ଭୁବନେଶ୍ବର: ସଫେଇ କର୍ମଚାରୀଙ୍କୁ ସ୍ବାସ୍ଥ୍ୟକୁ ନଜରରେ ରଖି ସେମାନଙ୍କୁ ଟିକା ଦିଆଯିବ। ଆସନ୍ତା ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜଧାନୀର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଏହି ଟିକା ପ୍ରଦାନ କରାଯିବ। ବିଏମ୍‌ସିରେ କାର୍ଯ୍ୟ କରୁଥିବା ପ୍ରାୟ ୭ଶହ କର୍ମଚାରୀଙ୍କୁ ଏହି ଟିକା ଦିଆଯିବ ବୋଲି ଜଣାପଡ଼ିଛି। ରାଜଧାନୀରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀମାନେ ସବୁ ସମୟରେ ଅସ୍ବାସ୍ଥ୍ୟକର ପରିବେଶରେ କାର୍ଯ୍ୟ କରୁଛନ୍ତି। ସେମାନେ ବିଭିନ୍ନ ରୋଗରେ ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଛି। କର୍ମଚାରୀଙ୍କ ସ୍ବାସ୍ଥ୍ୟକୁ ନଜରରେ ରଖି ଟିକା ପ୍ରଦାନ କରିବା ପାଇଁ ଯୋଜନା ହୋଇଛି। ଫଳରେ ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ। ପ୍ରତ୍ୟେକ କର୍ମଚାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଟି.ଟିର ଗୋଟିଏ ଡୋଜ୍ ଓ ଆର ମାସରେ ଆଉ ଏକ ଡୋଜ୍ ଦିଆଯିବ। ଜୁନ୍/ଜୁଲାଇ ମାସରେ ଆଉ ଏକ ଡୋଜ୍ ଦିଆଯିବ। ଏଥିପାଇଁ ରାଜଧାନୀରେ ସମୁଦାୟ ୨୧ଟି ସ୍ବାସ୍ଥ୍ୟ କ୍ୟାମ୍ପ କରାଯିବ। ଏହି କ୍ୟାମ୍ପ୍‌ରେ ଜଣେ ମେଡିକାଲ ଅଫିସର, ଷ୍ଟାଫ୍ ନର୍ସ, ପବ୍ଲିକ୍ ହେଲ୍‌ଥ ମ୍ୟାନେଜର, ଜିଲ୍ଲା ହେଲ୍‌ଥ ମ୍ୟାନେଜର, ଏଲ୍‌ଟି, ପୁରୁଷ ଓ ମହିଳା ସ୍ବାସ୍ଥ୍ୟ କର୍ମୀ ରହିଛି। ଆବଶ୍ୟକ ପଡ଼ିଲେ ଅଧିକ କ୍ୟାମ୍ପ କରାଯିବ। ପ୍ରତ୍ୟେକ ଦିନ ସର୍ବାଧିକ ୩୨ଜଣ ସଫେଇ କର୍ମଚାରୀଙ୍କୁ ଟିକା ପ୍ରଦାନ କରାଯିବ। ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିସନ ଜରିଆରେ କର୍ମଚାରୀମାନଙ୍କୁ ଏକ ସ୍ବାସ୍ଥ୍ୟ ପରୀକ୍ଷା ପତ୍ରିକା ପ୍ରଦାନ କରାଯିବ। ୟୁନିଟ୍-୩, ୟୁନିଟ-୯, ସାମନ୍ତପୁର, ଆଇଆରସି ଭିଲେଜ, ନୀଳାଦ୍ରି ବିହାର, ସହିଦ ନଗର, ବରମୁଣ୍ଡା ଓ ରସୁଲଗଡ଼ ସ୍ବାସ୍ଥ୍ୟକେନ୍ଦ୍ରରେ ସଫେଇ କର୍ମଚାରୀମାନେ ଏହି ସୁବିଧା ପାଇପାରିବେ। ଏଥିପାଇଁ କର୍ମଚାରୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହେବ। ଏଥିରେ ଏଚ୍‌ଆଇଭି, ନିଶା ଅଭ୍ୟାସ, ଯକ୍ଷ୍ମା, କୁଷ୍ଠ, କିଡ୍‌ନି ରୋଗ, ଥାଲାସେମିଆ, ହିମୋଫିଲିଆ, ମଧୁମେହ, ମ୍ୟାଲେରିଆ, ସ୍ପୁଟମ୍ ଓ ହିମୋଗ୍ଲୋବିନର ମାଗଣାରେ ସ୍କ୍ରିନିଂ କରାଯିବ। ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସଫେଇ କର୍ମଚାରୀଙ୍କ ଲାଗି ପ୍ରଥମଥର ଲାଗି ଏଭଳି ସ୍ବାସ୍ଥ୍ୟ କ୍ୟାମ୍ପ ଆୟୋଜିତ ହେଉଛି। ଏବେ ଟି.ଟି ଟିକା ଦିଆଯାଉଥିବା ବେଳେ ଆଗାମୀ ଦିନରେ ହେପାଟାଇଟିସ୍-ଟିକା ମଧ୍ୟ ଦିଆଯିବ। ସଫେଇ କର୍ମଚାରୀମାନେ ଅସ୍ବାସ୍ଥ୍ୟକର ପରିବେଶରେ କାର୍ଯ୍ୟ କରୁଥିବାରୁ ସେମାନଙ୍କ ପାଇଁ ଏହି ଟିକା ଜରୁରୀ ହୋଇପଡ଼ୁଛି। ତେଣୁ ସ୍ବାସ୍ଥ୍ୟ କ୍ୟାମ୍ପ୍ ଜରିଆରେ କର୍ମଚାରୀଙ୍କ ସ୍ବାସ୍ଥ୍ୟପରୀକ୍ଷା ସହିତ ଟିକା ପ୍ରଦାନ କରାଯିବ।