ଛାତ୍ରୀଙ୍କୁ ଗୁଳିମାଡ଼ ଘଟଣା: ସନ୍ଦେହ ଘେରରେ ତଦନ୍ତ, ମିଳୁନି ବନ୍ଧୁକ, ଫିଟୁନି ରହସ୍ୟ

ଭୁବନେଶ୍ବର: ଇନଫୋସିଟି ଅଞ୍ଚଳରେ ଛାତ୍ରୀଙ୍କୁ ଗୁଳିମାଡ଼ ଘଟଣାକୁ ୮ ଦିନ ବିତି ଗଲାଣି। କିନ୍ତୁ ଏ ପର୍ଯ୍ୟନ୍ତ ଘଟଣା ଉପରୁ ରହସ୍ୟ ଉଠାଇବାରେ ବିଫଳ ହୋଇଛି ପୁଲିସ। ଏଥିରେ ପୁଲିସର ନିରବତା ଘଟଣାକୁ ଦିନକୁ ଦିନ ରହସ୍ୟମୟ କରିବାରେ ଲାଗିଛି। ପୁଲିସ ତଦନ୍ତକୁ ନେଇ ଆରମ୍ଭରୁ ପରିବାର ଲୋକ ସନ୍ଦେହ ପ୍ରକାଶ କରିଛନ୍ତି।

ଗୁଳିକାଣ୍ଡ ପରେ ଅଭିଯୁକ୍ତ ଆଶିଷ ଓ ପ୍ରଦୀପ ଅଗସ୍ତି ଛାତ୍ରୀଙ୍କୁ ହସ୍ପିଟାଲ୍ ନେଇଥିଲେ। କହିଥିଲେ ସେମାନେ ତିନି ଜଣ ବଜରଙ୍ଗ ବିହାର ନିକଟ ରାସ୍ତା କଡରେ ଛିଡ଼ା ହୋଇ କଥା ହେଉଥିବା ବେଳେ ଦୁଇ ଦୁର୍ବୃତ୍ତ ଗୁଳି କଲେ। କିନ୍ତୁ ପୁଲିସ ପଚରାଉଚରାରୁ ସ୍ପଷ୍ଟ ହୋଇ ଯାଇଥିଲା ଯେ ଅସାବଧାନତା କାରଣରୁ ଆଶିଷ ହାତରୁ ଅଚାନକ ଗୁଳି ଫୁଟି ଯାଇଛି। ଗୁଳିକାଣ୍ଡ ପରେ ରାଜେଶ ତରାଇକୁ ଡକାଇ ତା’ ହାତରେ ବନ୍ଧୁକ ଦେଇ ଲୁଚାଇ ଦେବାକୁ କହିଥିଲା। କିନ୍ତୁ ସେତେବେଳେ ଅଗସ୍ତିର ଲିଙ୍କ୍ ନେଇ ପୁଲିସ କିଛି ବି ମୁହଁ ଖୋଲି ନ ଥିଲା। ଛାତ୍ରୀଙ୍କ ବାପା ଅଗସ୍ତି ବିରୋଧରେ ସଙ୍ଗିନ ଅଭିଯୋଗ ଆଣିବା ପରେ ପୁଲିସ ଗିରଫ କରିଥିଲା। ଛାତ୍ରୀଙ୍କ ସହ ସମ୍ପର୍କ ନେଇ ଅଗସ୍ତିର ବୈବାହିକ ଜୀବନରେ ବି ପୂର୍ବରୁ ଏକାଧିକ ଥର ଝଡ଼ ସୃଷ୍ଟି ହୋଇଛି। ଛାତ୍ରୀଙ୍କଠାରୁ ଅଗସ୍ତିକୁ ଅଲଗା କରିବା ପାଇଁ ମଧ୍ୟ ପୂର୍ବରୁ ଛାତ୍ରୀଙ୍କ ସମ୍ପର୍କୀୟ ବୈଠକ କରି ସମାଧାନ କରିଛନ୍ତି। ପୁଲିସ ତଦନ୍ତରେ ଛାତ୍ରୀଙ୍କ ପରିବାର ଲୋକ ସନ୍ତୁଷ୍ଟ ହୋଇପାରି ନାହାନ୍ତି। ଏଭଳି କିଛି ପ୍ରଶ୍ନ ରହିଯାଇଛି ଯାହା ଉପରୁ ପରଦା ଉଠାଇବାରେ ଫେଲ୍ ମାରିଛି ପୁଲିସ। ଯଦି ଅଗସ୍ତି ଛାତ୍ରୀଙ୍କ ରୁମରେ ପୂର୍ବରୁ ଥିଲା ତାହାଲେ ଆଶିଷକୁ କାହିଁକି ଡକାଇଥିଲା? ପୁଲିସ କହିବା ମୁତାବକ ଆଶିଷ ଯଦି ଜଳଖିଆ ନେଇ ଯାଇଥିଲା ତାହାଲେ ବନ୍ଧୁକ କାହିଁକି ସାଙ୍ଗରେ ନେଇଥିଲା? ପେସାଦାର ଅପରାଧୀ ବନ୍ଧୁକ ଭଳି ମାରଣାସ୍ତ୍ର ସବୁ ବେଳେ ଲୁଚାଇ ରଖିଥାନ୍ତି, କିନ୍ତୁ ଏଠି କାହିଁକି ବନ୍ଧୁକ ବାହାର କରିଥିଲା ଆଶିଷ? ଆଶିଷ ପେସାଦାର ଅପରାଧୀ ହୋଇଥିଲେ ବି ସତରେ କଣ ଅସାବଧାନତାରୁ ଗୁଳି ଫୁଟି ଯାଇଥିଲା? ଗୁଳିକାଣ୍ଡ ପରେ ଅଭିଯୁକ୍ତ ପ୍ରଥମେ ଛାତ୍ରୀଙ୍କୁ ହସ୍ପିଟାଲ ନେଇଥିଲେ ନା ବନ୍ଧୁକ ଲୁଚାଇବା ଲାଗି ଅନ୍ୟ ଜଣେ ଯୁବକ ରାଜେଶକୁ ଡକାଇଥିଲେ? ଯଦି ପ୍ରଥମରୁ ଅଗସ୍ତିର ସମ୍ପୃକ୍ତି ଥିଲା ତାହା ହେଲେ ଆଶିଷ ସହ ପୁଲିସ ତାକୁ କାହିଁକି କୋର୍ଟଚାଲାଣ କରି ନ ଥିଲା? ସତରେ ରାଜେଶ ବନ୍ଧୁକ ଲୁଚାଇଛି ନା ପୁଲିସକୁ ଚକମା ଦେବା ପାଇଁ ଆଶିଷ ତା ନାଁ କହିଛି? ୮ ଦିନ ପରେ ବି କାହିଁକି ବନ୍ଧୁକ ଜବତ କରିପାରୁ ନାହିଁ ପୁଲିସ? ବନ୍ଧୁକ ମିଳୁ ନ ଥିବାରୁ ଘଟଣା ଆହୁରି ରହସ୍ୟ ଭିତରକୁ ଠେଲି ହୋଇ ଯାଇଛି। ଅନ୍ୟପକ୍ଷରେ ଛାତ୍ରୀ ପୁଲିସକୁ ବୟାନ ଦେଇ କହିଛନ୍ତି ଅଗସ୍ତିଙ୍କ ସହ ରୁମରେ ଥିଲେ। ସେହି ସମୟରେ ଆଶିଷ ପହଞ୍ଚି ଗୁଳି ଚଳାଇଥିଲା। ଜଣେ ପୁଲିସ ଅଧିକାରୀ କହିଛନ୍ତି, ଆଶିଷ ଯଦି ଗୁଳି ଚଳାଇଛି, ତେବେ ଛାତ୍ରୀଜଣକ ତାକୁ କେମିତି ବିଶ୍ବାସକୁ ନେଇ ତା’ ସାଙ୍ଗରେ ହସ୍ପିଟାଲ ଯାଇଥିଲେ।

କାହିଁକି ପୁଲିସ ଚୁପ୍‌?
ରାଜଧାନୀରେ ଛାତ୍ରୀଙ୍କୁ ଗୁଳିମାଡ଼ ଏକ ସମ୍ବେଦନଶୀଳ ଘଟଣା ହୋଇଥିଲେ ବି ଚିତ୍ର ସ୍ପଷ୍ଟ ହୋଇପାରୁ ନାହିଁ। ମାମଲାର ୮ଦିନ ପରେ ବି କାହିଁକି ପୁଲିସ ଚିତ୍ର ସ୍ପଷ୍ଟ କରୁନି? ଏହି ଘଟଣାରେ ବହୁ ପୁଲିସ ଅଧିକାରୀ ମଧ୍ୟ ସନ୍ଦେହ ପ୍ରକାଶ କରିଛନ୍ତି। ଘଟଣାରେ ତଦନ୍ତର ଦିଗ, ବାହାରୁଥିବା ନୂଆ ନୂଆ ତଥ୍ୟ, ଗିରଫଦାରି ସମ୍ପର୍କରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଜନତା। ଅନୁପ ସାଏଙ୍କ ମାମଲା ଭଳି କମିସନରେଟ ପୁଲିସ ବି ସାମ୍ବାଦିକ ସମ୍ମିଳନୀ ଡାକି ପୂରା ରହସ୍ୟ ଉନ୍ମୋଚନ କରିବା କଥା। ପୁଲିସ କୌଣସି ସିଦ୍ଧାନ୍ତରେ ଉପନୀତ ହୋଇ ନ ଥିବା ଆଇନଜୀବୀ ସିଦ୍ଧାର୍ଥ ଦାସ କହିଛନ୍ତି। ତଦନ୍ତ ଶେଷ ହୋଇ ପାରି ନ ଥିବାରୁ ମାମଲା ଉପରୁ ପରଦା ଉଠି ପାରିନି। ସେଥିଲାଗି ପୁଲିସ ଗଣମାଧ୍ୟମକୁ କୌଣସି ଠୋସ୍ ସୂଚନା ଦେଇପାରୁନି। ଆହୁରି ଅଧିକ ତଦନ୍ତର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

କୁଆଡ଼େ ଗଲା ବନ୍ଧୁକ? ଘଟଣା ଦିନ ପୁଲିସ ଆଶିଷ ଓ ରାଜେଶକୁ ଅଟକ ରଖିଥିଲା। ଘଟଣା ସମ୍ପର୍କରେ ଯେତିକି ତଥ୍ୟ ମିଳିଥିଲା ତାକୁ ଆଧାର କରି ତଦନ୍ତ ଆରମ୍ଭ କଲା। ଆଶିଷ ବୟାନକୁ ଆଧାର କରି ବନ୍ଧୁକ ସମ୍ପର୍କରେ ଖୋଳତାଡ଼ କରିଥିଲା। ପୁଲିସ ଦୁଇ ଦିନ ଧରି ଖୋଜି ଖୋଜି ନୟାନ୍ତ ହେବା ପରେ ଆଶିଷ ନୟାଗଡରେ ଜଣେ ବନ୍ଧୁକ ବେପାରୀ ଠିକଣା କହିଥିଲା। ସେଠାରୁ ବି ନିରାଶ ହୋଇ ଫେରିଥିଲା ପୁଲିସ। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ପେସାଦାର ଅପରାଧୀ ବନ୍ଧୁକ ନଷ୍ଟ କରି ନ ଥାନ୍ତି। କାରଣ ପୁଣି ଥରେ ବନ୍ଧୁକ ମିଳିବା କଷ୍ଟ ହୋଇଥାଏ। ଖଣ୍ଡା, ଭୁଜାଲି ଭଳି ମାରଣାସ୍ତ୍ର ଫିଙ୍ଗି ଦେବାର ନଜିର୍ ରହିଛି। କିନ୍ତୁ ବନ୍ଧୁକକୁ ଅପରାଧୀ ନ ଫିଙ୍ଗି ଲୁଚାଇ ଦିଅନ୍ତି ବୋଲି ପୁଲିସ ଅଧିକାରୀ ଜଣଙ୍କ କହିଛନ୍ତି। ବନ୍ଧୁକ ଏବେ କେଉଁଠି ତାହାର ସନ୍ଧାନ ପାଇପାରି ନାହିଁ ପୁଲିସ।

ସମ୍ବନ୍ଧିତ ଖବର