ଆକ୍ରାନ୍ତ କମୁଛନ୍ତି, ଭୟ ଛାଡ଼ୁନି: ଭୁବନେଶ୍ବରରେ କୋଭିଡ୍‌ ପରୀକ୍ଷା ୩ଲକ୍ଷ ଟପିଲା

ଏବେ ପରୀକ୍ଷା ସଂଖ୍ୟା କମୁଛି

ଭୁବନେଶ୍ବର: ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ୨୮ ଦିନ ଲଗାତାର ୩୦୦ରୁ ୪୦୦ ମଧ୍ୟରେ ଆକ୍ରାନ୍ତ ବାହାରିବା ପରେ ଗତ ତିନି ଦିନ ହେଲା ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ରୁ କମିଛି। କୋଭିଡ୍‌ ହସ୍ପିଟାଲରେ ବି ଆକ୍ରାନ୍ତଙ୍କ ସଂଖ୍ୟା କମିଲାଣି। ସାଧାରଣ ୱାର୍ଡରୁ ଆରମ୍ଭ କରି ଆଇସିୟୁ ପର୍ଯ୍ୟନ୍ତ ସବୁଥିରେ ଆକ୍ରାନ୍ତଙ୍କ ସଂଖ୍ୟା କମିଲାଣି। କୋଭିଡ୍‌ କେୟାର୍‌ ସେଣ୍ଟର୍‌ ତ ପୂରା ଖାଁ ଖାଁ ହୋଇଗଲାଣି।

ବର୍ତ୍ତମାନ ସ୍ଥିତିରେ ବିଏମ୍‌ସିର ତଥ୍ୟ, ହସ୍ପିଟାଲର ପରିବେଶ ଦେଖାଉଛି ଯେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ହେଲେ ଲୋକଙ୍କ ମନରେ କରୋନାକୁ ନେଇ ଭୟ କମୁନି। କାରଣ ଏବେ ପୂର୍ବାପେକ୍ଷା କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଦୈନିକ ୧୫ରୁ ଅଧିକ ଲୋକଙ୍କର କରୋନାରେ ମୃତ୍ୟୁ ହେଉଛି। ଯେଉଁମାନେ କରୋନା ଆକ୍ରାନ୍ତ ହୋଇଛନ୍ତି, ଅଧିକାଂଶ କ୍ଷେତ୍ରରେ ପୂରା ପରିବାର କରୋନା ଆକ୍ରାନ୍ତ ହୋଇଛି। କାହାର ନା କାହା ସମ୍ପର୍କୀୟଙ୍କର କରୋନାରେ ମୃତ୍ୟୁ ହୋଇଛି। ତେଣୁ କରୋନା ଭୟ ଲୋକଙ୍କ ମନରୁ ଯାଉନି। ଚିନ୍ତାମଣିଶ୍ବର ଅଞ୍ଚଳର ଅସୀମ ମହାନ୍ତିଙ୍କ କହିବାନୁଯାୟୀ, ଆମର ପୂରା ପରିବାର କରୋନା ଆକ୍ରାନ୍ତ ହୋଇଗଲେ। ମୁଁ ବାହାରେ ଥିବାରୁ କରୋନା ଆକ୍ରାନ୍ତ ହୋଇ ନଥିଲି। ଘରେ ସମସ୍ତେ ସୁସ୍ଥ ହୋଇଗଲେଣି। ତଥାପି ମୋତେ ଏବେ ଘରଲୋକ ଘରକୁ ଆସିବାକୁ ମନା କରୁଛନ୍ତି। ମୋତେ କାଳେ କରୋନା ହୋଇଯିବ ବୋଲି ଘରଲୋକ ବାରଣ କରୁଛନ୍ତି।

ସେହିପରି ଜଗନ୍ନାଥ ନଗର ଅଞ୍ଚଳର ଶ୍ରୀଧର ପରିଡ଼ାଙ୍କ କହିବାନୁଯାୟୀ, ଆମର ଜଣେ ସମ୍ପର୍କୀୟ ହଠାତ୍‌ ଅସୁସ୍ଥ ହୋଇଗଲେ। ହସ୍ପିଟାଲକୁ ନେବାରୁ କରୋନା ପରୀକ୍ଷା କରାଇଲେ। ରିପୋର୍ଟ ପଜିଟିଭ୍ ଆସିଲା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେଣୁ କେତେବେଳେ କ’ଣ ହୋଇଯିବ, ସେନେଇ ଡର ଲାଗୁଛି। ସେହିପରି ଏବେ ସମ୍‌, କିମ୍ସ ହସ୍ପିଟାଲରୁ ଆରମ୍ଭ କରି ହାଇଟେକ୍ କୋଭିଡ୍‌ ହସ୍ପିଟାଲ ପର୍ଯ୍ୟନ୍ତ ସବୁଠି କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଲାଣି। ହାଇଟେକ୍‌ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ଆକ୍ରାନ୍ତ କହିଛନ୍ତି ଯେ ସେ ଯେଉଁ ୱାର୍ଡରେ ଚିକିତ୍ସିତ ହେଉଛନ୍ତି ସେଠାରେ ୩୮ଟି ଶଯ୍ୟା ଥିଲା। କିନ୍ତୁ ମାତ୍ର ଦୁଇ ଜଣ ଆକ୍ରାନ୍ତ ଥିଲେ। ଆଉ ହସ୍ପିଟାଲରେ ଆକ୍ରାନ୍ତଙ୍କ ଗହଳି ନାହିଁ। ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି ଯେ ଏବେ ମୋଟ୍‌ ଆକ୍ରାନ୍ତଙ୍କର ୮୦% ଘରେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି। ସେମାନଙ୍କୁ ୧୯୨୯ ନମ୍ବର ମାଧ୍ୟମରେ ପରାମର୍ଶ ଦିଆଯାଉଛି। ଆକ୍ରାନ୍ତଙ୍କୁ ତୁରନ୍ତ ହସ୍ପିଟାଲ ସ୍ଥାନାନ୍ତର ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି। ଏବେ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। କିନ୍ତୁ ଲୋକଙ୍କୁ ସତର୍କ ରହିବାକୁ ହେବ। ବାରମ୍ବାର ହାତ ଧୋଇବା ସହ ମାସ୍କ ପିନ୍ଧିବେ ଏବଂ ଗହଳି ସ୍ଥାନକୁ ଯିବେନି। ତେବେ ଯାଇ କରୋନା ନିୟନ୍ତ୍ରଣକୁ ଆସିପାରିବ।

ଭୁବନେଶ୍ୱର: ରାଜଧାନୀର ପ୍ରାୟ ୩୦% ଲୋକ କରୋନା ପରୀକ୍ଷା କରିସାରିଲେଣି। ମାର୍ଚ୍ଚରୁ ରାଜଧାନୀରେ କରୋନା ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଆଜି ସୁଦ୍ଧା ୩ଲକ୍ଷ ୧ହଜାର ୮୯୩ଜଣ କରୋନା ପରୀକ୍ଷା କରିସାରିଲେଣି। ଏଥିରୁ ୨୬୦୧୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨୫୨୫ଜଣ ସୁସ୍ଥ ହୋଇ ସାରିଲେଣି। ଆଜି ସୁଦ୍ଧା ୧୨୨ଜଣଙ୍କର ସରକାରୀ ଭାବେ କରୋନାରେ ମୃତ୍ୟୁ ହୋଇଥିବା ବେଳେ ୩୩୪୮ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧୮ ସୁଦ୍ଧା ୨ଲକ୍ଷ ଲୋକଙ୍କର କରୋନା ପରୀକ୍ଷା ହୋଇଥିବା ବେଳେ ୨୪ଦିନରେ ଆଉ ୧ଲକ୍ଷ ଲୋକଙ୍କର ପରୀକ୍ଷା ହୋଇଛି। ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ବିଏମ୍‌ସି ଏବେ ଦୈନିକ କରୋନା ପରୀକ୍ଷା କମାଇ ଦେଇଛି।

ଅକ୍ଟୋବର ୨ରେ ୪୦୫୯ ଜଣ, ୩ରେ ୪୦୪୦ ଜଣ, ୪ରେ ୩୪୧୬ ଜଣ, ୫ରେ ୩୯୩୧ ଜଣ, ୬ରେ ୪୮୬୯ ଜଣ, ୭ରେ ୪୫୦୭ ଜଣ, ୮ରେ ୪୩୯୬ ଜଣ, ୯‌େର ୪୩୨୪ ଜଣ, ୧୦ରେ ୪୪୯୨ ଜଣ, ୧୧ରେ ୨୫୭୪ ଜଣ ଏବଂ ୧୨ରେ ୩୫୦୩ ଜଣଙ୍କର ପରୀକ୍ଷା ହୋଇଛି। ଅପରପକ୍ଷେ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ୍‌)ରେ କୋଭିଡ୍‌ ନମୁନା ପରୀକ୍ଷା ୧ଲକ୍ଷ ଟପିଛି। ଗତକାଲି ସୁଦ୍ଧା ଆଇଏଲଏସ୍‌ ଏହି ସଂଖ୍ୟା ହାସଲ କରିପାରିଛି। ରାଜ୍ୟରେ ଆରଏମ୍‌ଆରସି ବାଦ୍ ଆଇଏଲଏସ୍‌ କରୋନା ନମୁନା ପରୀକ୍ଷାରେ ଏକ ପ୍ରମୁଖ ସ୍ଥାନ ହାସଲ କରିଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୩୮ଲକ୍ଷ ୩୬ହଜାର ୮୨୫ ନମୁନା ପରୀକ୍ଷା ହୋଇସାରିଲାଣି।

ସମ୍ବନ୍ଧିତ ଖବର