ଇନ୍‌ଫୋସଟି ପଥରଗାଡ଼ିଆ ଅଞ୍ଚଳରୁ ଗଛ କାଟି ନେଲେ ଦୁର୍ବୃତ୍ତ

ଚନ୍ଦ୍ରଶେଖରପୁର: ବୃକ୍ଷରୋପଣ ପାଇଁ ବ୍ୟପକ ସଚେତନତା ସୃଷ୍ଟି କରାଯାଉଥିବା ବେଳେ ଅନ୍ୟପଟେ ଚାଲିଛି ଗଛକଟା। ଇନ୍‌ଫୋସଟି ଛକ ଶିଖରଚଣ୍ଡୀ ପାହାଡ଼ ପଛପାଖ ଗଣେଶନଗର ପଥରଗାଡ଼ିଆ ଅଞ୍ଚଳରୁ ବହୁ ମୂଲ୍ୟବାନ ଶାଳ ଓ ଆମ୍ବ ଗଛ କିଛି ଦୁର୍ବୃତ୍ତ କଟର୍ ମେସିନ୍ ସାହାଯ୍ୟରେ କାଟି ନେଇଥିବା ଚନ୍ଦକା ଥାନାରେ ଅଭିଯୋଗ ହୋଇଛି। ମାତ୍ର ପୁଲିସ୍ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ। ଅପରପକ୍ଷରେ ଗଛ କାଟି ନେଉଥିବା ନୀଳାଦ୍ରିବିହାର ଅଞ୍ଚଳର ସମ୍ପୃକ୍ତ ବ୍ୟକ୍ତିଙ୍କୁ ସୁରକ୍ଷା ଯୋଗାଇ ଦେଇଥିବା ଅଭିଯୋଗ ହୋଇଛି। ଗଛ ଦାୟିତ୍ବରେ ଥିବା ଅନ୍ତର୍ଯ୍ୟାମୀ ମହାପାତ୍ର ଓ କୁନି ମହାପାତ୍ରଙ୍କ ଅଭିଯୋଗ ଅନୁଯାୟୀ ଚନ୍ଦକା ମୌଜାରେ ଥିବା ଏହି ସରକାରୀ ଜମିରେ ୨୦୦୦ ମସିହାରୁ କିଛି ସ୍ବେଚ୍ଛାସେବୀ ବୃକ୍ଷରୋପଣ କରିଥିଲେ। ସେଠାରେ ଶାଳ, ପିଆଶାଳ ଓ ଆମ୍ବ ଗଛ ସହିତ ଅନ୍ୟ ମୂଲ୍ୟମାନ ଗଛ ଲଗାଯାଇଥିଲା।

ଉକ୍ତ ଗଛଗୁଡ଼ିକ ବର୍ତ୍ତମାନ ପ୍ରାୟ ୨୦ ଫୁଟରୁ ଅଧିକ ଉଚ୍ଚ ହୋଇଯାଇଥିବା ବେଳେ କିଛି ଅସାମାଜିକ ଲୋକଙ୍କ ଦୃଷ୍ଟି ଏହା ଉପରେ ପଡ଼ିଛି। ଫଳରେ ଉକ୍ତ ଗଛ ଓ ଜମି ହଡ଼ପ ନେଇ ଗତ ତିନି ଦିନ ପୂର୍ବେ ସେଠାରେ ଥିବା ଲକ୍ଷାଧିକ ଟଙ୍କା ଗଛକୁ କାଟି ଗାଡ଼ିରେ ବୋହି ନେଇଛନ୍ତି। ଏନେଇ କିଛି ପରିବେଶବିତ ଓ ଉକ୍ତ ବନ ସୁରକ୍ଷା ଦାୟିତ୍ବରେ ଥିବା ବ୍ୟକ୍ତି ପୁଲିସ୍‌କୁ ସୂଚନା ଦେଇଥିଲେ ହେଁ ପୁଲିସ ଏହାକୁ ହାଲୁକା ଭାବେ ନେଇଥିଲା। ଫଳରେ ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ଗଛ କାଟି ନେଇଛନ୍ତି। କିଛି ଲୋକ ଏହି ଘଟଣାକୁ ଗଛ ଚୋରି ଆଳରେ ଜମି ହଡ଼ପ କରିବା ନେଇ ସୁପରିକଳ୍ପିତ ଯୋଜନା ବୋଲି କହିଛନ୍ତି। ଅପରପକ୍ଷରେ ଏହା ଏକ ଦେୱାନୀ ମାମଲା ହୋଇଥିବାରୁ କିଛି ପଦକ୍ଷେପ ନେଇ ପାରିବ ନାହିଁ ବୋଲି ଚନ୍ଦକା ଥାନା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର