ଖଣ୍ଡଗିରି: ବଡ଼ ବଡ଼ ବହୁରାଷ୍ଟ୍ରୀୟ ଆଇଟି କମ୍ପାନି ଆସିବେ। ବେଙ୍ଗାଲୁରୁ ଭଳି ଆଇଟି ହବ୍ ହେବ। ତା’ ସାଙ୍ଗକୁ ଇଲୋକ୍ଟ୍ରନିକ୍ସ ମାନୁଫାକ୍ଚରିଂ କ୍ଲଷ୍ଟର ମଧ୍ୟ ହେବ। ଆଇଫୋନ୍ ଭଳି ଦାମୀ ମୋବାଇଲ୍ ଫୋନ୍ ନିର୍ମାତା କମ୍ପାନିମାନେ ଆସିବେ। ସେମାନେ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିବେ। ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପୁଳାପୁଳା ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ରାଜଧାନୀ ଉପକଣ୍ଠ ଛତାବର ପଞ୍ଚାୟତ ଅରିଶଲଠାରେ ଚାଲିଥିବା ଇନ୍ଫୋଭ୍ୟାଲି-୨କୁ ନେଇ ଦୀର୍ଘ ୧୦ବର୍ଷ ହେଲା ଏମିତି ସୁନ୍ଦର ଗୋଲାପି ଚିତ୍ର ଆଙ୍କି ଚାଲିଛନ୍ତି ସରକାର। ପ୍ରକୃତପକ୍ଷେ ବାସ୍ତବ ଚିତ୍ର ଓଲଟା। ମାତ୍ର ଗୋଟିଏ କମ୍ପାନିରେ ଆଣ୍ଠେଇ ପଡ଼ିଛି ପୂରା ପ୍ରକଳ୍ପ। ଭିତ୍ତିଭୂମି ପ୍ରସ୍ତୁତ କରିବାରେ ଇଡ୍କୋ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ପରେ ବି ଅନ୍ୟ କମ୍ପାନିମାନେ ଆଡ଼ ନଜରରେ ଅନାଉ ନାହାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଥମରୁ କୁହା ଯାଇଥିଲା ଯେ, ଇନ୍ଫୋସିସ୍ର ଦ୍ବିତୀୟ କ୍ୟାମ୍ପସ ସହ ଟିସିଏସ୍, ୱିପ୍ରୋ, ଟେକ୍ ମହିନ୍ଦ୍ରା ଭଳି ବହୁରାଷ୍ଟ୍ରୀୟ ଆଇଟି କମ୍ପାନିମାନେ ପର୍ଯ୍ୟାୟକ୍ରମେ ଏଠାରେ ନିଜର କମ୍ପାସ ନିର୍ମାଣ କରିବେ। ଅଧିଗ୍ରହଣ ହୋଇଥିବା ମୋଟ୍ ୬୬୦ ଏକର ଜମିରୁ ୨୬୨ଏକର ଜମି ଏହି କମ୍ପାନିମାନଙ୍କ ପାଇଁ ଉଦ୍ଦିଷ୍ଟ ଓ ଏହାକୁ ସ୍ପେସାଲ ଇକୋନିମିକ୍ ଜୋନ୍(ଏସ୍ଇଜେଡ୍)ର ମାନ୍ୟତା ଦିଆଯାଇଛି। ମାତ୍ର ପରିତାପର କଥା, ପ୍ରଥମ କମ୍ପାନି ବା ଆଙ୍କର୍ ଟେନାଣ୍ଟ ଭାବେ ଇନ୍ଫୋସିସ୍ କାର୍ଯ୍ୟକ୍ଷମ ହେବାର ପ୍ରାୟ ୪ ବର୍ଷ ବିତିବା ପରେ ବି ଅନ୍ୟ କୌଣସି କମ୍ପାନିର ଦେଖାଦର୍ଶନ ନାହିଁ। ପୁଣି ଇନ୍ଫୋସିସ ମଧ୍ୟ ଏହି ଦ୍ବିତୀୟ କ୍ୟାମ୍ପସରେ ଯେତିକି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା କଥା, ତାହା କରିପାରୁନାହିଁ। ୨୦୧୫ ସୁଦ୍ଧା ଇନ୍ଫୋସିସ୍ ଏହି କ୍ୟାମ୍ପସରେ ୫ହଜାର ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି କରିଥିବା ପ୍ରସ୍ତାବ ସେମିତି ଅଧାରେ ରହି ଯାଇଛି। ପୂରା ପ୍ରକଳ୍ପର ଭିତ୍ତିଭୂମିରେ ରହିଥିବା ବହୁ ସମସ୍ୟା କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।
ଆହୁରି ଦୁଃଖର କଥା ହେଉଛି, ଇଲୋକ୍ଟ୍ରନିକ୍ସ ମାନୁଫାକ୍ଚରିଂ କ୍ଲଷ୍ଟର(ଇଏମ୍ସି) କୁଆଡ଼େ ଉଭାନ୍ ହୋଇଯାଇଛି। ଏଠାରେ ଏକ ହାର୍ଡୱେର୍ ପାର୍କ ତଥା ଇଏମ୍ସି ନିର୍ମାଣ କରାଯିବ ବୋଲି ପୂରା ପ୍ରକଳ୍ପରୁ ୧୬୦ ଏକର ଜମି ଦିଆଯାଇଛି। ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପାର୍କର ଭୂମିପୂଜା କରିଥିଲେ ଓ ଏହା ୨୦୧୮ ମସିହା ଶେଷ ସୁଦ୍ଧା ସରିବ ବୋଲି କୁହାଯାଇଥିଲା। ଆମେରିକା ଓ ତାଇୱାନ୍ ବେସ୍ଡ୍ କମ୍ପାନିମାନେ ଏଠାରେ ସେମାନଙ୍କ ପ୍ରକଳ୍ପରେ ପ୍ରାୟ ୯୫୭କୋଟି ଟଙ୍କା ବିନିଯୋଗ କରିବେ ବୋଲି କୁହାଯାଇଥିଲା। ଏନେଇ ଚୁକ୍ତିପତ୍ର ବା ବୁଝାମଣା(ଏମ୍ଓୟୁ) ମଧ୍ୟ ସ୍ବାକ୍ଷରିତ ହୋଇଥିଲା। ତାଇୱାନ ବେସଡ୍ ଫକ୍ସକନ୍ କମ୍ପାନି ଆଇଫୋନ୍ ଓ ନୋକିଆ ଭଳି ଦାମୀ ମୋବାଇଲ୍ ନିର୍ମାଣ କରିବାକୁ ଏଠାରେ ଏକ ୟୁନିଟ୍ କରିବ ବୋଲି ପ୍ରସ୍ତାବ ଥିଲା। ମାତ୍ର ଭୂମିପୂଜାରେ ହିଁ ଅଟକି ରହିଛି ଏହି ପ୍ରକଳ୍ପ। ସେହିଭଳି ଏହି କ୍ଲଷ୍ଟରରେ ହାଇଦ୍ରାବାଦ୍ ବେସ୍ଡ ସି-ଟେଲ୍ କମ୍ପାନି ଓ ଜୟପୁର ବେସ୍ଡ ଷ୍ଟାର୍ ଜିଏସ୍ଏମ୍ ଯଥାକ୍ରମେ ୬୫ କୋଟି ଓ ୭୫ କୋଟି ଟଙ୍କା ବିନିଯୋଗ କରି ଦୁଇଟି ପ୍ରକଳ୍ପ କରିବେ ବୋଲି ସ୍ଥିର ହୋଇଥିଲା। ଏହି ପ୍ରକଳ୍ପଦ୍ବୟ ମଧ୍ୟ ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ ଥିଲା। ମାତ୍ର ବର୍ତ୍ତମାନ ସୁଦ୍ଧା ସବୁ ଫେଲ୍। ସରକାରଙ୍କ ସିଙ୍ଗଲ୍ ୱିଣ୍ଡୋ କ୍ଲିଅରାନ୍ସ ବ୍ୟବସ୍ଥା, ମେକ୍ ଇନ୍ ଓଡ଼ିଶା ଭଳି କାର୍ଯ୍ୟକ୍ରମ ଏହି ପ୍ରକଳ୍ପ ପାଇଁ କାଣିଚାଏ ବି ଫାଇଦା ଆଣିପାରିନାହିଁ, ବରଂ ସିଙ୍ଗାପୁର ଜୁରାଙ୍ଗ କନ୍ସଲଟାନ୍ସିର ପରାମର୍ଶ ବାବଦରେ କୋଟି କୋଟି ଟଙ୍କା ପାଣିରେ ବୁହା ହୋଇ ଚାଲିଛି।
ଉଲ୍ଲେଖଯୋଗ୍ୟ ଯେ କେବଳ ଇନ୍ଫୋଭ୍ୟାଲି-୨ରେ ନୁହେଁ, ମେଣ୍ଢାଶାଳ ଓ ଛତାବରରେ ହୋଇଥିବା ଶିଳ୍ପାଞ୍ଚଳରେ ମଧ୍ୟ ଅନୁରୂପ ସମସ୍ୟା। ମେଣ୍ଢାଶାଳ ଡେରାସ ଫୁଡ୍ ପାର୍କରେ ପ୍ରସ୍ତାବିତ ୭ଟି ପ୍ରକଳ୍ପରୁ ମାତ୍ର ଗୋଟିଏ କମ୍ପାନି ବି-ୱାନ୍ କାମ କରୁଛି। ଛତାବରରେ ଗୋଟିଏ ବି ପ୍ରକଳ୍ପ ଆରମ୍ଭ ହୋଇନାହିଁ। ଏଠାରେ ଗୁଜୁରାଟର ଏକ କମ୍ପାନି ଫୁଡ୍ ପ୍ରୋସେସିଂ ପ୍ଲାଣ୍ଟ କରିବ ବୋଲି ଏମ୍ଓୟୁ କରି ଚୁପ୍ ବସିଛି।
ଏହି ପ୍ରକଳ୍ପକୁ କମ୍ପାନିମାନେ ଅଣଦେଖା କରୁଥିବା ପଛରେ ବହୁ କାରଣ ରହିଛି ବୋଲି କୁହାଯାଉଛି। ପ୍ରଥମତଃ ଏଠାରେ ଇନ୍ଫୋସିସ୍ର କର୍ମଚାରୀମାନେ ଜଙ୍ଗଲିଆ ଭିତ୍ତିଭୂମିକୁ ନେଇ ଅସନ୍ତୁଷ୍ଟ ଥିବାରୁ କମ୍ପାନି ଏହାର ପରିସର ବୃଦ୍ଧି କରିପାରୁନାହିଁ। ବିଜୁଳି ଓ ଜଳ ସମସ୍ୟା ନଥିଲେ ମଧ୍ୟ ଭିତ୍ତିଭୂମିର ସମ୍ପୂର୍ଣ୍ଣ ବିକାଶ ହୋଇନାହିଁ। କମ୍ପାନିର କ୍ୟାମ୍ପସ ନିକଟରେ ସହର ବଜାର ନଥିବାରୁ ଭଲ ହୋଟେଲ୍ ଟିଏ ମିଳେନି କି ଅବସର ସମୟରେ ମନୋରଂଜନ ପାଇଁ ବ୍ୟବସ୍ଥା ମଧ୍ୟ ନାହିଁ। ସହରରୁ ଅଧିକ ଦୂର ହେଉଥିବାରୁ କର୍ମଚାରୀମାନେ ନିଜ ବ୍ୟବସ୍ଥାରେ ଯାତାୟାତ କରିବା ସମ୍ଭବ ହେଉନାହିଁ। କମ୍ପାନି ଗାଡ଼ିରେ ଯାତାୟାତ କରିବା ଦ୍ବାରା ଅନେକ ସମୟରେ ଜଣେ ଜଣେ କର୍ମଚାରୀଙ୍କୁ ଛୁଟି ପରେ ଅଯଥାରେ ଅଧିକ ସମୟ ସେଠାରେ ଅପେକ୍ଷା କରିବାକୁ ପଡ଼ୁଛି। ପାଖରେ ଥାନା ନଥିବାରୁ ସୁରକ୍ଷା ପ୍ରତି ମଧ୍ୟ ଭୟ ରହିଛି। ବଡ଼ରଘୁନାଥପୁରଠାରୁ ଲମ୍ବିଥିବା ନୂଆ ୨୦୦ ଫୁଟିଆ ରାସ୍ତା ମଧ୍ୟ ନିଛାଟିଆ ହୋଇଥିବାରୁ ଲୁଟ୍ପାଟ୍ର ଭୟ ରହିଛି। ତେଣୁ ବିଶେଷକରି ମହିଳା ଇଂଜିନିୟରମାନେ ଏହି କ୍ୟାମ୍ପସ ପ୍ରତି ବିମୁଖ ହୋଇପଡ଼ିଛନ୍ତି। କୁହାଯାଏ, ଏଭଳି ପ୍ରଚାର ପାଇଁ ଅନ୍ୟ ଆଇଟି କମ୍ପାନିମାନେ ମଧ୍ୟ ଏଠାକୁ ଆସିବା ପାଇଁ ଆଗ୍ରହ କରୁନାହାନ୍ତି।