ଚନ୍ଦ୍ରଶେଖରପୁର: ଚନ୍ଦକା ଶିଳ୍ପାଞ୍ଚଳ ଅନ୍ତର୍ଗତ ଇନ୍‌ଫୋସିଟି ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ। ଏଠାରେ ସପ୍ଟୱେର୍‌ ପାର୍କ, ଇନ୍‌ଫୋସିସ୍, ଟିସିଏସ୍, ମାଇଣ୍ଡ ଟ୍ରି ଭଳି ଦେଶର ବଡ଼ ବଡ଼ ପ୍ରଯୁକ୍ତିବିଦ୍ୟା କମ୍ପାନି, ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ ରହିଛି। ଅନେକ ଛୋଟ ବଡ଼ ଶିଳ୍ପାନୁଷ୍ଠାନ ମଧ୍ୟ ଗଢ଼ିଉଠିଛି। ଭୁବନେଶ୍ବର ମହାନଗର ନିଗମର ୬ ନମ୍ବର ୱାର୍ଡ ଅଧୀନରେ ଏହା ଏକ ସମ୍ବେଦନଶୀଳ ଅଞ୍ଚଳ ହୋଇଥିଲେ ମଧ୍ୟ ସନ୍ଧ୍ୟା ହେଲେ ସବୁ କିଛି ଅନ୍ଧାର। ରାସ୍ତାରେ ଲାଗିଥିବା‌ ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁ ନ ଥିବାରୁ ପଥଚାରୀଙ୍କୁ ନାକେଦମ ହେବାକୁ ପଡ଼ୁଛି। ସ୍ଥାନୀୟ ଅଞ୍ଚଳବାସୀ ଏନେଇ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନି। ଜନପ୍ରତିନିଧି ଶୁଣୁନାହାନ୍ତି କି ପ୍ରଶାସନ ଏହାର ମରାମତି କରୁ ନାହିଁ। ଖରାପ ରାସ୍ତା ସାଙ୍ଗକୁ ରାତିର ଅନ୍ଧାର ଯୋଗୁ ଅନେକ ସମୟରେ ଦୁର୍ଘଟଣା ହେଉଛି।

Advertisment

ଅଭିଯୋଗ ଅନୁଯାୟୀ,  ଶୈଳଶ୍ରୀବିହାର ସାଇମନ୍ଦିର ଛକଠାରୁ ଇନ୍‌ଫୋସିଟି ଟ୍ରାଫିକ୍‌ ଛକ ପର୍ଯ୍ୟନ୍ତ ମାତ୍ର ଗୋଟିଏ କିଲୋମିଟର ଦୁଇଥାକିଆ ରାସ୍ତାର ଷ୍ଟ୍ରିଟ୍ ଲାଇଟ୍ ପ୍ରାୟ ମାସେ ହେଲା ଜଳୁ ନାହିଁ। ଏହି ସମସ୍ୟା ଏବେକାର ନୁହେଁ, ବରଂ ରକ୍ଷଣାବେକ୍ଷଣରେ ତ୍ରୁଟି ରହୁଥିବାରୁ ବର୍ଷର ଅଧିକାଂଶ ସମୟରେ ଷ୍ଟ୍ରିଟ୍ ଲାଇଟ୍ ଏହିପରି ଭାବେ ଦୀର୍ଘ ଦିନ ଧରି ଜଳି ନ ଥାଏ। ଏହି ରାସ୍ତା ଦେଇ ଅନେକ ମହିଳା କର୍ମଚାରୀ ରାତି ୧୨ଟାରେ ମଧ୍ୟ ଯାତାୟାତ କରୁଛନ୍ତି। ତେଣୁ ଅନ୍ଧାରର ସୁଯୋଗ ନେଇ ମଦୁଆ ଓ ଅପରାଧୀମାନେ ରାତିରେ ରାସ୍ତାକଡ଼ରେ ନିର୍ଭୟରେ ଆସର ଜମାଉଛନ୍ତି। କିଛି ଦିନ ପୂର୍ବରୁ ରାତିରେ ଚାଲି ଚାଲି ଯାଉଥିବା ଜଣେ ମହିଳା କର୍ମଚାରୀଙ୍କ ମୋବାଇଲ ଛଡ଼ାଇ ନେଇଥିଲେ। ରାତିରେ ଅନ୍ଧକାର ଯୋଗୁ ଫୁଟ୍‌ପାଥ୍‌ରେ ପଥଚାରୀମାନେ ଯାତାୟାତରେ ଅସୁବିଧା ଭୋଗୁଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ବୟ ଅଭାବରୁ ମରାମତି ହୋଇପାରୁ ନାହିଁ। ସ୍ଥାନୀୟ ଜନପ୍ରତିନିଧିଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିବା ଅଞ୍ଚଳବାସୀ ଦାବି କରିଛନ୍ତି। ପ୍ରଶାସନ ତୁରନ୍ତ ଏ  ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।