ଆକ୍ରମଣରେ ଆହତ ଯୁବକ ଗୁରୁତର; ଆକ୍ରମଣକାରୀଙ୍କ ପତ୍ତା ମିଳୁନି, କାରଣ ଅସ୍ପଷ୍ଟ

ଭୁବନେଶ୍ବର : ଶନିବାର ରାତିରେ ଲକ୍ଷ୍ମୀସାଗର ଚିନ୍ତାମଣିଶ୍ବର ଅଞ୍ଚଳରେ ଯୁବକଙ୍କ ପିଛା କରିବା ଏବଂ ତାଙ୍କୁ ଘରୁ ଡାକି ଆଣି ଭୁଜାଲିରେ ପ୍ରାଣାନ୍ତକ ଆକ୍ରମଣ କରିବାର କାରଣ ଏଯାଏ ଅସ୍ପଷ୍ଟ ରହିଛି। କିଏ, କାହିଁକି ତାଙ୍କୁ ଏଭଳି ଗୁରୁତର ଭାବେ ହାଣିଲା ତାହା ଏବେ ବି ରହସ୍ୟ ଘେରରେ ରହିଛି। ପୂର୍ବ ଶତ୍ରୁତାକୁ ନେଇ ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ଆକ୍ରମଣର ଶିକାର ହୋଇଥିବା ଅନିଲ କୁମାର ସାହୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବାରୁ ପୁଲିସ ତାଙ୍କର ବୟାନ ରେକର୍ଡ କରିପାରି ନାହିଁ। ସେ ସୁସ୍ଥ ହେଲା ପରେ ତାଙ୍କର ବୟାନ ରେକର୍ଡ କରାଯିବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ପୁଲିସ ଘଟଣାସ୍ଥଳର ଆଖପାଖ ଘରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି। ଏବେ ସୁଦ୍ଧା ତିନିଟି ଘରର ଫୁଟେଜ୍ ଯାଞ୍ଚ ହୋଇଥିବାବେଳେ ଆକ୍ରମଣକାରୀଙ୍କ ସମ୍ପର୍କରେ ଠୋସ୍ ସୂଚନା ମିଳିପାରି ନାହିଁ। ଅଧିକ ସିସିଟିଭି ଫୁଟେଜ ଯାଞ୍ଚ ପାଇଁ ପୁଲିସ ଚେଷ୍ଟା ଚଳାଇଛି। ଆକ୍ରମଣକାରୀଙ୍କ ସମ୍ପର୍କରେ ସୂଚନା ପାଇବା ପାଇଁ ପୁଲିସ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଖୋଳତାଡ଼ ଚଳାଇଛି। ଖୁବଶୀଘ୍ର ରହସ୍ୟ ଉନ୍ମୋଚନ ହେବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ, ଶନିବାର ରାତି ପ୍ରାୟ ୧୦ଟାରେ ଅନିଲ ନିଜର ଚିନ୍ତାମଣିଶ୍ବରସ୍ଥିତ ଘରକୁ ସ୍କୁଟିରେ ଫେରୁଥିବା ସମୟରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ତାଙ୍କ ପିଛା କରିଥିଲେ। ଅନିଲ ଘର ଗ୍ରିଲ୍‌ ଖୋଲି ଭିତରକୁ ଯାଇଥିଲେ। ଦୁଇ ଦୁର୍ବୃତ୍ତ ତାଙ୍କୁ ବାହାରକୁ ଡାକିଥିଲେ। ଅନିଲ ବାହାରକୁ ଆସିବା ସମୟରେ ଦୁଇ ଦୁର୍ବୃତ୍ତ ତାଙ୍କୁ ମାରଣାସ୍ତ୍ର‌ରେ ଚୋଟ ପରେ ଚୋଟ ପକାଇ ହାଣି ପକାଇଥିଲେ। ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ ତାଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର