ଭୁବନେଶ୍ବର: ବିଦ୍ୟାଳୟରେ ଶିକ୍ଷା‌ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବାକୁ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଅଭିନବ ପଦକ୍ଷେପ ନିଆଯାଇଛି। ୨୦୨୫ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ‘ଏ-୧’ ଗ୍ରେଡ୍‌ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବା ସହ ବ୍ଲକ ଟପର୍‌ଙ୍କ ସଫଳତା କାହାଣୀକୁ ନେଇ ଏ‌କ ପୁସ୍ତିକା ‘ଆମ ତାରକା’ ପ୍ରକାଶ ପାଇଛି। ବ୍ଲକ ଟପର୍‌ଙ୍କ ସହ ‘ଏ-୧’ ଗ୍ରେଡ୍‌ ହାସଲ କରିଥିବା ୧୭୫ଜଣ ଛାତ୍ରଛାତ୍ରୀ ନାମ, ସ୍କୁଲ ନାମ, ମାର୍କ ପରି ବିଭିନ୍ନ ବିଷୟରେ ଉଲ୍ଲେଖ ହୋଇଛି। ଚଳିତବର୍ଷ ଦଶମ ଶ୍ରେଣୀ ପରୀକ୍ଷାରେ ଖୋର୍ଦ୍ଧା ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ତତ୍ତ୍ବାବଧାନରେ ଖୋର୍ଦ୍ଧା ଜିଲ୍ଲାର ସଫଳତା ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଶିକ୍ଷକ ଶିକ୍ଷୟିତ୍ରୀ, ପିତାମାତା ତଥା ସମସ୍ତ ଶିକ୍ଷା ଅଂଶୀଦାରଙ୍କ ସହଯୋଗରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଜିଲ୍ଲାର ଛାତ୍ରଛାତ୍ରୀ ଅପୂର୍ବ ସଫଳତା ହାସଲ କରିଛନ୍ତି।
ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ କହିଛନ୍ତି ଯେ ୨୦୨୫ରେ ପରୀକ୍ଷା ଦେଇଥିବା ୨୬,୬୭୭ ଜଣଙ୍କ ମଧ୍ୟରୁ ‘ଏ-୧’ ଗ୍ରେଡ୍‌ରେ ୧୭୫, ‘ଏ-୨’ ଗ୍ରେଡ୍‌ରେ ୭୯୨ଜଣ ଉତ୍ତୀର୍ଣ୍ଣ ହୋଇଥିଲେ। ସେମାନଙ୍କ ଅଧ୍ୟୟନ ଓ ଅଧ୍ୟାବସାୟର କାହାଣୀ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ପାଇଁ ଗୋଟିଏ ଗୋଟିଏ ଉଦାହରଣ। ସେମାନଙ୍କ ସଫଳତା ଅନେକ ସଂଘର୍ଷପୂର୍ଣ୍ଣ ଓ ପ୍ରେରଣାଦାୟୀ। ଅନ୍ୟ ବିଦ୍ୟାର୍ଥୀଙ୍କ ପାଇଁ ଏହା ଅନୁକରଣୀୟ। ତେଣୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଦ୍ବାରା ଆୟୋଜିତ ‘ଜିଲ୍ଲାସ୍ତରୀୟ ବିକାଶ ମେଳା-୨୦୨୫’ରେ ସମସ୍ତ ‘ଏ-୧’ ଗ୍ରେଡ୍‌ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଜଣେ ଜଣେ ସୁନାଗରିକ ହୋଇ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବେ ବୋଲି ଆଶା କରାଯାଉଛି।
ସୂଚନା ଅନୁଯାୟୀ ଏଥର ଖୋର୍ଦ୍ଧା ଜିଲ୍ଲାରେ ଏ-୧ ଗ୍ରେଡ୍‌ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୨୦୨୪ରେ ୧୬୪ଜଣ ‘ଏ-୧’ ଗ୍ରେଡ୍‌ ହାସଲ କରିଥିବା ବେଳେ ଏଥର ସଂଖ୍ୟା ୧୭୫ରେ ପହଞ୍ଚିଛି। ‘ଏ-୨’ ଗ୍ରେଡ୍‌ ପିଲାଙ୍କ ସଂଖ୍ୟା ଅନୁରୂପ ଭାବେ ୭୫୯ରୁ ୭୯୨କୁ ବୃଦ୍ଧି ପାଇଛି। ଭୁବନେଶ୍ବର ବଡ଼ଗଡ଼ ବ୍ରିଟ୍‌ କଲୋନି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ସୌରଜିତ୍‌ ପ୍ରଧାନ ୫୭୬ ନମ୍ବର ରଖି ଜିଲ୍ଲା ଟପର୍‌ ହେବା ସହ ଭୁବନେଶ୍ବର ମହାନଗର ନିଗମରେ ଶ୍ରେଷ୍ଠତ୍ବ ପ୍ରତିପାଦନ କରିଛନ୍ତି। ବାଲିପାଟଣା ବ୍ଲକ ରାଜସସ୍ଥିତ ଗୋପବନ୍ଧୁ ସରକାରୀ ହାଇସ୍କୁଲର ବିଷ୍ଣୁ ପ୍ରସାଦ ଜେନା, ବାଲିଅନ୍ତା ବ୍ଲକ ଗୁଆବରୀସ୍ଥିତ ରତପଲ୍ଲି ବିଦ୍ୟାପୀଠର ବିଶ୍ବଜିତ ସିଂ ସମେତ ଜିଲ୍ଲାର ସମସ୍ତ ବ୍ଲକ ଟପର୍‌ଙ୍କ ଫଟୋ ସହ ମତାମତ ‘ଆମ ତାରକା’ ପୁସ୍ତିକାରେ ପ୍ରକାଶ ପାଇଛି।