ଦୀପ ତଳ ଅନ୍ଧାର: ରାଜଧାନୀରେ ମାଳମାଳ ଅନୁପ୍ରବେଶକାରୀ

ଅପରାଧ ଘଟାଇ ଖସି ଯାଉଛନ୍ତି; ନିଶା କାରବାରର ମଙ୍ଗ ଧରିଛନ୍ତି
ପୁଲିସର ନଜର ନାହିଁ; ବିଏମ୍‌ସି ପାଖରେ କିଛି ତଥ୍ୟ ନାହିଁ

ଭୁବନେଶ୍ବର : ରାଜଧାନୀର ପ୍ରବେଶପଥଠୁ ନେଇ ସୀମା ଶେଷ ପର୍ଯ୍ୟନ୍ତ ସବୁଠି ଘେରି ରହିଛନ୍ତି ମାଳମାଳ ବିଦେଶୀ ଅନୁପ୍ରବେଶକାରୀ। କେଉଁଠୁ ଆସୁଛନ୍ତି, କେତେବେଳେ ଆସୁଛନ୍ତି, କେମିତି ଆସୁଛନ୍ତି ଏବଂ ସବୁ ପରେ ଏଠାରେ ସେମାନେ କ’ଣ କରୁଛନ୍ତି, ତାହା ଉପରେ କେହି ନଜରରେ ମଧ୍ୟ ରଖୁନାହାନ୍ତି। ସ୍ମାର୍ଟସିଟି ଭୁବନେଶ୍ବରରେ ଏମାନଙ୍କ ସଂଖ୍ୟା କେତେ, ତା’ର ତଥ୍ୟ ବି କାହା ପାଖରେ ନାହିଁ। ସ୍ଥାନୀୟ ପୁଲିସ କି ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) କେହି କିଛି ଜାଣନ୍ତି ନାହିଁ। ଆଉ ଏହାର ସୁଯୋଗ ନେଇ ବେଆଇନ ଭାବେ ସହର ଭିତରେ ବସତି ସ୍ଥାପନ କରି ରହି ଯାଇଥିବା ଏହି ଅନୁପ୍ରବେଶକାରୀମାନେ ଛୋଟ ଚୋରିଠୁ ଆରମ୍ଭ କରି ବଡ଼ ନିଶା କାରବାର ପର୍ଯ୍ୟନ୍ତ ନାନା ଅପରାଧ ଘଟାଇ ଚାଲିଛନ୍ତି।

ଡୁମୁଡୁମା ରଘୁନାଥନଗର, ବାଣୀବିହାର, ମାଳିସାହି, ଝାରପଡ଼ା, ସୁନ୍ଦରପଦା, ରସୁଲଗଡ଼ ଶିଳ୍ପାଞ୍ଚଳ ଆଦି ଅଞ୍ଚଳରେ ବହୁ ସଂଖ୍ୟାରେ ଅନୁପ୍ରବେଶକା‌ରୀ ବେଆଇନ ଭାବେ ରହିଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ବାଂଲାଦେଶୀ। ନିଜର ପ୍ରକୃତ ପରିଚୟ ଲୁଚାଇବା ପାଇଁ ଏମାନେ ଫେରିବାଲା, ଜରି ଗୋଟାଳି, ମାର୍ବଲ ମିସ୍ତ୍ରି, ରଙ୍ଗ ମିସ୍ତ୍ରି ଭାବେ କାମ କରୁଛନ୍ତି। ଏହି କାମ କରିବା ପାଇଁ ନିଜର କୌଣସି ସ୍ବତନ୍ତ୍ର ପରିଚୟ ଆବଶ୍ୟକ ନଥିବାରୁ ଏହା ସେମାନଙ୍କ ପାଇଁ ସୁବିଧା ହୋଇଛି। ଆଉ ଏମାନଙ୍କର କୌଣସି ନିର୍ଦ୍ଦିଷ୍ଟ ହିସାବ କାହା ପାଖରେ ରହୁନଥିବାରୁ ସେମାନଙ୍କ ଅପରାଧ ପଞ୍ଜିକାର ହିସାବ କାହା ପାଖରେ ନାହିଁ।

newsquesindia.com

ଅପରପକ୍ଷରେ ଏହି ଅନୁପ୍ରବେଶକାରୀଙ୍କ ଜନବସତି ଗଢ଼ି ଉଠିଥିବା ଅଞ୍ଚଳରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ଗମନାଗମନ ସୁବିଧା ବେଶ୍ ସହଜ। ପଶ୍ଚିମବଙ୍ଗରୁ ଆଇଗିଣିଆ ଆଳୁଗଦିକୁ ଆଳୁଟ୍ରକ୍‌ ତଥା ବିଭିନ୍ନ ମାଲ୍‌ଗାଡ଼ି ନିତିଦିନ ଯାତାୟାତ କରେ। ସେମାନେ ଏହି ଗାଡ଼ିରେ ଆସିବା ପରେ ଆଇଗିଣିଆ ଛକ ପୂର୍ବରୁ ଅର୍ଥାତ୍ ଏମ୍ସ ଅଣ୍ଡରପାସ୍‌ ଛକରୁ ଓହ୍ଲାଇ ବିଜୁପଟ୍ଟାନୟକ ପୁଲିସ ଏକାଡେମିକୁ ଲାଗିଥିବା ପରିତ୍ୟକ୍ତ ଅଞ୍ଚଳ ଦେଇ ଯାତାୟାତ କରନ୍ତି। ନଚେତ୍ କବାଡ଼ିଆ ଖାନା ମଧ୍ୟ ଏମାନଙ୍କ ପାଇଁ ବିକଳ୍ପ ରାସ୍ତା। ସେହିଭଳି ଅନ୍ୟ ଏକ ବିକଳ୍ପ ସୁବିଧା ହେଲା ରେଳପଥ। ମାଷ୍ଟରକ୍ୟାଣ୍ଟିନ୍‌ ନିକଟସ୍ଥ ମାଳିସାହି ଓ ରସୁଲଗଡ଼ରୁ ଏହାର ଆଖାପାଖ ଶିଳ୍ପାଞ୍ଚଳ। ଯେକେହି ଏହି ସ୍ଥାନଗୁଡ଼ିକରୁ ଯେକୌଣସି ସମୟରେ ମାତ୍ର କିଛି ମିନିଟ୍ ମଧ୍ୟରେ ରାଜ୍ୟ ବାହାରକୁ ଯାଇପାରିବ। ସେହିଭଳି ଭୁବନେଶ୍ବରର ପ୍ରବେଶପଥ ରସୁଲଗଡ଼ ଶିଳ୍ପାଞ୍ଚଳଠୁ ନେଇ ଡୁମୁଡୁମା ରଘୁନାଥନଗର ପର୍ଯ୍ୟନ୍ତ ଏମାନଙ୍କର ବସତି ଓ ଅବାଧ ଚଳପ୍ରଚଳ ରହିଛି।

ଡିଆର୍‌ଡିଓ ତଥ୍ୟ ଲିକ୍ ସହ ସଂପୃକ୍ତିକୁ ଏଡ଼ାଇ ଦେଇ ହେବ ନାହିଁ
ନିକଟରେ ଚାନ୍ଦିପୁର ଡିଆର୍‌ଡିଓରୁ ତଥ୍ୟ ଲିକ୍ ଘଟଣାରେ ୫ଜଣଙ୍କୁ ଗିରଫ କରାଯାଇଛି। ଯେଉଁଥିରୁ ସ୍ପଷ୍ଟ ହୋଇଥିଲା ଯେ ବାରମ୍ବାର ରାଜ୍ୟର ପ୍ରତିରକ୍ଷା ଗବେଷଣା କେନ୍ଦ୍ର ଚାନ୍ଦିପୁରକୁ ଟାର୍ଗେଟ୍ କରାଯାଉଛି। ଶତ୍ରୁରାଷ୍ଟ୍ର ସହିତ ଡିଆର୍‌ଡିଓର ଏକାଧିକ କର୍ମଚାରୀଙ୍କ ସଂପୃକ୍ତି ଘଟଣା ପଦାକୁ ଆସିବା ପରେ ରାଜଧାନୀରେ ଅନୁପ୍ରବେଶକାରୀଙ୍କ ବେଆଇନ ଉପସ୍ଥିତି ବୁଦ୍ଧିଜୀବୀଙ୍କୁ ଆନ୍ଦୋଳିତ କରୁଛି। ଖାଲି ଆଇଏସ୍‌ଆଇ ଲିଙ୍କ୍‌ ନୁହେଁ; ଆତଙ୍କବାଦୀ ସଂଗଠନ ‘ଲସ୍କର-ଇ-ତୋଇବା’ର କଟକ ଜଗତପୁରର ଅବଦୁଲ ‌ରହେମାନର ଲିଙ୍କ୍ ଜଣାପଡ଼ିବା ପରେ ଏନ୍‌ଆଇଏ ରହେମାନ ସମେତ ଆଉ କେତେଜଣଙ୍କୁ ଗିରଫ କରିଥିଲା। ବହୁ ପୂର୍ବରୁ କେନ୍ଦ୍ରାପଡ଼ା ଓ କଟକ ସମେତ ଏକାଧିକ ଜିଲ୍ଲାରେ ଆତଙ୍କବାଦୀ ବିଭିନ୍ନ ବେଶରେ ଲୁଚିଥିବା ଏନ୍‌ଆଇଏ ସତର୍କ ମଧ୍ୟ କରିଥିଲା। ତେଣୁ ଏବେ ଚାନ୍ଦିପୁର ତଥ୍ୟ ଲିକ୍ ଘଟଣାରେ ରାଜଧାନୀର ଏହି ଅନୁପ୍ରବେଶଙ୍କ ସହିତ ଆତଙ୍କବାଦୀ ସଂଗଠନର ଯେ ଲିଙ୍କ୍ ନଥିବ ତାହା ମଧ୍ୟ କହିହେବ ନାହିଁ।

ଚାନ୍ଦିପୁର ଡିଆର୍‌ଡିଓରୁ ତଥ୍ୟ ଲିକ୍ ଘଟଣା ଉପରେ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା କଥା ହେଲା, ସାମାଜିକ ଗଣମାଧ୍ୟମ ଯୋଗେ ଉତ୍ତରପ୍ରଦେଶ ସଂପର୍କ ସ୍ଥାପନା ହେବା ପରେ ତଥ୍ୟ ଲିକ୍‌ ହୋଇଥିଲା। ହେଲେ ଏମାନଙ୍କ ମଧ୍ୟରୁ କିଛି ଜଣ ସାମାଜିକ ଗଣମାଧ୍ୟମରେ ସକ୍ରିୟ ନାହାନ୍ତି। ତେଣୁ ଏମାନେ କେମିତି ଉତ୍ତରପ୍ରଦେଶ ଦେଇ ପାକିସ୍ତାନୀ ହ୍ୟାଣ୍ଡଲରଙ୍କ ପର୍ଯ୍ୟନ୍ତ ପହଞ୍ଚିଥିଲେ, ତାହା ବଡ଼ ପ୍ରଶ୍ନ। ଏଭଳି ସ୍ଥିତିରେ ରାଜଧାନୀ ଭୁବନେଶ୍ବରରେ ବିଭିନ୍ନ ପୁଲିସ ଓ ସରକାରୀ ଅନୁଷ୍ଠାନକୁ ଘେରି ରହିଥିବା ଅନେକ ଅନୁପ୍ରବେଶକାରୀ ଏମାନଙ୍କ ସହ ଯୋଗସୂତ୍ର ସ୍ଥାପନରେ ମାଧ୍ୟମ ସାଜିଥିବା କଥା ସେ ସନ୍ଦେହ ପ୍ରକଟ କରିଛନ୍ତି।

ତେଣୁ ଆଗାମୀ ଦିନରେ ଭୁବନେଶ୍ବରକୁ ବିପଦଶୂନ୍ୟ ଭାବିବା ମହଙ୍ଗା ପଡ଼ିପାରେ। ଦୀପତଳ ଅନ୍ଧାର ଭଳି ଭୁବନେଶ୍ବରକୁ ସୁରକ୍ଷିତ ମଣି ପୂର୍ବରୁ କଟକ, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ ଓ ରାଉରକେଲାକୁ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀ ବିବେଚନା କରାଯାଉଥିବା ବେଳେ ଏଠାରେ ଆତଙ୍କବାଦୀଙ୍କ ସହ ଯୋଗସୂତ୍ର ରକ୍ଷାକାରୀ ରହିଥିବା ସନ୍ଦେହକୁ ଏଡ଼ାଇ ଦିଆଯାଇ ନପାରେ।

ସମ୍ବନ୍ଧିତ ଖବର