ମଧ୍ୟ ପାଲଟିଛନ୍ତି। ଗଜପତିରେ ଭାଇରସ୍ ଲୋଡ୍ ଅଧିକ ରହିଛି ଏବଂ ସର୍ବାଧିକ ସଂଖ୍ୟକ କରୋନା ଯୋଦ୍ଧା ଜିଲ୍ଲାରେ ସଂକ୍ରମିତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ସର୍ବାଧିକ ଆକ୍ରାନ୍ତ ରାଉରକେଲାରୁ ହିଁ ଚିହ୍ନଟ ହୋଇଛନ୍ତି। ଏପରିକି ଜିଲ୍ଲାରେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ନିୟମିତ ଭାବେ ବୃଦ୍ଧି ପାଉଛି। ତେଣୁ ଆଗକୁ ଏହିସବୁ ଜିଲ୍ଲାର ସ୍ଥିତି ଚିନ୍ତାଜନକ ରହିବ।
ଓଡ଼ିଶାରେ ଭୂତାଣୁ କମ୍ ଭିରୁଲେଣ୍ଟ ଥିବା କୁହାଯାଉଥିବା ବେଳେ ଅନେକ କରୋନା ମୃତ୍ୟୁର ଠିକ୍ ରିପୋର୍ଟିଂ ହେଉ ନ ଥିବା ଅଭିଯୋଗ ହେଉଛି। ଏହାକୁ ନେଇ ଆପଣଙ୍କର ମତ କ’ଣ ?
ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ କମ୍ ରହିଛି। ଯଦିଓ କିଛିଦିନ ପୂର୍ବରୁ ହୋଇଥିବା ଏକ ସର୍ବେକ୍ଷଣରେ କୋଭିଡ-୧୯ ରିପୋର୍ଟିଂରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି, ତଥାପି କରୋନା ମୃତ୍ୟୁ ସଂଖ୍ୟା ରିପୋର୍ଟିଂରେ ରାଜ୍ୟ ରକ୍ଷଣଶୀଳ ରହିଛି। ତେବେ କରୋନା ପାଇଁ କେନ୍ଦ୍ରୀୟ ଡେଥ୍ ଅଡିଟ୍ କମିଟି ରାଜ୍ୟର ଏହି ରକ୍ଷଣଶୀଳ ରିପୋର୍ଟିଂ ନେଇ କୌଣସି ପ୍ରଶ୍ନ ଉଠାଇ ନାହାନ୍ତି। ଅନ୍ୟ ରାଜ୍ୟରେ ଏଭଳି ଘଟଣା ନଜରକୁ ଆସିଥିବା ବେଳେ ପରବର୍ତୀ ସମୟରେ କରୋନା ଜନିତ ମୃତ୍ୟୁକୁ ତାଲିକାରେ ଯୋଡ଼ା ଯାଇଥିବା ନଜରକୁ ଆସିଛି।
ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଛି କି ?
ରାଜ୍ୟରେ ଦିନକୁ ଦିନ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି। ଏପରିକି ଏହା ୩୮ ପ୍ରତିଶତରେ ପହଞ୍ଚି ସାରିଲାଣି। ତେବେ ରାଜ୍ୟର ୮୦ ପ୍ରତିଶତ ସଂକ୍ରମିତଙ୍କ ସଂକ୍ରମଣର ଉତ୍ସ ବା ସୋର୍ସ ଅଫ୍ ଇନ୍ଫେକସନ୍ ଚିହ୍ନଟ ହୋଇପାରୁଛି। ନିକଟରେ ହୋଇଥିବା ସେରୋ ସର୍ବେକ୍ଷଣରେ ଗୋଷ୍ଠୀ ସଂକ୍ରମଣ ନେଇ କୌଣସି ପ୍ରମାଣ ନଜରକୁ ଆସିନାହିଁ। ତେବେ ବସ୍ତିରେ ସଂକ୍ରମଣ ବୃଦ୍ଧି ଓ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ହେବା ଗୋଷ୍ଠୀ ସଂକ୍ରମଣ ଆଶଙ୍କାକୁ ବଢ଼ାଇ ଦେଇଛି। ଯଦି ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରା ନଯାଏ, ତାହେଲେ ଖୁବଶୀଘ୍ର ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯିବ।
କୋଭିଡ-୧୯ରେ ଗୋଷ୍ଠୀ ପ୍ରତିରୋଧକ ଶକ୍ତି ବା ହର୍ଡ ଇମ୍ୟୁନିଟି କ’ଣ ବିକଳ୍ପ ହୋଇପାରିବ?
ଦୁଇ ପ୍ରକାରେ ଗୋଷ୍ଠୀ ପ୍ରତିରୋଧକ ଶକ୍ତି ବା ହର୍ଡ ଇମ୍ୟୁନିଟି ହାସଲ କରାଯାଇପାରେ। ୬୦ ପ୍ରତିଶତରୁ ଅଧିକ ଲୋକ ଭୂତାଣୁ ଦ୍ବାରା ସଂକ୍ରମିତ ହେବା ନଚେତ୍ ବ୍ୟାପକ ଟିକାକରଣ ଜରିଆରେ ଏହା ସମ୍ଭବ ହୋଇଥାଏ। ମାତ୍ର ଭାରତ ଭଳି ଦେଶରେ ଏତେସଂଖ୍ୟକ ଲୋକ ସଂକ୍ରମିତ ହେବା ଏକ ଘାତକ ବିଚାର ହୋଇପାରେ। ଏତେସଂଖ୍ୟକ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ସମ୍ଭବପର ନୁହେଁ। କେବଳ ଟିକାକରଣ ଜରିଆରେ ହିଁ ଲୋକମାନଙ୍କୁ ଗୋଷ୍ଠୀ ପ୍ରତିରୋଧକ ଶକ୍ତି ସୃଷ୍ଟି କରାଯାଇପାରେ। ତେଣୁ ଏବେର ସମୟରେ ହର୍ଡ ଇମ୍ୟୁନିଟି କଥା ଚିନ୍ତା ନ କରି କିଭଳି ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇ ପାରିବ ତାହା ଉପରେ ଗୁରୁତ୍ବ ଦିଆଯିବା ଦରକାର।