ଭୁବନେଶ୍ୱର : ମଜାରେ ମଜାରେ ବଢ଼ିବ ଜ୍ଞାନ ଗାରିମା। ସୃଜନ ମନସ୍କ ହେବେ କୋମଳମତି ଶିଶୁ। ଧୁମ୍ ହସିବେ, ପୁଣି ରୋମାଞ୍ଚିତ ହେବେ। ବିଜ୍ଞାନ ଓ କାରିଗରୀ କୌଶଳର ନୂଆ ସୃଜନ ଭଣ୍ଡାର ‘ଇନୋଭେସନ୍ ହବ୍’ ଆଣିଦେବ ଏହି ବିରଳ ଅନୁଭୂତି। ଆଚାର୍ଯ୍ୟ ବିହାରସ୍ଥିତ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପରିସରରେ ଖୋଲିବ ଏହି ନୂଆ ହବ୍। ପାଖାପାଖି ୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ହବ୍ ଆପାତତଃ ମେ’ ମାସ ପ୍ରଥମ ସପ୍ତାହରେ ଲୋକାର୍ପିତ ହେବ।
ଭେଟିଦେବ ଅତ୍ୟାଧୁନିକ ବିଜ୍ଞାନ
ରୋବୋଟିକ୍ ଓ କମ୍ପ୍ୟୁଟର ବିଜ୍ଞାନ ସହ ଡ୍ରୋନ୍ ବିଜ୍ଞାନର ଝଲକ ଦେଖିବାକୁ ମିଳିବ। ବିଶେଷକରି ଫିଜିକ୍ସ (ପଦାର୍ଥ ବିଜ୍ଞାନ), କେମିଷ୍ଟ୍ରି (ରସାୟନ ବିଜ୍ଞାନ), ବାୟୋଲୋଜି (ଜୀବ ବିଜ୍ଞାନ), କମ୍ପ୍ୟୁଟର ବିଜ୍ଞାନ ଓ ମାଇକ୍ରୋ ପ୍ରୋସେସର, ରୋବୋଟିକ୍ସ, ମେକାନିକାଲ୍, ଇଲେକ୍ଟ୍ରିକାଲ୍, ଥ୍ରିଡି ପ୍ରିଣ୍ଟିଂ ଭଳି ଜ୍ଞାନ ଆହରଣ କରିହେବ। ଏଥିସହିତ କିଛି ସୃଜନ ସ୍ରଷ୍ଟାଙ୍କ ସୃଜନ କୌଶଳ ସମ୍ବନ୍ଧୀୟ ପ୍ରେରଣାଦାୟୀ କାହାଣୀର ଅଡିଓ ଭିଜୁଆଲ୍ ଦେଖିବାକୁ ମିଳିବ।
କଥା ହେବେ ରୋବର୍ଟ
ସଂପ୍ରତି ଏକାକୀ ମଣିଷ ସହ ଗପିବା ପାଇଁ ୧୯ହଜାର ୫୦୦ ଟଙ୍କାରେ ରୋବର୍ଟ ଉପଲବ୍ଧ ହେଉଥିବା ବେଳେ ଇନୋଭେସନ୍ ହବ୍ ମଧ୍ୟରେ କଥାକୁହା ରୋବୋର୍ଟକୁ ପାଖରୁ ଦେଖିବାର ସୁଯୋଗ ମିଳିବ। ଫଳରେ ପିଲାମାନେ ତା’ ସହ କଥାବାର୍ତା କରିପାରିବେ। କୃତ୍ରିମ ବୁଦ୍ଧିମତାକୁ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ଖଞ୍ଜାଯାଇଥିବା ବେଳେ ଏହି ରୋବର୍ଟ ପିଲାଠୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ମନୋରଂଜନ ଦେବ।
ଯାନ୍ତ୍ରିକ ନିର୍ମାଣର ଜ୍ଞାନ ମିଳିବ
କିଛି ମେସିନ୍ ତିଆରିର କୌଶଳକୁ ମଡେଲ୍ ଆକାରରେ ପ୍ରଦର୍ଶିତ କରାଯିବ। ପିଲାମାନଙ୍କ ମନରେ ଅନିସନ୍ଧିତ୍ସୁ ଭାବନା ଉଦ୍ରେକ କରିବାରେ ଏହା ସହାୟକ ହେବ। କମ୍ପ୍ୟୁଟରରେ ବିଭିନ୍ନ ଡିଜାଇନ୍ ସମ୍ବନ୍ଧୀୟ ପ୍ରଶିକ୍ଷଣର ସୁବିଧା କରାଯିବ। ଏହା ବ୍ୟତୀତ ଥ୍ରିଡି ପ୍ରିଣ୍ଟିଂ ଭଳି ଅତ୍ୟାଧୁନିକ କୌଶଳର ଉପଲବ୍ଧି ନେଇ ହେବ। କମ୍ପ୍ୟୁଟର ଜରିଆରେ ଥ୍ରିଡି ପ୍ରିଣ୍ଟିଂ ପ୍ରସ୍ତୁତି ସମ୍ବନ୍ଧୀୟ କାରିଗରୀ ଶିଖିବାକୁ ମିଳିବ।
ବୁଝାଇବାକୁ ରହିବେ ଏକ୍ସପର୍ଟ
ସ୍କୁଲ୍ କଲେଜ୍ ଏବଂ ଇଂଜିନିୟରିଂ ପିଲାମାନଙ୍କ ପ୍ରାକ୍ଟିକାଲ୍ ଜ୍ଞାନ ପାଇଁ ଏହା ବେଶ୍ ଉପାଦେୟ ହେବ। ଇନୋଭେସନ୍ ହବ୍ ପାଇଁ ଛାତ୍ରଛାତ୍ରୀଙ୍କୁ ସଦସ୍ୟତା ଗ୍ରହଣ କରିବା ସହ କିଛି ନିର୍ଦିଷ୍ଟ ଦେୟ ଦେବାକୁ ପଡ଼ିବ। ଏଥିପାଇଁ ନିର୍ଦିଷ୍ଟ ସମୟ ସୀମା ରହିବ। ପ୍ରଦର୍ଶିତ ଜ୍ଞାନକୌଶଳ ସମ୍ବନ୍ଧରେ ଜ୍ଞାନ ପାଇଁ କିଛି ଧୂରୀଣ ବ୍ୟକ୍ତିବିଶେଷ ନିୟୋଜିତ ହେବେ।