ସିଏମସିରେ ଆରମ୍ଭ ହେବ ସେରୋ ସର୍ଭେ, ପ୍ରଥମ ପର୍ଯ୍ୟାୟରେ ୨୫ଟି ୱାର୍ଡରେ ହେବ ପରୀକ୍ଷା

କରୋନା ଆଣ୍ଟିବଡି ସଂପର୍କରେ ମିଳିବ ତଥ୍ୟ

କଟକ: କଟକ ମହାନଗର ନିଗମରେ କରୋନା ମୁକାବିଲା ପାଇଁ ଆରମ୍ଭ ହେବ ‌େସରୋ ସର୍ଭେ କାର୍ଯ୍ୟକ୍ରମ। ଆସନ୍ତା ନଭେମ୍ବର ୨ରୁ ୫ ତାରିଖ ମଧ୍ୟରେ ସିଏମସି ଓ ଆରଏମଆରସି ଭୁବନେଶ୍ବରର ମିଳିତ ସହଯୋଗରେ ୨୫ଟି ୱାର୍ଡରେ ପରୀକ୍ଷା‌ ପାଇଁ ରକ୍ତ ନମୁନା ସଂଗ୍ରହ କରାଯିବ। ପ୍ରତିଘରୁ ଜଣେ ବୟସ୍କଙ୍କ ସେରୋ ସର୍ଭେ ପରୀକ୍ଷା କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ସେରୋ ସର୍ଭେରେ ଜଣେ ବ୍ୟକ୍ତିଙ୍କ ଠାରେ କରୋନା ଭୂତାଣୁ ସହିତ ଲଢ଼ିବା ପାଇଁ କେତେ ‌ରୋଗ ପ୍ରତିରୋଧକ ଶକ୍ତି ବା ଆଣ୍ଟିବଡି ତିଆରି ହୋଇଛି ତାହା ଜଣା ପଡ଼ିବ।

ସିଏମସି ଅଞ୍ଚଳରେ କରୋନା ସଂକ୍ରମଣକୁ ରୋକିବା ଦିଗରେ ନୂଆ ପଦକ୍ଷେପ ନିଆଯାଇଛି। ସହରରେ କୋଭିଡ୍‌ ଟେଷ୍ଟିଂକୁ ଏବେ କମାଇ ଦିଆଯାଇ ଥିବା ବେଳେ ସିଏମସି ତରଫରୁ ସେରୋ ‌ସର୍ଭେ କାର୍ଯ୍ୟକ୍ରମ ଆସନ୍ତା ନଭେମ୍ବରରେ ଆରମ୍ଭ କରାଯିବ। ସହରର ଲୋକଙ୍କ ଶରୀରରେ କରୋନା ସଂକ୍ରମଣ ସହିତ ଲଢ଼ିବାକୁ କେତେ ଆଣ୍ଟିବଡି ବା ରୋଗ ପ୍ରତିରୋଧକ ଶକ୍ତି ତିଆରି ହୋଇଛି ତାହା ରକ୍ତ ପରୀକ୍ଷା ଦ୍ବାରା ଜଣା ପଡିବ। ପ୍ରଥମ ପର୍ଯ୍ୟାୟରେ ମହାନଗର ନିଗମର ୨୫ଟି ୱାର୍ଡରେ ଆସନ୍ତା ମାସ ୨ରୁ ୫ ତାରିଖ ମଧ୍ୟରେ ସେରୋ ସର୍ଭେ କରାଯିବ। ସକାଳ ୮ରୁ ସଂଧ୍ୟା ୫ଟା ମଧ୍ୟରେ ଲୋକଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରାଯିବ। ଏଥିପାଇଁ ୧୪ଜଣ ସେକ୍ଟର ଅଫିସରଙ୍କୁ ମୁତୟନ କରାଯାଇଛି। ଏନେଇ ୫ଟି ସର୍ଭେ ଟିମ୍‌ ଗଠନ କରାଯାଇଛି। ୱାର୍ଡ ଗୁଡିକରେ ୱାର୍ଡ ଅଫିସର ଓ ସାନିଟାରି ଇନ୍ସପେକ୍ଟର ସ୍ଥାନୀୟ ବାସିନ୍ଦାଙ୍କୁ ସେରୋ ସର୍ଭେକୁ ନେଇ ବୁଝାଇବା ସହିତ ଲୋକେ ଯେପରି ସ୍ବେଚ୍ଛାକୃତ ଭାବେ ଆସି ପରୀକ୍ଷା ପାଇଁ ରକ୍ତ ନମୁନା ଦେବେ ଏଥିପାଇଁ ୱର୍ଡ ବାସିନ୍ଦାଙ୍କୁ ସଚେତନ କରାଇବେ। ଉକ୍ତ କାର୍ଯ୍ୟକ୍ରମରେ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ସହାୟତା ନିଆଯିବ। ପ୍ରତିଘରୁ ଜଣେ ୧୮ବର୍ଷରୁ ଅଧିକ ବ୍ୟକ୍ତିଙ୍କ ରକ୍ତ ନମୁନା ସଂଗ୍ରହ କରିବା ପାଇଁ ସିଏମସି ଯୋଜନା କରିଛି। ଗର୍ଭବତୀ ମହିଳାଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରାଯିବ ନାହିଁ ବୋଲି ସିଏମସି ପକ୍ଷରୁ କୁହାଯାଇଛି। ଯେଉଁ ଅଞ୍ଚଳରେ ଅଧିକ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହି ଅଞ୍ଚଳକୁ ଏଥିରେ ପ୍ରାଧାନ୍ୟ ଦିଆଯାଇଛି। ଦ୍ବିତୀୟ ପର୍ଯ୍ୟାୟରେ ନିଗମର ଅନ୍ୟ ୱାର୍ଡ ଗୁଡିକରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏନେଇ ଆସନ୍ତାକାଲି ୱାର୍ଡସ୍ତରରେ ଏକ ବୈଠକ ଅନୁଷ୍ଠିତ ହେବ ଓ କେଉଁ ସ୍ଥାନରେ ନମୁନା ସଂଗ୍ରହ କେନ୍ଦ୍ର କରାଯିବ ତାହା ସ୍ଥିର କରାଯିବ ବୋଲି ସିଏମସି ଡେପୁଟି କମିସନର ଲତାଶ୍ରୀ ବାଗ୍ କହିଛନ୍ତି।

ସମ୍ବନ୍ଧିତ ଖବର