ଭୁବନେଶ୍ବର: ନିଜକୁ ଗୋଲ୍ଡ ଟ୍ରେଡର ପରିଚୟ ଦେଇ ଆର୍‌ବିଆଇର ଜାଲ୍‌ ପ୍ରମାଣପତ୍ର ଦେଖାଇ ଲୋକଙ୍କୁ କୋଟି କୋଟି ଚଳୁ କରିଥିବା ହାଇପ୍ରୋଫାଇଲ୍‌ ଠକ ରମେଶ ମାଝୀର କାରବାର କେବଳ ଓଡ଼ିଶାରେ ସୀମିତ ନଥିଲା। ଠକେଇ ପଛରେ ବିଦେଶୀ ଲିଙ୍କ୍‌ ଥିବାର ଏକ ଚାଞ୍ଚଲ୍ୟକର ତଥ୍ୟ ପୁଲିସ ହାତରେ ଲାଗିଛି। ରମେଶ ଠକେଇ ଟଙ୍କାକୁ ବିଦେଶକୁ ପଠାଉଥିଲା। ଫୋରେକ୍ସରେ ଆର୍ଥିକ କାରବାର କରିଥିବା ତଥ୍ୟ ପୁଲିସ ହାତରେ ଲାଗିଛି। ଖୋଳତାଡ଼ ବେଳେ ପୁଲିସ ତାର କେତେକ ଆକାଉଣ୍ଟରୁ ଟଙ୍କା ଯାଇଥିବା ଠାବ କରିଛି। ତେଣୁ ସେ କାହିଁକି ବିଦେଶକୁ ଟଙ୍କା ପଠାଉଥିଲା? କେଉଁମାନେ ତା ସହ ସାମିଲ୍‌ ଅଛନ୍ତି? ତାକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ସ୍ପେସାଲ୍‌ କ୍ରାଇମ୍‌ ୟୁନିଟ୍‌। ତାକୁ ୨ଦିନିଆ ଜେରା ସମୟରେ ଆହୁରି ଅନେକ ତଥ୍ୟ ହାତେଇ ଥିବା ବେଳେ ଅନେକ ଘଟଣା ଏବେ ବି ରହସ୍ୟରେ ରହିଛି। ତେଣୁ ତାକୁ ଆଉଥରେ ରିମାଣ୍ଡରେ ଆଣିବାକୁ ପୁଲିସ ଯୋଜନା କରିଛି। ଆଜି ରିମାଣ୍ଡ ଅବଧି ସରିବା ପରେ ତାକୁ କୋର୍ଟରେ ହାଜର କରାଯାଇଥିଲା। ପରେ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ତାକୁ ୫ଦିନିଆ ରିମାଣ୍ଡରେ ଆଣି ଜେରା କରିବାକୁ ପୁଲିସ କୋର୍ଟରେ ଆବେଦନ କରିବ ବୋଲି ଜଣେ ଅଧିକାରୀ କହିଛନ୍ତି।
ପ୍ରକାଶ ଥାଉ କି,  ଗତ ଜୁ‌ଲାଇ ୨୨ ତାରିଖ ରାତିରେ ପୁଲିସ ଠକ ରମେଶକୁ ଗିରଫ କରିଥିଲା। ଏପର୍ଯ୍ୟନ୍ତ ତା’ ନାଁରେ ୨୮ରୁ ଅଧିକ ନିବେଶକ ଅଭିଯୋଗ କରିସାରିଛନ୍ତି ଏବଂ ସେ ପାଖାପାଖି ୨୨କୋଟିରୁ ଅଧିକ ଟଙ୍କା ଠକିଥିବା ଜଣାପଡ଼ିଛି।