ଇନ୍‌ଫୋଭ୍ୟାଲିକୁ ନେଇ ଚିନ୍ତାରେ ସରକାର : ରାସ୍ତା ଓ ପାର୍କିଂ ବ୍ୟବସ୍ଥା‌କୁ ନଜରରେ ରଖି ପ୍ଲାନ୍ ପ୍ରସ୍ତୁତ ହେଉ, ଇନ୍‌ଫୋଭ୍ୟାଲିରେ ହେବ ହେଲିପ୍ୟାଡ୍‌

ଭୁବନେଶ୍ବର : ଇନଫୋଭ୍ୟାଲି ପ୍ରତିଷ୍ଠା ହେବାର ଦୀର୍ଘ ବର୍ଷ ପରେ ବି ଏଠାକୁ ଆଇଟି ସଂସ୍ଥା ଆସୁନାହାନ୍ତି। ସ୍ଥିତି ଏପରି ହୋଇଛି ଯେ ସେଠାକୁ ସାଧାରଣ ଲୋକ ଯିବା ଭଳି ସ୍ଥିତି ନାହିଁ। ସରକାର ରାଜ୍ୟରେ ପୁଞ୍ଜିନିବେଶ କରିବାକୁ ପୁଞ୍ଜିପତିମାନଙ୍କୁ ଡାକୁଥିଲେ ହେଁ ଆଇଟି କ୍ଷେତ୍ରରେ ପୁଞ୍ଜିନିବେଶ ହେଉନି। ଯାହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ନିକଟରେ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଇନ୍‌ଫୋଭ୍ୟାଲି ନେଇ ସମୀକ୍ଷା କରିଥିବା ବେଳେ ଆଜି ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇନଫୋଭ୍ୟାଲି ପରିଦର୍ଶନ କରିଥିଲେ।

ଇନ୍‌ଫୋଭ୍ୟାଲି ପରିଦର୍ଶନ କରିବା ସମୟରେ ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି ଯେ ଶିଳ୍ପ ସଂସ୍ଥାକୁ ଆକର୍ଷିତ କରିବା ପାଇଁ ଏଠାରେ ପ୍ରାଥମିକତା ଭିତ୍ତିରେ ଭଲ ରାସ୍ତା ନିର୍ମାଣ ସହ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ପାଇଁ ଯୋଜନା ପ୍ରସ୍ତୁତ ହେବା ଉଚିତ। ଶିଳ୍ପ ସଂସ୍ଥାର ବେସ୍‌ମେଣ୍ଟରେ ଯେପରି ଯାନବାହନ ପାର୍କିଂ ପାଇଁ ଯଥେଷ୍ଟ ସ୍ଥାନ ରହିବ ସେହିଭଳି ବ୍ୟବସ୍ଥା ହେଉ। ଏଠାରେ ଇଏନ୍‌ସି ଦ୍ବାରା ହେଲିପ୍ୟାଡ୍ ନିର୍ମାଣ ହେବା ଦରକାର। ଏହାଦ୍ବାରା ବିଭିନ୍ନ ଶିଳ୍ପ ସଂସ୍ଥାର ଅଧିକାରୀମାନେ କମ୍‌ ସମୟରେ ଯାତାୟ‌‌ାତ କରିପାରିବେ ଏବଂ ଏହି ସ୍ଥାନର ଗୁରୁତ୍ବ ବଢ଼ିବ।

ଏହାପରେ ମନ୍ତ୍ରୀ ଶାନ୍ତି ସୋଲାର ୟୁନିଟ ପରିଦର୍ଶନ କରି ନିର୍ମାଣ ହେଉଥିବା ସୋଲାର ପ୍ୟାନେଲ୍‌ର ବିକ୍ରି ଦିଗରେ ଅଧିକ ଗୁରୁତ୍ବ ଦେବାକୁ ଶିଳ୍ପୋଦ୍ୟୋଗୀମାନଙ୍କୁ ପରାମର୍ଶ ଦେଇଥିଲେ।

ଖୁବ୍‌ ଶୀଘ୍ର ପଲ୍ଲୀସଭା ଆୟୋଜନ କରାଯାଇ ଶିଳ୍ପାଞ୍ଚଳ ଓ ଏହା ନିକଟସ୍ଥ ଗ୍ରାମରେ ବସବାସ କରୁଥିବା ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ଉନ୍ନୟନ କାର୍ଯ୍ୟ କରିବାକୁ ସ୍ଥାନୀୟ ସରପଞ୍ଚଙ୍କୁ ପରାମର୍ଶ ଦେଇଥିଲେ।

ସେହିପରି ଇନ୍‌ଫୋଭ୍ୟାଲିକୁ ସଂଯୋଗ କରୁଥିବା ଏନ୍‌ଏଚ୍‌-୧୬କୁ ଦୁର୍ଘଟଣା ପ୍ରତିରୋଧକ କରିବା ଓ ଶିଳ୍ପୋଦ୍ୟୋଗୀମାନଙ୍କୁ ଆକୃଷ୍ଟ କରିବା ଭଳି ଆକର୍ଷଣୀୟ ଆଧୁନିକ ଗେଟ୍‌ ନିର୍ମାଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ।

ଜାତୀୟ ରାଜପଥରୁ ଇନ୍‌ଫୋଭ୍ୟାଲିକୁ ସଂଯୋଗ କରୁଥିବା ରାସ୍ତାରେ ଫ୍ଲାଇଓଭର, ଇନ୍‌ଫୋଭ୍ୟାଲିରେ ଥାନା, ଅଗ୍ନିଶମ କେନ୍ଦ୍ର, ଗୀତା କଲେଜ ରାସ୍ତା ଆଲୋକୀକରଣ କରିବା ଦିଗରେ ପଦକ୍ଷେପ ନେବାକୁ ଇନ୍‌ଫୋସିସ୍‌ର ଆଞ୍ଚଳିକ ପରିଚାଳକ ବିଶ୍ବଜିତ ନାୟକ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଏହି ଅବସରରେ ମନ୍ତ୍ରୀ ଡେରାସରେ ଥିବା ସି-ଫୁଡ୍‌ ପାର୍କ ମଧ୍ୟ ପରିଦର୍ଶନ କରିଥିଲେ। ସି-ଫୁଡ୍‌ ପାର୍କକୁ ସଂଯୋଗ କରୁଥିବା ବୁଲାଣିଆ ରାସ୍ତାକୁ ସିଧା କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।

ମନ୍ତ୍ରୀ ଶ୍ରୀ ମିଶ୍ର ଇନ୍‌ଫୋସିସ୍‌, ଇଏମ୍‌ସି, ବି-ୱାନ୍ ବିଜିନେସ୍ ହାଉସ୍, ଏସ୍‌ଏମ୍‌ଏସ୍‌ ଗ୍ରୁପ୍, ଏଚ୍‌ସିସିବି ବିଜିନେସ୍, ଜୁସ୍ ପ୍ରସ୍ତୁତ କାରଖାନା ଆଦି ବୁଲି ଦେଖିଥିଲେ।

ସମ୍ବନ୍ଧିତ ଖବର